ଆର୍‌ସିବି ଆଶା ଅତୁଟ

ବେଙ୍ଗାଲୁରୁ: ମୌକା ଦେଖି ଚୌକା ମାରିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଚଳିତ ବର୍ଷ ଆଇପିଏଲ୍‌ ଅଭିଯାନର ପ୍ରଥମ କିଛି ମ୍ୟାଚ୍‌ରେ ଦୟନୀୟ ପ୍ରଦର୍ଶନ କରିବା ପରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରି ପ୍ଲେ ଅଫ୍‌ ଆଶାକୁ ଉଜ୍ଜୀବିତ ରଖିଛି। ଗତ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇ ପ୍ଲେ ଅଫ୍‌ ଦୌଡ଼ରେ ଥିବା ବିରାଟ କୋହଲିଙ୍କ ଦଳ ଗୁରୁବାରର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପଏଣ୍ଟ ତାଲିକାର ଶୀର୍ଷରେ ଥିବା ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୪ ରନ୍‌ରେ ହରାଇ ଆଶା ଅତୁଟ ରଖିଛି। ପ୍ରଥମେ ବ୍ୟାଟିଂ କରି ୨୧୮/୬ର ବିଶାଳ ସ୍କୋର କରିବା ପରେ ହାଇଦ୍ରାବାଦକୁ ୨୦୪/୩ରେ ଅଟକାଇ ମହତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ସେପଟେ ପ୍ଲେ ଅଫ୍‌ରେ ପ୍ରବେଶ କରି ସାରିଥିବା ହାଇଦ୍ରାବାଦ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ (୮୧ ରନ୍‌, ୪୨ ବଲ୍‌, ୭ ଚୌକା, ୫ ଛକା) ଓ ମଧ୍ୟକ୍ରମ ତାରକା ମନୀଷ ପାଣ୍ଡେ (୬୨* ରନ୍‌, ୩୮ ବଲ୍‌, ୭ ଚୌକା, ୨ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ବିଜୟର ସ୍ୱାଦ ଚାଖି ପାରିନାହିଁ। ଶେଷ ୫ ଓଭରରେ ଓ୍ଵିଲିୟମସନ୍‌ ମାତ୍ର ୮ ବଲ୍‌ ଖେଳିବାର ସୁଯୋଗ ପାଇବା ମଧ୍ୟ ହାଇଦ୍ରାବାଦ ପରାଜୟର ଅନ୍ୟତମ କାରଣ ହୋଇଛି। ତ୍ରୟୋଦଶ ମ୍ୟାଚ୍‌ରୁ ଆରସିବି ଗୁରୁବାର ରାତିରେ ଷଷ୍ଠ ବିଜୟ ହାସଲ କରିଥିଲା। ଅନ୍ୟ ପକ୍ଷରେ ହାଇଦ୍ରାବାଦ ସେହି ୧୩ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଥିଲା। ଡିଭିଲିୟର୍ସଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ପ୍ଲେ ଅଫ୍‌ ପ୍ରବେଶ ଦୃଷ୍ଟିରୁ କର ବା ମର ସ୍ଥିତିରେ ଥିବା ଆର୍‌ସିବି ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ପ୍ରଥମ ଓଭରର ଶେଷ ବଲ୍‌ରେ ପାର୍ଥିବ ପଟେଲ ଏବଂ ପଞ୍ଚମ ଓଭରରେ ଅଧିନାୟକ ବିରାଟ କୋହଲିଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ପ୍ରାରମ୍ଭିକ ଯୋଡ଼ି କୋହଲି-ପାର୍ଥିବ ୩୮ ରନ୍‌ ଭିତରେ ପ୍ୟାଭିଲିୟନ ଫେରିବା ପରେ ଡିଭିଲିୟର୍ସ (୬୯ ରନ୍‌, ୩୯ ବଲ୍‌, ୧୨ ଚୌକା, ୧ ଛକା) ଓ ମୋଇନ ଅଲ୍ଲୀ (୬୫ ରନ୍‌, ୩୪ ବଲ୍‌, ୨ ଚୌକା, ୬ ଛକା) ସ୍ଥିତି ସମ୍ଭାଳିଥିଲେ। ଉଭୟ ତୃତୀୟ ଓ୍ଵିକେଟରେ ଦ୍ରୁତ ୧୦୭ ରନ୍‌ ଯୋଡ଼ି ଆର୍‌ସିବିକୁ ପୁଣି ଥରେ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଉଭୟ ଡିଭିଲିୟର୍ସ ଏବଂ ଅଲ୍ଲୀଙ୍କୁ ହାଇଦ୍ରାବାଦର ଆଫଗାନିସ୍ତାନ ସ୍ପିନର ରସିଦ ଖାନ୍‌ ଆଉଟ୍‌ କରିବା ପରେ ହାଇଦ୍ରାବାଦ ଅଶ୍ୱସ୍ତ ହୋଇଥିଲା। ତେବେ ଅଲ୍‌ରାଉଣ୍ଡର କଲିନ ଡି’ ଗ୍ରାଣ୍ଢୋମେ (୪୦ ରନ୍‌, ୧୭ ବଲ୍‌, ୧ ଚୌକା, ୪ ଛକା) ଧମାକାଦାର ପାଳି ଖେଳି ଏହି ଯୁଗଳ କ୍ଷତିର ଭରଣା କରି ଦେଇଥିଲେ। ସେହିଭଳି ସର୍ଫରାଜ ଖାନ୍‌ ମାତ୍ର ୮ ବଲ୍‌ରୁ ୨୨ ରନ୍‌ର ଅପରାଜିତ ପାଳି ଖେଳି ଆର୍‌ସିବି ସ୍କୋରକୁ ୨୦୦ ରନ୍‌ ପାର କରାଇ ଦେଇଥିଲେ। ଚଳିତ ଋତୁରେ ହାଇଦ୍ରାବାଦ ବିପକ୍ଷରେ ଏହା ସପ୍ତମ ୨୦୦ରୁ ଅଧିକ ଦଳଗତ ସ୍କୋର ଥିଲା।

ସଂକ୍ଷିପ୍ତ ସ୍କୋର: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୨୧୮/୬ (ଏବି ଡିଭିଲିୟର୍ସ ୬୯, ମୋଇନ ଅଲ୍ଲୀ ୬୫, କଲିନ ଡି’ ଗ୍ରାଣ୍ଢୋମେ ୪୦, ସର୍ଫରାଜ ଖାନ୍‌ ୨୨*, ରସିଦ ଖାନ୍‌ ୩/୨୭, ସିଦ୍ଧାର୍ଥ କୌଲ ୨/୪୪)। ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୦୪/୩ (କେନ୍‌ ଓ୍ଵିଲିୟମସନ୍‌ ୮୧, ମନୀଷ ପାଣ୍ଡେ ୬୨*, ଆଲେକ୍ସ ହାଲେସ୍‌ ୩୭, ମୋଇନ ଅଲ୍ଲୀ ୧/୨୧, ମହମ୍ମଦ ସିରାଜ ୧/୪୧)।

ସମ୍ବନ୍ଧିତ ଖବର