ବିରାମ ଦେଇଛି ଆତ୍ମବିଶ୍ବାସ, ଭିଭିଏସ୍ ଲକ୍ଷ୍ମଣ

ମୋହାଲିରେ କିଙ୍ଗସ ଇଲେଭେନ୍ ପଞ୍ଜାବ ନିକଟରୁ ସନ୍‌ରାଇଜର୍ସ ହାଇଦ୍ରାବାଦର ପରାଜୟକୁ ୫ ଦିନ ବିତିଲାଣି। ଏହା ଥିଲା ଆମ ଲଗାତାର ଦ୍ବିତୀୟ ପରାଜୟ। କଡ଼ା ଟକ୍କର ମଧ୍ୟରେ ଖେଳାଯାଇଥିବା ଏହି ମୁକାବିଲାର ପରାଜୟ ପାର୍ଶ୍ବରେ ରହିବା ନିଶ୍ଚିତ ନିରାଶାଜନକ ଥିଲା। ମ୍ୟାଚ୍‌ ପୂର୍ବରୁ ହୋଇଥିବା ବର୍ଷା କାରଣରୁ ପିଚ୍‌ରେ ଆଦ୍ରତା ଥିଲା‌। ଏହି କାରଣରୁ ପ୍ରଥମେ ବ୍ୟାଟିଂ କରିବା ସହଜ ନ ଥିଲା। ଡେଭିଡ୍ ୱାର୍ନର ତାଙ୍କ ସ୍ବାଭାବିକ ଖେଳ ଖେଳି ପାରିନଥିଲେ। ତଥାପି ଆମେ ଶେଷ ୧୦ ଓଭରରେ ୧୦୦ ରନ୍ ଯୋଡ଼ି ବୋର୍ଡରେ ୧୫୦ ରନ୍ ଛିଡ଼ା କରିଥିଲୁ। ଏହା ସତ୍ତ୍ବେ ସବୁବେଳେ ଅନୁଭବ କରିଥିଲୁ ୨୦ ରନ୍ କମ୍ ହୋଇଗଲା।
ଲୋକେଶ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ପଶ୍ଚାତଧାବନ‌ ବେଳେ ଭଲ କରିଥିଲେ। କିଙ୍ଗସ ଇଲେଭେନ୍‌ ପଞ୍ଜାବ ସହଜ ବିଜୟ ଆଡକୁ ଯାଉଥିଲା। କିନ୍ତୁ ଆମ ବୋଲର ଲୟକୁ ଆସିଯିବା ପରେ ମ୍ୟାଚ୍‌ ରୋମାଞ୍ଚକ ହୋଇପାରିଥିଲା ଏବଂ ମାତ୍ର ଗୋଟିଏ ବଲ୍ ପୂର୍ବରୁ ଦଳ ହାରିଥିଲା। ଫଳାଫଳ ଆମ ସପକ୍ଷରେ ଯାଇନଥିଲା, କିନ୍ତୁ ପିଲାମାନେ ଯେଭଳି ଲଢ଼ିଥିଲେ ତାହା ଆନନ୍ଦର ବିଷୟ ଥିଲା। ବିଗତ ୫ ଦିନର ବିରାମ ଆମ ପାଇଁ ସୁଯୋଗ ଭଳି ହୋଇଛି। କ୍ରିକେଟଠାରୁ ୩ ଦିନ ଦୂରରେ ରହିଥିଲୁ। ଦଳୀୟ ବଂଧନ ବଢ଼ାଇବା ଲାଗି କିଛି ରାତ୍ରୀଭୋଜନ, ଗୋଷ୍ଠୀଗତ କାର୍ଯ୍ୟକ୍ରମ ଏବଂ ମଜାଦାର ପରିବେଶରେ ସମୟ କାଟିଛୁ। ଶେଷ ଦୁଇ ଦିନ କ୍ରିକେଟ୍‌ ଅଭ୍ୟାସରେ ବିତାଇଛୁ। ଏହି ବିରାମ ମଧ୍ୟ ଖେଳାଳିଙ୍କୁ ଆତ୍ମସମୀକ୍ଷାର ଅବକାଶ ‌ଦେଇଥିଲା। ଏବେ ପଡ଼ିଆକୁ ଫେରିବାକୁ ବ୍ୟଗ୍ର। ପ୍ରତିଯୋଗିତା ପ୍ରଥମାର୍ଧ ଅତିକ୍ରମ କରିଛି। ଆସନ୍ତା ସପ୍ତାହରେ ତିନିଟି ଘରୋଇ ମ୍ୟାଚ୍‌ ଥିବାରୁ ବିଜୟ ଧାରାକୁ ଫେରିବା ଆଶା ରଖିଛୁ। ଫଳରେ ଲିଗ୍‌ର ଶେଷ ଭାଗରେ ପଏଣ୍ଟ୍‌କୁ ନେଇ ଆମ ଉପରେ ଚାପ ରହିବ ନାହିଁ। ସମାନ ସମୟରେ ଅନ୍ୟ ଦଳର ଆକଳନ ମଧ୍ୟ କରିବାକୁ ସୁଯୋଗ ମିଳିବ। ରବିବାରର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମୁକାବିଲା ଭଲ ରହିଲେ ଏହି ଅଭିଯାନରେ ଆତ୍ମବିଶ୍ବାସ ଲାଗିଯିବ।

ସମ୍ବନ୍ଧିତ ଖବର