ବାଂଲାଦେଶ ଶୃଙ୍ଖଳାରେ ପନ୍ତଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଆସନ୍ତା ମାସରେ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଘରୋଇ ଶୃଙ୍ଖଳା (ଟ୍ବେଣ୍ଟି-୨୦, ଟେଷ୍ଟ୍‌) ଲାଗି ଗୁରୁବାର ଭାରତୀୟ ଦଳ ଘୋଷଣା ହେବ। ଏମ୍‌ଏସ୍‌କେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ମୁମ୍ବାଇରେ ଚୟନକର୍ତାଙ୍କ ‌ବୈଠକ ଅନୁଷ୍ଠିତ ହେବ। ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଂଲାଦେଶର ଏହି ଗସ୍ତ ଆରମ୍ଭ ହେବାକୁ ଥିଲା ବେଳେ ଭାରତୀୟ ଅଧିନାୟକ ବିରାଟ ‌କୋହଲି ବିଶ୍ରାମ ନେବା ଲାଗି ଓହରି ଯାଇଛନ୍ତି। ସଂପ୍ରତି ମହେନ୍ଦ୍ର ସିଂହ ଧୋନି ମଧ୍ୟ କିଛି ଦିନ ଲାଗି ଦଳରୁ ଦୂରେଇ ରହିଛନ୍ତି। ଫଳରେ ୱିକେଟ୍‌ରକ୍ଷକ ଭାବେ ପୁଣି ଥରେ ଋଷବ ପନ୍ତ୍‌ଙ୍କୁ ସୁଯୋଗ ଦେବାକୁ ଚୟନକର୍ତା ଚିନ୍ତା କରିଥିବା ଜଣାପଡ଼ିଛି। ହେଲେ ସଂଜୁ ସାମସନ୍‌ ଘରୋଇ ପ୍ରତିଯୋଗିତାରେ ‌ଭଲ ପ୍ରଦର୍ଶନ କରୁଥିବାରୁ ସେ ପନ୍ତଙ୍କ ବାଟ ଓଗାଳିପାରନ୍ତି। କିନ୍ତୁ ଏବର ଚୟନସମିତି ଧୋନିଙ୍କ ବିକଳ୍ପ ଭାବେ ପନ୍ତ୍‌ଙ୍କ ନାମ ଉପରେ ମୋହର ମାରିସାରିଛନ୍ତି। ଏଥିପାଇଁ ପନ୍ତ୍‌ଙ୍କୁ ଅଧିକ ସୁଯୋଗ ଦେବାଲାଗି ଶୃଙ୍ଖଳାରେ ସ୍ଥାନ ଦେଇପାରନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରେ ୱିକେଟ୍‌ରକ୍ଷକ ପ୍ରଦର୍ଶନ ଆଧାରରେ ପନ୍ତ୍‌ଙ୍କୁ ଖେଳିବାର ସୁଯୋଗ ମିଳିନଥିଲା ବେଳେ ରିଦ୍ଧିମାନ ସାହ ସ୍ଥାନ ପାଇଥିଲେ। ଆହତ ରିଦ୍ଧିମାନ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ସୁସ୍ଥ ହେବାର ସମ୍ଭାବନା ଥିବାରୁ ‌ସେ ନିଜ ସ୍ଥାନ ବଜାୟ ରଖିପାରନ୍ତି। ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଆହତ ଥିବାରୁ ତାଙ୍କ ବଦଳରେ ଚୟନସମିତି ମୁମ୍ବାଇ ଅଲ୍‌ରାଉଣ୍ଡର ଶୁଭମ ଦୁବେଙ୍କୁ ସ୍ଥାନ ଦେଇପାରନ୍ତି। ସେହିଭଳି ପିଠି ଯନ୍ତ୍ରଣା ଯୋଗୁଁ ଦଳଠୁ ଦୂରରେ ଥିବା ଯଶ୍‌ପ୍ରୀତ ବୁମ୍‌ରାଙ୍କୁ ଟେଷ୍ଟ୍‌ ଶୃଙ୍ଖଳା ଲାଗି ସ୍ଥାନ ମିଳିପାରେ। ମହମ୍ମଦ ସାମି, ଉମେଶ ଯାଦବ ଘରୋଇ ପରିବେଶରେ ଭଲ କରିବା ସହ ଇଶାନ୍ତ ଶର୍ମା ଓ ନବଦୀପ ସାଇନି ମଧ୍ୟ ସହଯୋଗ କରୁଛନ୍ତି। ଏଥିପାଇଁ ଚୟନସମିତି ଅଧିକ ରିକ୍ସ ନ ନେଇ ବୁମ୍‌ରାଙ୍କୁ ବାଦ୍‌ ଦେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର