ବାରବାଟୀରେ ଗାଇବେ ରହମାନ, ଆସିପାରନ୍ତି ବାହୁବଳୀ ନାୟକ, ଲାଗିବ ଏଲ୍‌ଇଡି ସ୍କ୍ରିନ୍‌

କଟକ: ଆସନ୍ତା ୨୮ ତାରିଖ, ବୁଧବାର ଦିନ କଟକ ଆସିବେ ପ୍ରଖ୍ୟାତ ତଥା ଲୋକପ୍ରିୟ ସଂଗୀତଜ୍ଞ ଏ.ଆର.ରହମାନ। ବାରବାଟୀ ଷ୍ଟାଡିୟମରେ ଏ.ଆର.ରହମାନଙ୍କ ଯାଦୁକରୀ ସଂଗୀତ ଶୁଣିବାର ସୁଯୋଗ ପାଇବେ ଦର୍ଶକ। କେବଳ ଏ.ଆର.ରହମାନ ନୁହନ୍ତି, ଏହି କାର୍ଯ୍ୟକ୍ରମକୁ ମେଗାହିଟ୍ ଚଳଚ୍ଚିତ୍ର ‘ବାହୁବଳୀ’ର ହିରୋ ପ୍ରଭାସ ମଧ୍ୟ ଆସିବାର ଯୋଜନା ରହିଛି। ବିଶ୍ବକପ ହକିର ପ୍ରଥମ ମ୍ୟାଚ୍ ଭୁବନେଶ୍ବରରେ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଉଦଘାଟନ ମ୍ୟାଚ୍‌ ଅବ୍ୟବହିତରେ ହକି ଇଣ୍ଡିଆ ଏବଂ ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଏ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ। ବଡ଼ ଏଲଇଡି ସ୍କ୍ରିନରେ ବାରବାଟୀ ଷ୍ଟାଡିୟମରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବକପ୍ ହକିର ଉଦଘାଟନୀ ମ୍ୟାଚ୍‌ ଦର୍ଶକ ଦେଖିବାର ସୁଯୋଗ ପାଇବା ସହିତ ନୃତ୍ୟ ସଂଗୀତର ଭରପୁର ଆନନ୍ଦ ନେଇ ପାରିବେ। ଏଥିପାଇଁ ଆଜି ପ୍ରଶାସନିକସ୍ତରରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବାରବାଟୀ ଷ୍ଟାଡିୟମରେ ୨୫ ହଜାରରୁ ଅଧିକ ‌ଦର୍ଶକଙ୍କ ପାଇଁ ଏ.ଆର.ରହମନ ନାଇଟ୍ ଉପଭୋଗ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଅନଲାଇନରେ ଟିକେଟ ବିକ୍ରି ବ୍ୟବସ୍ଥା କରାଯିବ। ଟିକେଟ ମୂଲ୍ୟ ଶହେ ଟଙ୍କାରୁ ୫ଶହ ଟଙ୍କା ରହିବ। ଏ ସଂପର୍କିତ ସମସ୍ତ ସବିଶେଷ ସୂଚନା ଦିନେ, ଦୁଇ ଦିନ ଭିତରେ ଆନୁଷ୍ଠାନିକ ଭାବେ ଜାରି କରାଯିବ। ନଭେମ୍ବର ୨୭ ତାରିଖରେ ବିଶ୍ବ କପ୍ ହକିର ଉଦଘାଟନ କାର୍ଯ୍ୟକ୍ରମ ଭୁବନେଶ୍ବରରେ ଅନୁଷ୍ଠିତ ହେଉଥିଲେ ବି ପ୍ରଥମ ମ୍ୟାଚ୍‌ର ସିଧା ପ୍ରସାରଣ ଓ ଅନ୍ୟ ଏକ ଉଦଘାଟନ କାର୍ଯ୍ୟକ୍ରମ ବାରବାଟୀ ଷ୍ଟାଡିୟମରେ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ନେଇ ଏ.ଆର୍ ରହମାନ ଟ୍ବିଟ କରିବା ପରେ ତାଙ୍କ ପ୍ରଶଂସକ ତଥା ସଂଗୀତ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି। ‌‌ କଟକର ଐତିହାସିକ ବାଲିଯାତ୍ରା ୨୩ ତାରିଖରୁ ଆରମ୍ଭ ହେଉଥିବା ବେଳେ ସେହି ସମୟରେ ଏ.ଆର.ରହମାନ ଏବଂ ପ୍ରଭାସଙ୍କ ଭଳି ଲୋକପ୍ରିୟ ତାରକା ବାରବାଟୀ ଷ୍ଟାଡିୟମକୁ ଆସିବା ଘଟଣା କଟକରେ ଉତ୍ସବର ପରିବେଶ ସୃଷ୍ଟି କରିବାକୁ ଯାଉଛି। ବିଶ୍ବକପର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଆରମ୍ଭ ଅର୍ଥାତ୍ ଆସନ୍ତା ୨୮ ତାରିଖରେ ମିଲେନିୟମ୍ ସହର କଟକରେ ସଂଗୀତ ପରିବେଷଣ କରିବେ ବୋଲି ରେହମାନ ଗୁରୁବାର ନିଜେ ଟ୍ବିଟ୍ କରିଥିଲେ। ହକି ବିଶ୍ବକପର ଉତ୍ସବ ପାଳନ ଉପଲକ୍ଷେ ୨୮ ତାରିଖରେ ମୁଁ କଟକରେ ସଂଗୀତ ପରିବେଷଣ କରିବି ବ‌ୋଲି ‌ସେ ଲେଖିଥିଲେ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଧନ୍ୟବାଦ ଦେଇଥିଲେ। ନବୀନ ଲେଖିଥିଲେ ଯେ ହକି ପାଇଁ ଦେଖାଇଥିବା ଭଲ ପାଇବା ପାଇଁ ଅଶେଷ ଧନ୍ୟବାଦ ରେହମାନ ଜୀ, ମିଲେନିୟମ ସହର କଟକର ବାସିନ୍ଦା ସାରା ଦେଶ ଅପେକ୍ଷା କରି ରହିଥିବା ହକି ବିଶ୍ବକପ୍ ସଂଗୀତର ଝଲକ ଦେଖିବାକୁ ପାଇବେ। ରେହମାନ ସଂଗୀତ ପରିବେଷଣ କରିବେ ବୋଲି ଜଣାପଡ଼ିବା ପରେ ତାଙ୍କୁ ନେଇ କଟକରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ନେଇ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ହକି ଇଣ୍ଡିଆକୁ କୃତଜ୍ଞତା ଜଣାଇଛନ୍ତି। ବିଶ୍ବକପ୍‌ ହକିର ଅନ୍ୟ ଏକ ଉଦଘାଟନୀ କାର୍ଯ୍ୟକ୍ରମ କଟକରେ ହେବା ସହରବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।

ସମ୍ବନ୍ଧିତ ଖବର