କିଭ୍: ବେଞ୍ଚ୍ରୁ ଆସି ଗ୍ୟାରେଥ୍ ବେଲ୍ ଯୁଗଳ ଗୋଲ୍ ଦେବା ଫଳରେ ରିୟଲ୍ ମାଦ୍ରିଦ୍ ଦଳ ଲଗାତାର ତୃତୀୟ ବର୍ଷ ପାଇଁ ଚାମ୍ପିଅନ୍ସ ଲିଗ୍ ବିଜେତା ହୋଇଛି। ଶନିବାର ରାତିରେ କିଭ୍ରେ ଖେଳାଯାଇଥିବା ଏହି ଫାଇନାଲ୍ରେ ବେଲ୍ଙ୍କ ଚମତ୍କାରିତା ବଳରେ ହିଁ ରିୟଲ୍ ମାଦ୍ରିଦ୍ ୩-୧ ଗୋଲ୍ରେ ଲିଭରପୁଲ୍କୁ ପରାସ୍ତ କରିଥିଲା। ପ୍ରଥମାର୍ଧ ଗୋଲଶୂନ୍ୟ ରହିଥିଲେ ମଧ୍ୟ ଦ୍ୱିତୀୟାର୍ଧ ପ୍ରଥମରୁ ମ୍ୟାଚ୍ ନାଟକୀୟ ମୋଡ଼ ନେଇଥିଲା। ପୂର୍ବରୁ କରିମ୍ ବେଞ୍ଜେମା (୫୦ ମିନିଟ୍)ଙ୍କ ଗୋଲ୍ ବଳରେ ରିୟଲ୍ ମାଦ୍ରିଦ୍ ପ୍ରଥମେ ଆଗୁଆ ହୋଇଥିଲେ ମଧ୍ୟ ୪ ମିନିଟ୍ ପରେ ସାଦିଓ ମାନେ (୫୪ ମିନିଟ୍) ଏହାକୁ ବରାବର ସ୍ତରକୁ ନେଇ ଆସିଥିଲେ। କିନ୍ତୁ ପଡ଼ିଆକୁ ଆସିବାର ମାତ୍ର କିଛି କ୍ଷଣ ଭିତରେ ଗ୍ୟାରେଥ୍ ବେଲ୍ (୬୪ ମିନିଟ୍) ଗୋଲ୍ ଦେଇ ଦଳକୁ ୨-୧ରେ ଆଗୁଆ କରାଇଥିଲେ। ବେଲ୍ଙ୍କ ଦ୍ୱିତୀୟ ଗୋଲ୍ (୮୨ ମିନିଟ୍) କିନ୍ତୁ ଚାମ୍ପିଅନସ ଲିଗ୍ ଫାଇନାଲ୍ରୁ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଭିତରେ ରହିବାର ଦାବିଦାର ହୋଇଛି। ଲମ୍ବା ଦୂରତ୍ୱରୁ ମାରିଥିବା ସଟ୍ ପ୍ରତିପକ୍ଷ ଗୋଲ୍ରକ୍ଷକ କାରିୟସଙ୍କୁ ଚକିତ କରି ଦେଇଥିଲା। ଜୁର୍ଗେନ୍ କ୍ଲପ୍ଙ୍କ ଲିଭର୍ପୁଲ୍ ଫାଇନାଲ୍ର ପ୍ରଥମାର୍ଧରେ ମହମ୍ମଦ ସଲାହଙ୍କୁ ଆହତ କାରଣରୁ ହରାଇବା ପରେ ଦୁର୍ବଳ ହୋଇଯାଇଥିଲା। ତାଙ୍କ ବିଦାୟ ପରେ ହିଁ ମାଦ୍ରିିଦ୍ର ସମ୍ଭାବନା ବଢ଼ିଥିଲା। ବିଜୟ ମୁକୁଟ ସହିତ ଜିନେଦିନ ଜିଦାନ୍ ପ୍ରଥମ ପ୍ରଶିକ୍ଷକ ଭାବେ ଲଗାତାର ୩ ବର୍ଷ ଚାମ୍ପିଅନସ୍ ଲିଗ୍ ଜିତିଲେ। ରିୟଲ୍ ମାଦ୍ରିଦ୍ ମଧ୍ୟ ୪୨ ବର୍ଷ ପରେ ପ୍ରଥମ ଦଳ ଭାବେ ହ୍ୟାଟ୍ରିକ୍ ମୁକୁଟ ବିଜେତା ହେଲା। ଶେଷ ଥର ପାଇଁ ୧୯୭୬ରେ ବେୟର୍ନ ମ୍ୟୁନିକ୍ ଏଭଳି କୃତିତ୍ୱ ଅର୍ଜନ କରିଥିଲା। ଦଳ ପାଇଁ ଏହା ବିଗତ ୫ ବର୍ଷରେ ଚତୁର୍ଥ ଏବଂ ମୋଟ ଉପରେ ତ୍ରୟୋଦଶ ଚାମ୍ପିଅନ୍ସ୍ ଲିଗ୍ ବିଜୟ।