ଗିଲ୍‌କ୍ରିଷ୍ଟ୍‌ଙ୍କୁ କାଟିଲେ ରୋହିତ; ଗାଙ୍ଗୁଲିଙ୍କ ସମକକ୍ଷ

ସିଡ୍‌ନି: ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଚିତାକର୍ଷକ ଶତକ ଜମାଇଥିବା ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମା ଦୁଇଟି ସଫଳତା ସାଉଁଟିଛନ୍ତି। ପ୍ରଥମେ ସେ ସର୍ବାଧିକ ଦିନିକିଆ ଆନ୍ତର୍ଜାତିକ ଶତକରେ ନିଜ ଦେଶର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଥିଲା ବେଳେ ଦ୍ବିତୀୟରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ଦିନିକିଆ ସ୍କୋରର୍‌ ତାଲିକାରେ ଆଦାମ୍‌ ଗିଲ୍‌କ୍ରିଷ୍ଟ୍‌ଙ୍କୁ କାଟି ଦେଇଛନ୍ତି। ଶନିବାର ସିଡ୍‌ନିରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ହାରିଯାଇଥିଲେ ମଧ୍ୟ ରୋହିତ ଶର୍ମା ୧୩୩ ରନ୍‌ର ଆକର୍ଷଣୀୟ ପାଳି ଖେଳିଥିଲେ। ଏଥି ସହିତ ସେ ବ୍ୟକ୍ତିଗତ ୨୨ତମ ଶତକ ହାସଲ କରିଥିଲେ। ଆଉ ଏକ୍ଷେତ୍ରରେ ଗାଙ୍ଗୁଲି (୨୨ ଦିନିକିଆ ଶତକ)ଙ୍କ ମାଇଲଖୁଣ୍ଟର ସମକକ୍ଷ ହୋଇଯାଇଥିଲେ ରୋହିତ। ଗାଙ୍ଗୁଲି ୩୧୧ ଦିନିକିଆ ଖେଳି ୨୨ ଶତକ ଜମାଇଥିଲା ବେଳେ ରୋହିତ ୧୯୪ ଦିନିକିଆରୁ ଏହି ସଫଳତା ହାତେଇଛନ୍ତି। ରୋହିତ ଓ ଗାଙ୍ଗୁଲିଙ୍କ ବ୍ୟତୀତ ପୂର୍ବତନ ସିଂହଳୀ ବ୍ୟାଟ୍‌ସମ୍ୟାନ୍‌ ତିଳକରତ୍ନେ ଦିଲ୍‌ସାନ୍‌ ମଧ୍ୟ ୨୨ ଶତକ ନିଜ ନାମରେ ରଖିଛନ୍ତି। ରୋହିତ ଏବେ ସର୍ବାଧିକ ଦିନିକିଆ ଶତକ ତାଲିକାର ନବମ ସ୍ଥାନରେ ରହିଲେ। ଦିନିକିଆରେ ସର୍ବାଧିକ ଶତକର କୀର୍ତିମାନ ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର (୪୬୩ ଦିନିକିଆ, ୪୯ ଶତକ)ଙ୍କ ନାମରେ ଅତୁଟ ରହିଥିଲା ବେଳେ ତାଙ୍କ ପଛକୁ ଏବର ଭାରତୀୟ ଅଧିନାୟକ ବିରାଟ କୋହଲି (୩୮ ଶତକ) ରହିଛନ୍ତି। ଏହି ତାଲିକାରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୩୦), ଶ୍ରୀଲଙ୍କାର ସନତ ଜୟସୂରିଆ (୨୮), ଦକ୍ଷିଣ ଆଫ୍ରିକାର ହାସିମ୍‌ ଆମ୍‌ଲା (୨୬), ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ (୨୫), ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୨୫) ଏବଂ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ (୨୩) ଯଥାକ୍ରମେ ତୃତୀୟରୁ ଅଷ୍ଟମ ସ୍ଥାନରେ ରହିଛନ୍ତି।

ସେହିପରି ସିଡ୍‌ନିରେ ୧୩୩ ରନ୍‌ର ପାଳି ଅବସରରେ ରୋହିତ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପର ମୁକାବିଲାରେ ସବୁଠୁ ଅଧିକ ରନ୍‌ କରିବାରେ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍‌ରକ୍ଷକ/ବ୍ୟାଟ୍‌ସମ୍ୟାନ୍‌ ଆଦାମ୍‌ ଗିଲ୍‌କ୍ରିଷ୍ଟ୍‌ଙ୍କୁ ଟପି ଯାଇଥିଲେ। ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ଦିନିକିଆ ଆନ୍ତର୍ଜାତିକରେ ଗିଲ୍‌ଖ୍ରିଷ୍ଟ୍‌ ମୋଟ ୧୬୨୨ ରନ୍‌ କରି ତାଲିକାର ତୃତୀୟ ସ୍ଥାନରେ ଥିଲେ। ଏଥିପାଇଁ ଗିଲ୍‌କ୍ରିଷ୍ଟ୍‌ ୪୬ ଦିନିକିଆ ଖେଳିଥିଲେ। ସେଥିରେ ତାଙ୍କର ଗୋଟିଏ ଶତକ ଓ ୧୨ ଅର୍ଧଶତକ ସାମିଲ ଥିଲା। ତେବେ ରୋହିତ ୨୯ ଦିନିକିଆ ଖେଳି ଗିଲ୍‌କ୍ରିଷ୍ଟ୍‌ଙ୍କୁ ଟପିଗଲେ। ରୋହିତ ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ୬ ଲେଖାଏଁ ଶତକ ଓ ଅର୍ଧଶତକ ନିଜ ନାମରେ ରଖିଛନ୍ତି। ରୋହିତ ମଧ୍ୟ ଏକମାତ୍ର ଭାରତୀୟ ଭାବେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଦ୍ବିଶତକ ଜମାଇଛନ୍ତି। ୨୦୧୩ ବେଙ୍ଗାଲୁରୁ ମ୍ୟାଚ୍‌ରେ ରୋହିତ ୧୫୮ ବଲ୍‌ରୁ ୧୬ ଛକା ଓ ୧୨ ଚୌକା ସହାୟତାରେ ୨୦୯ ରନ୍‌ କରିଥିଲେ। ତେବେ ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍‌ରେ ସବୁଠୁ ଅଧିକ ରନ୍‌ କରିବାର କୀର୍ତିମାନ ଭାରତର ସଚିନ୍‌ ତେନ୍ଦୁଲକରଙ୍କ ନାମରେ ରହିଛି। ସେ ୭୧ ଦିନିକିଆ ଖେଳି ମୋଟ ୩୦୭୭ ରନ୍‌ (୯ ଶତକ, ୧୫ ଅର୍ଧଶତକ)କରି ତାଲିକାର ଶୀର୍ଷରେ ରହିଥିଲା ବେଳେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ (୨୧୬୪ ରନ୍‌, ୫୯ ମ୍ୟାଚ୍‌, ୬ ଶତକ, ୯ ଅର୍ଧଶତକ) ଦ୍ବିତୀୟରେ ରହିଛନ୍ତି।

ସମ୍ବନ୍ଧିତ ଖବର