ଋତୁପର୍ଣ୍ଣା-ମିଥୁଳା ଦେଶର ଉଦିତ ଯୋଡ଼ି

ଭୁବନେଶ୍ୱର: ଓଡ଼ିଶାର ପ୍ରତିଭାସମ୍ପନ୍ନ ବ୍ୟାଡ୍‌ମିଣ୍ଟନ୍‌ ତାରକା ଋତୁପର୍ଣ୍ଣା ପଣ୍ଡା ଏବଂ ତାଙ୍କ ଯୁଗଳ ସାଥୀ ୟୁକେ ମିଥୁଳା ଦେଶର ସବୁଠୁ ସଫଳ ଉଦୀୟମାନ ଯୋଡ଼ି ବିବେଚିତ ହେଉଛନ୍ତି। ଗତ ଜାତୀୟ ପ୍ରତିଯୋଗିତାରେ ୧୨ ବର୍ଷୀୟ ସାନ ଭଉଣୀ ଶ୍ୱେତପର୍ଣ୍ଣାଙ୍କୁ ନେଇ ମହିଳା ଯୁଗଳ ଖେଳିଥିବା ଋତୁପର୍ଣ୍ଣାଙ୍କ ପାଇଁ କିନ୍ତୁ ଦୁନିଆ ବଦଳିଯାଇଛି ବର୍ଷ ଶେଷ ଆଡ଼କୁ। ପାଟନା ଜାତୀୟ ପ୍ରତିଯୋଗିତାରେ ସେ ଯେଉଁମାନଙ୍କଠାରୁ ହାରିଥିଲେ ଏବେ ସେମାନଙ୍କୁ ନାଗପୁର ଜାତୀୟ ପ୍ରତିଯୋଗିତାରେ ହରାଇ ସେମିଫାଇନାଲ୍‌ରେ ପହଞ୍ଚିବା ପରେ ଚର୍ଚାକୁ ଆସିଛନ୍ତି। ୭ ମାସ ଭିତରେ ତାଙ୍କ ଭାଗ୍ୟରେ ବଡ଼ ପରିବର୍ତନ ହୋଇଛି। ଏହା ସମ୍ଭବ ହୋଇଛି ଗୋପୀଚାନ୍ଦ ଏକାଡେମିରେ ସାମିଲ ହେବା ଏବଂ ନିଜ ସଙ୍କଳ୍ପବଦ୍ଧତା କାରଣରୁ। ପାଟଣାରେ ପ୍ରଶିକ୍ଷକ ଅରୁଣ ବିଷ୍ଣୁଙ୍କ ନଜରରେ ପଡ଼ିବା ପରେ ସେ ଋତୁପର୍ଣ୍ଣାଙ୍କୁ ଗୋପୀଚାନ୍ଦ ଏକାଡେମିରେ ସାମିଲ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। କିନ୍ତୁ ଋତୁପର୍ଣ୍ଣା ହାଇଦ୍ରାବାଦରେ ଗୋପୀଚାନ୍ଦ ଏକାଡେମୀରେ ସାମିଲ ହେବା ପର୍ଯ୍ୟନ୍ତ ବ୍ୟବସ୍ଥିତ ପ୍ରଶିକ୍ଷଣ ନେଇ ପାରୁନଥିଲେ।

କଟକରେ ରହୁଥିବାରୁ ବାପା ରାମଚନ୍ଦ୍ର ତାଙ୍କୁ ମୋଟର ସାଇକେଲରେ ଭୁବନେଶ୍ୱର ଆଣୁଥିଲେ। ମନୋଜ ସାବତଙ୍କଠାରୁ ପ୍ରଶିକ୍ଷଣ ନେଉଥିଲେ। କିନ୍ତୁ ଦରିଦ୍ର ପରିବାରରୁ ଆସିଥିବାରୁ ଦୈନିକ ଏହା ସମ୍ଭବ ହେଉନଥିଲା। ପାଟଣା ପ୍ରଦର୍ଶନ କିନ୍ତୁ ତାଙ୍କ ଖେଳ ଜୀବନରେ ବଡ଼ ମୋଡ଼ ଦେଇଛି। ଏବେ ସେ ଏକକ ଛାଡ଼ି ଯୁଗଳ ବର୍ଗ ଉପରେ ଏକାଗ୍ର ରହିଛନ୍ତି। ଅନ୍ୟପକ୍ଷରେ ମିଥୁଳା ବାଙ୍ଗାଲୋର୍‌ସ୍ଥିତ ପ୍ରକାଶ ପାଦୁକୋନ୍‌ ଏକାଡେମିରୁ ଆସି ଗୋପୀଚାନ୍ଦ ଏକାଡେମିରେ ସାମିଲ ହେବା ପରେ ସୁଯୋଗ ବଶତଃ ଯୋଡ଼ି ହୋଇଛନ୍ତି। ପ୍ରଶିକ୍ଷଣ ଦଳ ଉଭୟଙ୍କୁ ଯୁଗଳରେ ଖେଳାଇବା ନିଷ୍ପତ୍ତି ଏବେ ସୁଫଳ ଦେବାରେ ଲାଗିଛି। ମିଥୁଳା କନିଷ୍ଠ ବର୍ଗରେ ମଧ୍ୟ ଢ଼େର ପ୍ରଭାବୀ ପ୍ରଦର୍ଶନ କରିଥିଲେ। ୧୭ ବର୍ଷୀୟା ମିଥୁଳା ଏବଂ ୧୮ ବର୍ଷୀୟା ଋତୁପର୍ଣ୍ଣାଙ୍କ ମଧ୍ୟରେ ଭଲ ତାଳମେଳ ଓ ବୁଝାମଣା ରହୁଛି। ମିଥୁଳା

ଅତି ଶାନ୍ତ ଓ ଜଗିରଖି ମତ ରଖୁଥିବାବେଳେ ଋତୁପର୍ଣ୍ଣା ଚୁଲବୁଲି ହେଲେ ବି କୋର୍ଟରେ ଚାପ ପରିସ୍ଥିତିକୁ ଭଲରେ ହାତେଇଥାନ୍ତି। ଋତୁପର୍ଣ୍ଣାଙ୍କ ଶକ୍ତି ତାଙ୍କୁ ଆଗୁଆ କରିଛି। ପ୍ରଶିକ୍ଷକଙ୍କ ହିସାବରେ ସବୁକିଛି ଶିଖିବାକୁ ବ୍ୟଗ୍ରତା ରଖନ୍ତି ଋତୁପର୍ଣ୍ଣା, ସେଥିପାଇଁ ସେ ଅଗ୍ରଗତି କରୁଛନ୍ତି ବୋଲି କୁହନ୍ତି ପ୍ରଶିକ୍ଷକ ତୃପ୍ତି ମୁରୁଗୁଣ୍ଡେ। ଏସୀୟ ୧୯ ବର୍ଷରୁ କମ୍‌ରେ ପଦାର୍ପଣ କରିବାବେଳେ ତୃପ୍ତି ପ୍ରଶିକ୍ଷକ ଥିଲେ। ମାତ୍ର ଗୋଟିଏ ଜାତୀୟ ମାନ୍ୟତା ପ୍ରତିଯୋଗିତାରେ ଏକାଠି ଖେଳିଥିବାରୁ ଏସୀୟ ଚୟନ ସମ୍ଭବତଃ ମିଥୁଳାଙ୍କ ଲାଗି ହୋଇଥିଲା। କିନ୍ତୁ ତିନି ତିନୋଟିରେ ଏକାଠି ଖେଳିବା ପରେ ଏବେ ଉଭୟଙ୍କୁ ନିଜ ନିଜ ଦକ୍ଷତା ବଳରେ ୧୯ ବର୍ଷରୁ କମ୍‌ ବିଶ୍ୱ ଦଳରେ ସାମିଲ କରାଯାଇଛି। ଉଭୟ ଅନ୍ତର୍ଜାତୀୟ ସ୍ତରରେ ବି ସଫଳ ହେବେ ବୋଲି ଆଶା ରଖିଛନ୍ତି ପ୍ରଶିକ୍ଷକମାନେ।

ସମ୍ବନ୍ଧିତ ଖବର