ଫାଇନାଲ୍‌ରେ ରାଇଜିଂ ଷ୍ଟୁଡେଣ୍ଟ୍‌

କୁଶ ପଟ୍ଟନାୟକ ସ୍ମାରକୀ କ୍ରିକେଟ୍‌

ଭୁବନେଶ୍ୱର: ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌ ଆନୁକୂଲ୍ୟରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଚାଲିଥିବା କୁଶ ପଟ୍ଟନାୟକ ସ୍ମାରକୀ ଏନ୍‌ଏମ୍‌ ଭୂୟାଁ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରଥମ ଦଳ ଭାବେ କଟକର ରାଇଜିଂ ଷ୍ଟୁଡେଣ୍ଟ୍‌ ପହଞ୍ଚିଯାଇଛି। ବୁଧବାର ପ୍ରଥମ ସେମିଫାଇନାଲ୍‌ରେ ଏହି ଦଳ ୨ ଓ୍ଵିକେଟ୍‌ରେ ପୁରୁଣା ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂକୁ ପରାସ୍ତ କରିଦେଇଛି। ତେବେ ରାମେଶ୍ୱରର ଲକ୍ଷ୍ୟହୀନ ବୋଲିଂ ଶେଷରେ ଅଧିନାୟକ ବିଶ୍ୱଜିତ୍‌ ଭୂୟାଁ (୭୮) ଓ ପ୍ରିୟବ୍ରତ ପ୍ରଧାନ (୭୦)ଙ୍କ ଅର୍ଧଶତକକୁ ଫିକା କରିଦେଇଥିଲା। ରାମେଶ୍ୱର ବୋଲରମାନେ ମିଳିତ ଭାବେ ୩୧ ଅତିରିକ୍ତ ରନ୍‌ ବ୍ୟୟ କରିବାରୁ ଦଳ ପରାଜୟ ପାଇଁ ବାଧ୍ୟ ହୋଇଥିଲା। ଟସ୍‌ ଜିତି ରାମେଶ୍ୱର ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରିଥିଲା। ଉଭୟ ଦଳରେ ଅଧିକାଂଶ ରଣଜୀ ଖେଳାଳି ସାମିଲ ଥିଲେ। ସେଥିପାଇଁ ଏକ ଭଲ ମ୍ୟାଚ୍‌ ଦେଖିବାକୁ ମିଳିବ ବୋଲି ଦର୍ଶକ ଭାବି ନେଇଥିଲେ। ରାମେଶ୍ୱର ମଧ୍ୟ ଦର୍ଶକଙ୍କୁ ନିରାଶ କରିନଥିଲା। ଲାଲୁ ମହାନ୍ତି ୪୦ ବଲ୍‌ରୁ ୩୮, ଅଧିନାୟକ ବିଶ୍ୱଜିତ୍‌ ଭୂୟାଁ ୯୯ ବଲ୍‌ରୁ ୭୮ ଏବଂ ପ୍ରିୟବ୍ରତ ପ୍ରଧାନ ୫୫ ବଲ୍‌ରୁ ୭୦ ରନ୍‌ କରି ଦଳୀୟ ସ୍କୋର୍‌ ୩୫ ଓଭରରେ ୬ ଓ୍ଵିକେଟ୍‌ ବିନିମୟରେ ୨୧୮ରେ ପହଞ୍ଚାଇଥିଲେ। ବିଶ୍ୱଜିତ୍‌ ଓ ପ୍ରିୟବ୍ରତ ଚତୁର୍ଥ ଓ୍ଵିକେଟ୍‌ରେ ୧୨୭ ରନ୍‌ ଯୋଡ଼ି ଦଳକୁ ଭଲ ସ୍ଥିତି ଦେଇଥିଲେ। ରାଇଜିଂ ଷ୍ଟୁଡେଣ୍ଟ୍‌ ପକ୍ଷରୁ ତାରାକାନ୍ତ ସାମଲ ଓ ଧୀରାଜ ସିଂହ ୨ ଲେଖାଏଁ, ଆଲୋକ ସାହୁ ଓ ଅଭିଜିତ୍‌ ଘାନା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ରାଇଜିଂ ଷ୍ଟୁଡେଣ୍ଟ୍‌ ବୋଲରମାନେ ମଧ୍ୟ ଅତିରିକ୍ତ ଭାବେ ୨୧ ରନ୍‌ ବ୍ୟୟ କରିଥିଲେ। ଜବାବରେ ଗୋଟିଏ ବି ଅର୍ଧଶତକ ହାସଲ କରିପାରିନଥିବା ରାଇଜିଂ ଷ୍ଟୁଡେଣ୍ଟ୍‌ ୩୨.୩ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। ଅବଶ୍ୟ ରାମେଶ୍ୱର ବୋଲର ଚମତ୍କାର ବୋଲିଂ କରି ପ୍ରତିପକ୍ଷର ୮ ଓ୍ଵିକେଟ୍‌ ଖସାଇ ଦେଇଥିଲେ। ରାକେଶ ଶର୍ମା, ବିଶ୍ୱଜିତ୍‌ ମଲ୍ଲିକ ଓ ମୁଲ୍‌ଶଙ୍କର ୨ ଲେଖାଏଁ, ସୁବ୍ରତ ବେହେରା ଓ ଲାଲୁ ମହାନ୍ତି ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ତେବେ ରାଜେଶ ଧୂପର (୧୪), ଶେଷଦୀପ୍‌ ପାତ୍ର (୩୩), ପ୍ରତୀକ୍‌ ଅନୁରାଗ ଦାସ (୩୪), ଓ୍ଵିକେଟ୍‌ ରକ୍ଷକ ପି ରୋସନ୍‌ ରାଓ (୨୫), ଦେବପ୍ରିୟ ପ୍ରଧାନ (୯ ବଲ୍‌ରୁ ୨୩), ତାରାକାନ୍ତ ସାମଲ (୧୯ ବଲ୍‌ରୁ ୨୮*) ଏବଂ ଧୀରାଜ ସିଂହ (୧୩*)ଙ୍କ ସ୍ୱଳ୍ପ ତଥା ମୂଲ୍ୟବାନ ପାଳି ହିଁ ରାଇଜିଂ ଷ୍ଟୁଡେଣ୍ଟ୍‌କୁ ବିଜୟ ଭେଟି ଦେଇଥିଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ତାରାକାନ୍ତ ସାମଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କୁ ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌ର ପୂର୍ବତନ ଖେଳାଳି ସଞ୍ଜୀବ ହଂସ୍‌ ଓ ପ୍ରଦୋଶ ମହାନ୍ତି ପୁରସ୍କୃତ କରିଥିଲେ। ପବିତ୍ର ପ୍ରଧାନ ଓ ପ୍ରମୋଦ ନାରାୟଣ ଦାସ ମ୍ୟାଚ୍‌ ପରିଚାଳନା କରିଥିଲେ। ଗୁରୁବାର କଟକର ସୋଲାର ଏବଂ ଭୁବନେଶ୍ୱରର ସହିଦ ସ୍ପୋର୍ଟିଂ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍‌ ଖେଳାଯିବ। ଏହାପରେ ରବିବାର ଫାଇନାଲ୍‌ ପୂର୍ବରୁ ଶନିବାର କିଟ୍‌ ବିଶ୍ୱବିଦ୍ୟାଳୟ ଏକାଦଶ ଓ ଅବଶିଷ୍ଟ ଓଡ଼ିଶା ମଧ୍ୟରେ ଏକ ପ୍ରଦର୍ଶନୀ ମହିଳା ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର