ବେଙ୍ଗାଲୁରୁ: ଆଇପିଏଲ୍ ଦ୍ବାଦଶ ସଂସ୍କରଣର ସପ୍ତମ ମ୍ୟାଚ୍ରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ରୋମାଞ୍ଚକ ଭାବେ ୬ ରନ୍ରେ ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ ଦ୍ବିତୀୟ ମ୍ୟାଚ୍ରୁ ପ୍ରଥମ ବିଜୟ ପାଇଛି। କୋହଲି ନିଜର ପ୍ରଥମ ଦୁଇ ମ୍ୟାଚ୍ ହାରି ଚାପରେ ପଡ଼ିଛନ୍ତି। ଗୁରୁବାର ବିନା ଅର୍ଧଶତକରେ ମୁମ୍ବାଇ ଇଣ୍ଡିଆନ୍ସ ୧୮୭ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା। ଜବାବରେ ଏବି ଡି’ଭିଲିୟର୍ସ (୭୦*, ୪୧ ବଲ, ୪ ଚୌକା, ୬ ଛକା) ବିସ୍ଫୋରକ ପାଳି ସତ୍ତ୍ବେ ଘରୋଇ ଦଳ ୧୮୧/୫ରେ ସୀମିତ ରହିଥିଲା। ଚମତ୍କାର ବୋଲିଂ କରିଥିବା ଯଶପ୍ରୀତ୍ ବୁମରା (୪-୦-୨୦-୩) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲା ମୁମ୍ବାଇ। ଅଧିନାୟକ ରୋହିତ ଶର୍ମା (୪୮*, ୩୩ ବଲ, ୮ ଚୌକା, ୧ ଛକା) ଏବଂ କ୍ବିଣ୍ଟନ୍ ଡି’କକ୍ (୨୩, ୨୦ ବଲ, ୨ ଚୌକା, ୧ ଛକା) ପ୍ରଥମ ୱିକେଟ୍ ଲାଗି ୫୪ ରନ୍ ଉଠାଇଥିଲେ। ଡି’କକ୍ଙ୍କୁ ବୋଲଡ୍ କରି ୟୁଜବେନ୍ଦ୍ର ଚହଲ ଏହି ଭାଗୀଦାରି ଅଲଗା କରିଥିଲେ। ଏହା ପରେ ଉମେଶ ଯାଦବଙ୍କ ବଲରେ ରୋହିତ ଶର୍ମା ଆଉଟ୍ ହୋଇଥିଲେ। ଗୁରୁବାର କିନ୍ତୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ଦର୍ଶକ ଦେଖିଲେ ଯୁବରାଜ ସିଂହଙ୍କ ଜଲୱା। ମାତ୍ର ୮ ବଲରୁ ୫ ରନ୍ କରିଥିବା ଯୁବରାଜ ୧୪ତମ ଓଭର ବୋଲିଂ କରିଥିବା ଚହଲଙ୍କ ପ୍ରଥମ ୩ ବଲ୍କୁ ଛକା ମାରିଥିଲେ। ପ୍ରଥମଟି ଡିପ୍ ସ୍କୋୟାର ଲେଗ୍ ଉପରେ, ଦ୍ବିତୀୟଟି ବୋଲରଙ୍କ ମୁଣ୍ଡ ଉପରେ ଏବଂ ତୃତୀୟଟି ଲଙ୍ଗ ଅନ୍ ଉପରେ ଖେଳିଥିଲେ। କିନ୍ତୁ ଚତୁର୍ଥ ବଲ୍କୁ ଲଙ୍ଗ ଅଫ ଉପରେ ଖେଳିବାକୁ ଯାଇ ମହମ୍ମଦ ସିରାଜଙ୍କ ହାତରେ ଧରାପଡ଼ିଯାଇଥିଲେ। ଫଳରେ ୧୨ ବଲ୍ରୁ ୨୩ ରନ୍ କରି ବିଦାୟ ନେଇଥିଲେ। ଏଥି ସହିତ ଚହଲ ମଧ୍ୟ ହ୍ୟାଟ୍ରିକ୍ ଛକାର ମଧୁର ପ୍ରତିଶୋଧ ନେଇଯାଇଥିଲେ। ନିଜର ପରବର୍ତୀ ଓଭରରେ ଚହଲ ସୂର୍ଯ୍ୟକୁମାର ଯାଦବ (୩୮, ୨୪ ବଲ, ୪ ଚୌକା, ୧ ଛକା) ଏବଂ ବିପଜ୍ଜନକ କିରଣ ପୋଲାର୍ଡ (୫)ଙ୍କ ରୂପରେ ଦୁଇଟି ଶିକାର କରିଥିଲେ। ନିଜର ଶେଷ ଓଭରରେ କୃନାଲ ପାଣ୍ଡ୍ୟା (୧)ଙ୍କୁ ଚତୁର୍ଥ ଶିକାର କରିବାରୁ ୪-୦-୩୮-୪ ବୋଲିଂ ଚିତ୍ର ପାଇଥିଲେ। ଚହଲଙ୍କ ଚମକ ପରେ ମୁମ୍ବାଇର ରନ୍ ହାର କମିଯାଇଥିଲା। କିନ୍ତୁ ଚର୍ଚିତ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା (୩୨*, ୧୪ ବଲ, ୨ ଚୌକା, ୩ ଛକା) ବିସ୍ଫୋରକ ପାଳି ଖେଳିବାରୁ ମୁମ୍ବାଇ ଶେଷ ୧୬ ବଲରୁ ୩୭ ରନ୍ ଯୋଡ଼ି ଲଢ଼ୁଆ ସ୍କୋର୍ କରି ନେଇଥିଲା।
ଜବାବରେ ପାର୍ଥିବ ପଟେଲ୍ ଏବଂ ମୋଇନ୍ ଅଲୀ ଭଲ ଆରମ୍ଭ କରିଥିଲେ। ମୋଇନଙ୍କ ରନ୍ ଆଉଟ୍ ପରେ ବିରାଟ କୋହଲି (୪୬, ୩୨ ବଲ, ୬ ଚୌକା) ବଢ଼ିଆ ବ୍ୟାଟିଂ ବି କରିଥିଲେ। କିନ୍ତୁ ବ୍ୟକ୍ତିଗତ ଲଢ଼େଇରେ ତାଙ୍କ ଟିମ୍ ଇଣ୍ଡିଆ ମୁଖ୍ୟ ଅସ୍ତ୍ର ବୁମରାଙ୍କ ଶିକାର ହୋଇ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ବୁମରାଙ୍କ ସର୍ଟ ବଲ୍କୁ ପୁଲ୍ ଖେଳିବାକୁ ଯାଇ ମିଡ୍ୱିକେଟ୍ ଅଞ୍ଚଳରେ ହାର୍ଦିକ ପାଣ୍ଡ୍ୟାଙ୍କ ହାତରେ ଧରାପଡ଼ିଥିଲେ କୋହଲି। ଏହି ସମୟରେ ଆସିଥିବା ଏବି ଡି’ଭିଲିୟର୍ସ ଖାତା ଖୋଲିବା ପୂର୍ବରୁ ଜୀବନଦାନ ପାଇଥିଲେ। ମୟଙ୍କ ମାର୍କଣ୍ଡଙ୍କ ବୋଲିଂରେ ସ୍ଲିପ୍ରେ ଯୁବରାଜ ସିଂହ କ୍ୟାଚ୍ ହାତଛଡ଼ା କରିଦେଇଥିଲେ। ଏଥିରୁ ଫାଇଦା ଉଠାଇଥିବା ଏବିଡି ମନ୍ଥର ଖେଳି ୧୪ ବଲରୁ ୧୪ ରନ୍ କରିଥିଲେ। ସେ ବିସ୍ଫୋରକ ରୂପ ଆପଣାଇ ୩୧ ବଲରୁ ଅର୍ଧଶତକ ହାସଲ କରି ନେଇଥିଲେ। ଲସିଥ୍ ମାଲିଙ୍ଗାଙ୍କୁ ଲଗାତାର ଛକା ମାରି ନିଜ ୪,୦୦୦ ଆଇପିଏଲ୍ ରନ୍ ମାଇଲଖୁଣ୍ଟ୍ ଅତିକ୍ରମ କରିଥିଲେ। କିନ୍ତୁ ଦଳକୁ ବିଜୟ ଦେଇପାରିନଥିଲେ। ବୁମରା ଏବଂ ମାଲିଙ୍ଗାଙ୍କ ଆଗରେ ହାର ମାନିଥିଲେ। ଶେଷ ଓଭରରୁ ୧୭ ରନ୍ ଆବଶ୍ୟକ କରୁଥିବା ବାଙ୍ଗାଲୋର୍ ପାଇଁ ଶିଭମ ଦୁବେ ମାଲିଙ୍ଗାଙ୍କ ପ୍ରଥମ ବଲ୍କୁ ଛକା ମାରିଥିଲେ ମଧ୍ୟ ପରବର୍ତୀ ୪ ବଲ୍ରୁ ୧ ରନ୍ ଲେଖାଏଁ ମିଳିଥିଲା। ଶେଷ ବଲ୍କୁ ଛକା ମାରି ଟାଇ କରିବାର ସମ୍ଭାବନାକୁ ଦୁବେ ଅର୍ଜନ କରିପାରିନଥିଲେ। ଅପରପାର୍ଶ୍ବରେ ଡି’ଭିଲିୟର୍ସ ୪୧ ବଲରୁ ୭୦* ରନ୍ରେ ଅପରାଜିତ ରହି ନିରାଶରେ ଫେରିଥିଲେ।
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୮୭/୮ (ରୋହିତ ଶର୍ମା-୪୮, ସୂର୍ଯ୍ୟକୁମାର ଯାଦବ-୩୮, କ୍ୟୁଣ୍ଟନ୍ ଡି’କକ୍-୨୩, ଯୁବରାଜ ସିଂହ-୨୩, ହାର୍ଦିକ ପାଣ୍ଡ୍ୟା-୩୨*, ୟୁଜବେନ୍ଦ୍ର ଚହଲ-୪/୩୮, ଉମେଶ ଯାଦବ-୨/୨୬, ମହମ୍ମଦ ସିରାଜ-୨/୩୮)। ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୨୦ ଓଭରରେ ୧୮୧/୫ (ଏବି ଡି’ଭିଲିୟର୍ସ-୭୦*, ବିରାଟ କୋହଲି-୪୬, ପାର୍ଥିବ ପଟେଲ୍-୩୧, ଶିଭମ ଦୁବେ-୯*, ଯଶପ୍ରୀତ୍ ବୁମରା-୩/୨୦, ମୟଙ୍କ ମାର୍କଣ୍ଡ-୧/୨୩)।
ନୋ ବଲ୍ ବିଦାଦ
ପୁଣି ବିବାଦ ଘେରକୁ ଆସିଛି ଅମ୍ପାୟାରିଂ ନିଷ୍ପତ୍ତି। ଶେଷ ଓଭର ବୋଲିଂ କରିଥିବା ଲସିଥ୍ ମାଲିଙ୍ଗାଙ୍କୁ ଶେଷ ବଲ୍ ‘ନୋ’ ଥିଲେ ବି ଅମ୍ପାୟାରଙ୍କ ଦୃଷ୍ଟିର ଆଢ଼ୁଆଳରେ ରହିଯାଇଥିଲା। କୋହଲିଙ୍କ ସହିତ ତାଙ୍କ ପ୍ରଶଂସକଙ୍କୁ ଏହା ଅଧିକ ହତାଶ କରିଥିଲା। ମାଲିଙ୍ଗାଙ୍କ ପାଦ ଆଗକୁ ପଡ଼ିଥିଲେ ମଧ୍ୟ ଅମ୍ପାୟର ନନ୍ଦନ କିମ୍ବା ରବି ଦେଖିପାରିନଥିଲେ। ମ୍ୟାଚ୍ ପରେ କୋହଲି ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲ। ବିଜୟୀ ହେବା ସତ୍ତ୍ବେ ରୋହିତ ଶର୍ମା ମଧ୍ୟ ଏହାକୁ ଏଭଳି ତ୍ରୁଟିକୁ ସ୍ବୀକାର କରିଥିଲେ। ବାସ୍ତବରେ ମୁଁ ପଡ଼ିଆ ବାହାରକୁ ଆସିବା ପରେ ନୋ ବଲ୍ ବିଷୟରେ ଜାଣିଥିଲି। ଏହା ଖେଳ ପାଇଁ ଭଲ ନୁହେଁ। ସେହିଭଳି ବୁମରାଙ୍କ ଦିଆଇଯାଇଥିବା ଏକ ୱାଇଡ୍ ବି ଭୁଲ ଥିଲା ବୋଲି ରୋହିତ ଦର୍ଶାଇଥିଲେ। କୋହଲି କହିଥିଲେ ‘ଆମେ ଆଇପିଏଲ୍ ଖେଳୁଛୁ, କ୍ଲବ୍ କ୍ରିକେଟ୍ ନୁହେଁ। ଅମ୍ପାୟାର ଏହାକୁ ଦେଖିବାର ଥିଲା। ଏଭଳି ଭୁଲ୍ ପ୍ରତି ଅମ୍ପାୟାର ମାନେ ଅଧିକ ଶାଣିତ ଏବଂ ଯତ୍ନଶୀଳ ହେବା ଉଚିତ୍ ବୋଲି ଖୁବ୍ଧ କୋହଲି କହିଥିଲେ।