ରାହୁଲଙ୍କ ଫର୍ମ ନେଇ ଚିନ୍ତା ଜାହିର କଲେ ପ୍ରସାଦ, ରୋହିତ ଟେଷ୍ଟ୍‌ରେ ପାଳି ଆରମ୍ଭ କରିପାରନ୍ତି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ୍‌ ଶୃଙ୍ଖଳାରେ ରୋହିତ ଶର୍ମାଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ମିଳିପାରେ। ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦ ଏହି ସଙ୍କେତ ଦେଇଛନ୍ତି। ଭାରତୀୟ ଟେଷ୍ଟ୍‌ ଦଳର ନିୟମିତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କ ଅସ୍ଥିର ପ୍ରଦର୍ଶନ ନେଇ ଚିନ୍ତା ଜାହିର କରି ପ୍ରସାଦ ମଙ୍ଗଳବାର କହିଛନ୍ତି ଯେ ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଚୟନକର୍ତା ଏକାଠି ହୋଇ ନାହାନ୍ତି। ଆମେ ଯେତେବେଳେ ବୈଠକ କରିବୁ ଏହି ବିଷୟରେ (ରୋହିତଙ୍କୁ ପାଳି ଆରମ୍ଭ କରିବା ସୁଯୋଗ ଦେବା ନେଇ) ନିଶ୍ଚିତ ଆଲୋଚନା କରିବୁ। ରାହୁଲ ଜଣେ ପ୍ରତିଭାଶାଳୀ ଖେଳାଳି। ହେଲେ ଏକଥା ବି ସତ ଯେ ଟେଷ୍ଟ୍‌ କ୍ରିକେଟରେ ଏବେ ସେ କଠିନ ସମୟ ଦେଇ ଗତି କରୁଛନ୍ତି। ଆମେ ତାଙ୍କ ଫର୍ମକୁ ‌ନେଇ ବେଶ୍ ଚିନ୍ତିତ ଅଛୁ। ‌ରାହୁଲ ୱିକେଟ୍‌ରେ କିଛି ସମୟ କଟାଇ ନିଜ ପୁରୁଣା ଚମକ ଫେରି ପାଇବାକୁ ଚେଷ୍ଟା କରିବା ଦରକାର।

ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳାର ଦୁଇଟି ଯାକ ଟେଷ୍ଟ୍‌ରେ ପାଳି ଆରମ୍ଭ କରିଥିବା ରାହୁଲ ଗୋଟିଏ ହେଲେ ବି ଅର୍ଧଶତକ ଅର୍ଜନ କରିପାରି ନଥିଲେ। ଚାରିଟି ପାଳିରେ ତାଙ୍କ ସ୍କୋର ଥିଲା ୧୩, ୬, ୪୪ ଓ ୩୮। ସେପଟେ ଦିନିକିଆ ବିଶ୍ବକପ୍‌ରେ ପାଞ୍ଚଟି ଶତକ ଅର୍ଜନ କରିଥିବା ରୋହିତ ଭାରତୀୟ ଦଳର ସଦସ୍ୟ ଥିଲେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନଥିଲେ। ଦିନିକିଆ ଓ ଟ୍ବେଣ୍ଟି-୨୦ରେ ପାଳି ଆରମ୍ଭ କରୁଥିବା ରୋହିତ ଟେଷ୍ଟ୍‌ରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ସ୍ଥାନ ପାଇଥିଲେ। ଅଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀ ଭଲ କରିବା ପରେ କିନ୍ତୁ ଦଳୀୟ ଅଧିକାରୀଙ୍କ ପାଇଁ ତାଙ୍କୁ ମଧ୍ୟକ୍ରମରେ ଖେଳାଇବା କଷ୍ଟକର ହୋଇଥିଲା। ରାହୁଲଙ୍କ ଦୁର୍ବଳ ଫର୍ମ କିନ୍ତୁ ରୋହିତଙ୍କ ପାଇଁ ନୂଆ ସୁଯୋଗ ଭାବେ ଉଭା ହୋଇଛି। ଆଗକୁ ସେ ଭାରତୀୟ ଚୂଡ଼ାନ୍ତ ଦଳରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ରୋହିତଙ୍କୁ ଟେଷ୍ଟ୍‌ରେ ମଧ୍ୟ ବିଶେଷଜ୍ଞ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ନେବାକୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଚୟନକର୍ତାଙ୍କୁ ଆହ୍ବାନ କରି ସାରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ୟୁ‌ଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ସ୍ପିନ୍ ଯୋଡ଼ି ସ୍ଥାନ ପାଇ ନଥିଲେ ମଧ୍ୟ ଅଷ୍ଟ୍ରେଲିଆରେ ଆସନ୍ତାବର୍ଷ ଖେଳା ଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଉଭୟଙ୍କୁ ବିଚାରକୁ ନିଆଯିବ ବୋଲି ପ୍ରସାଦ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର