ରାମେଶ୍ବର କପ୍‌ ସେମିରେ ରାଇଜିଂ ଷ୍ଟୁଡେଣ୍ଟ୍‌

ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ବିଏମ୍ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ରାମେଶ୍ବର କପ୍‌ କନିଷ୍ଠ (୧୯ ବର୍ଷରୁ କମ୍‌) କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍‌ରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍‌ ପ୍ରଥମ ଦଳ ଭାବେ ସ୍ଥାନ ପକ୍କା କରିନେଇଛି। ବୁଧବାର ପ୍ରଥମ କ୍ବାର୍ଟର ଫାଇନାଲରେ ରାଇଜିଂ ଷ୍ଟୁଡେଣ୍ଟ୍‌ ୩ ୱିକେଟ୍‌ରେ ଭୁବନେଶ୍ବରର ପ୍ରଗତି ସ୍ପୋର୍ଟିଂକୁ ପରାସ୍ତ କରିଦେଇଛି।
ଟସ୍‌ ହାରି ବ୍ୟାଟିଂ ପାଇଥିବା ପ୍ରଗତି ରଘୁନାଥ ମଲ୍ଲଙ୍କ ୪୪ ରନ୍‌ ସତ୍ତ୍ବେ ୩୩.୪ ଓଭରରେ ୧୨୯ ରନ୍‌ରେ ସମସ୍ତ ୱି‌କେଟ୍‌ ହରାଇଥିଲା। ରାଇଜିଂ ପକ୍ଷରୁ ନୀତିଶ ନିରଞ୍ଜନ ସାମନ୍ତରାୟ ୪/୨୫ ଓ ସାଇ ପ୍ରସାଦ ଆଚାର୍ଯ୍ୟ ୩/୧୬ର ବୋଲିଂ ଚିତ୍ର ପାଇଥିଲେ। ଜବାବରେ ଏମ୍‌ ପ୍ରଶାନ୍ତଙ୍କ ଅପରାଜିତ ୪୬ ରନ୍‌ ବଳରେ ରାଇଜିଂ ୨୯.୪ ଓଭରରେ ୭ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ୧୩୦ରେ ପହଞ୍ଚି ଯାଇଥିଲା। ରଘୁନାଥ ମଲ୍ଲ ପ୍ରଗତିର ସଫଳ ବୋଲର ଭାବେ ୨୦ ରନ୍‌ରେ ୩ ୱିକେଟ୍‌ ପାଇଥିଲେ। ଏମ୍‌ ପ୍ରଶାନ୍ତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ତନ୍ମୟ ମହାନ୍ତି (ରାମେଶ୍ବର କ୍ଲବ୍‌ ସଦସ୍ୟ)ଙ୍କଠୁ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଶରତ ସାହୁ ଉତ୍ସବରେ ଉପସ୍ଥିତ ଥିଲେ। ଆଲୋକ ଦାସ ଓ ପରେଶ ପଟେଲ ମ୍ୟାଚ୍‌ ପରିଚାଳନା କରିଥିଲେ। ଗୁରୁବାର ଦୁଇ କଟକ ଦଳ ଜୁଭେନାଇଲ୍‌ ଓ ନିମପୁର ସ୍ପୋର୍ଟିଂ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର