ବିଧ୍ୱଂସୀ ରୋହିତ-ରାହୁଲ

ଇନ୍ଦୋର: ରୋହିତ ଶର୍ମାଙ୍କ ଆଉ ଏକ ବିସ୍ଫୋରକ ପାଳି ଏବଂ ଦ୍ରୁତତମ ଟେ୍ଵଣ୍ଟି-୨୦ ଶତକ କୀର୍ତିମାନ ସହିତ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାକୁ ମଧ୍ୟ ଭାରତ ୨-୦ରେ ଆଗୁଆ ଜିତି ନେଇଛି। ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ଟେ୍ଵଣ୍ଟି-୨୦କୁ ଭାରତ ୮୮ ରନ୍‌ରେ ଜିତି ମୁକୁଟ ବିଜେତା ହୋଇଛି। ଭାରତର ୨୬୦ ରନ୍‌ ଜବାବରେ ଶ୍ରୀଲଙ୍କା ୧୭୨ ରନ୍‌ କରିଥିଲା।

କଟକ ଭଳି ଇନ୍ଦୋରରେ ମଧ୍ୟ ଶ୍ରୀଲଙ୍କା ଟସ୍‌ ଜିତିଥିଲା। କିନ୍ତୁ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଯୋଡ଼ିଙ୍କ ବିସ୍ଫୋରକ ରୂପ ଆଗରେ ସିଂହଳୀ ବୋଲର ନୟାନ୍ତ ହୋଇଥିଲେ। ପ୍ରଥମ ଓଭରରୁ ୧୦ ରନ୍‌ ଆଦାୟ କରି ରୋହିତ ଶର୍ମା ଶୁଭାରମ୍ଭ କରିଥିଲେ। ଚାମିରାଙ୍କୁ ଲଙ୍ଗ୍‌ ଅଫ୍‌ ଉପରେ ଛକା ମାରି ରାହୁଲ ବି ପଛରେ ପଡ଼ିନଥିଲେ। କିନ୍ତୁ ରୋହିତ ୨୩ ବଲରୁ ଅର୍ଧଶତକ ହାସଲ କରିନେବା ପରେ ପରବର୍ତୀ ୧୨ ବଲ୍‌ରୁ ଦ୍ୱିତୀୟ ୫୦ ରନ୍‌ ଯୋଡ଼ିବା ସବୁଠାରୁ ଆକର୍ଷଣୀୟ ଥିଲା। ଇନ୍ଦୋରର ହୋଲ୍‌କର ଷ୍ଟାଡିୟମ୍‌ ଦେଖିଲା ରୋହିତଙ୍କ ଲମ୍ବା ଲମ୍ବା ଛକା। ତ୍ରୟୋଦଶ ଓଭରରେ ଚାମିରାଙ୍କ ଆଉ ଏକ ବଡ଼ ସଟ୍‌ ଖେଳିବାକୁ ଯାଇ ରୋହିତ ସର୍ଟ ଥାର୍ଡମ୍ୟାନ୍‌ ଅଞ୍ଚଳରେ ଧନଞ୍ଜୟଙ୍କ ହାତରେ ଧରାପଡ଼ିଥିଲେ। ରୋହିତ ୪୩ ବଲ୍‌ରୁ ୧୧୮ ରନ୍‌ କରିଥିଲେ। ଏହା ମଧ୍ୟରେ ୧୨ ଚୌକା ଏବଂ ୧୦ ଛକା ସାମିଲ ଥିଲା। ପ୍ରଥମ ଓ୍ଵିକେଟ୍‌ ପାଇଁ ରୋହିତ-ରାହୁଲ ୧୨.୪ ଓଭରରେ ୧୬୫ ରନ୍‌ ଉଠାଇଥିଲେ। ବ୍ୟକ୍ତିଗତ ଭାବେ ୬ ରନ୍‌ରେ ଜୀବନଦାନ ପାଇଥିବା ରାହୁଲ କିନ୍ତୁ ୩୫ ବଲ୍‌ରୁ ନିଜର ଅର୍ଧଶତକ ହାସଲ କରିଥିଲେ। ନୁଓ୍ଵାନ ପ୍ରଦୀପଙ୍କ ଶିକାର ହୋଇ ରାହୁଲ (୮୯, ୪୯ ବଲ୍‌, ୫ ଚୌକା, ୮ ଛକା) ଶତକରୁ ବଞ୍ଚିତ ହୋଇଥିଲେ। ଏହା ପରେ କେବଳ ମହେନ୍ଦ୍ର ସିଂହ ଧୋନି (୨୮, ୨୧ ବଲ୍‌, ୨ ଚୌକା, ୨ ଛକା) ରନ୍‌ ଗତିକୁ ବଢ଼ାଇଥିଲେ। ପେରେରାଙ୍କ ଗୋଟିଏ ଓଭର (ଦ୍ୱାଦଶ)ରୁ ଭାରତୀୟ ପ୍ରାରମ୍ଭିକ ଯୋଡ଼ି ୨୬ ରନ୍‌ ଆଦାୟ କରିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ଶ୍ରୀଲଙ୍କା ୭ ଜଣ ବୋଲରଙ୍କୁ ଆକ୍ରମଣରେ ଲଗାଇଥିଲେ ମଧ୍ୟ ଭାରତୀୟ ଖେଳାଳି ଓଭର ପିଛା ୧୩ ରନ୍‌ ହାରରେ ୨୬୦ ରନ୍‌ କରି ନେଇଥିଲେ।

ଜବାବରେ ଶ୍ରୀଲଙ୍କାର ପ୍ରଥମ ୩ ଜଣ ଲଢ଼ି ବିଜୟ ଛଡ଼ାଇନେବା ଧମକ ଦେଇଥିଲେ। ଡିକ୍‌େଓ୍ଵଲା (୨୫)ଙ୍କୁ ଉନାଦକତ୍‌ ପ୍ରଥମ ଓ୍ଵିକେଟ୍‌ ରୂପରେ ନେଇଥିଲେ। କିନ୍ତୁ ସ୍ପିନ୍‌ ଯୋଡ଼ି ୟୁଜବେନ୍ଦ୍ର ଚହଲ (୪/୫୨) ଏବଂ କୁଲଦୀପ ଯାଦବ (୩/୫୨) ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ଶ୍ରୀଲଙ୍କାକୁ ଆଗକୁ ବଢ଼ିବାକୁ ଦେଇନଥିଲେ। ଉପୁଲ ତରଙ୍ଗା (୪୭, ୨୯ ବଲ୍‌, ୩ ଚୌକା, ୨ ଛକା) ଏବଂ କୁସାଲ ପେରେରା (୭୭, ୩୭ ବଲ୍‌, ୪ ଚୌକା, ୭ ଛକା) ଶତକୀୟ ଭାଗୀଦାରି (୧୦୯ ରନ୍‌) କରିଥିଲେ ମଧ୍ୟ ଏହା ପରେ ଶ୍ରୀଲଙ୍କା ପାଳି ଭୁଶୁଡ଼ି ପଡ଼ିଥିଲା। ୧୫ତମ ଓଭରରେ କୁଲଦୀପ ଯାଦବ ୩ ଓ୍ଵିକେଟ୍‌ (କୁସାଲ, ତିସରା, ଗୁଣରତ୍ନେଙ୍କୁ ଆଉଟ୍‌ କରି) ନେଇ ଶ୍ରୀଲଙ୍କା ମେରୁଦଣ୍ଡ ଭାଙ୍ଗିଦେଇଥିଲେ। ଅତିଥି ଦଳ ପୁଣି ଥରେ ଭାରତୀୟ ସ୍ପିନର୍‌ଙ୍କ ଆଗରେ ହାର ମାନିବାରୁ ପରବର୍ତୀ ୭ ଜଣ ଦୁଇ ଅଙ୍କ ଛୁଇଁ ପାରିନଥିଲେ।

ସର୍ବୋଚ୍ଚ ଭାଗୀଦାରି

ରୋହିତ ଶର୍ମା ଏବଂ ଲୋକେଶ ରାହୁଲଙ୍କ ପ୍ରଥମ ଓ୍ଵିକେଟରୁ ମିଳିଥିବା ୧୬୫ ରନ୍‌ ମଧ୍ୟ ଭାରତ ପାଇଁ ସର୍ବୋଚ୍ଚ ଭାଦୀଦାରି ଥିଲା। ଗତ ମାସରେ ନ୍ୟଜିଲାଣ୍ଡ୍‌ ବିପକ୍ଷରେ ଦିଲ୍ଲୀରେ ରୋହିତ ଶର୍ମା ଏବଂ ଶିଖର ଧାଓ୍ଵନ ସଂଗ୍ରହ କରିଥିବା ୧୫୮ ରନ୍‌ ପଛରେ ପଡ଼ିଯାଇଥିଲା।

ସୀମାରେଖା ବାହାରୁ ୨୧୦ ରନ୍‌

ଭାରତୀୟ ପାଳିର ୨୬୦ ରନ୍‌ ମଧ୍ୟରୁ ୨୧୦ ରନ୍‌ ଆସିଥିଲା ସୀମାରେଖା ବାହାରୁ। ଅର୍ଥାତ୍‌ ୨୧ ଚୌକା ଓ ୨୧ ଛକାରୁ ଏହି ସ୍କୋର୍‌ ମିଳିଥିଲା। ଶୁକ୍ରବାର ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ମୋଟ ୩୧ ଛକା ଦେଖିବାକୁ ମିଳିଥିଲା। ଶ୍ରୀଲଙ୍କା ପାଳିରେ ୧୦ ଛକା ସାମିଲ ଥିଲା। କୁସଲ ପେରେରା ଏକା ୭ ଛକା ଜମାଇଥିଲେ।

ଦ୍ରୁତତମ ଶତକ

ମାତ୍ର ୩୫ ବଲ୍‌ରୁ ଶତକ ପୂରଣ କରି ରୋହିତ ଶର୍ମା ଟେ୍ଵଣ୍ଟି-୨୦ ଅନ୍ତର୍ଜାତୀୟ କୀର୍ତିମାନରେ ନିଜ ନାମକୁ ସାମିଲ କରିଥିଲେ। ଅକ୍ଟୋବରରେ ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଡେଭିଡ୍‌ ମିଲର୍‌ ମଧ୍ୟ ୩୫ ବଲ୍‌ରୁ ଶତକ ହାସଲ କରିଥିଲେ। କିନ୍ତୁ ଭାରତୀୟ ଭାବେ ରୋହିତଙ୍କ ନାମରେ ଦ୍ରୁତତମ ଶତକର ନୂଆ କୀର୍ତିମାନ ଲେଖି ହୋଇଯାଇଥିଲା। ରୋହିତ (୧୧୮)ଙ୍କ ପାଳି ମଧ୍ୟ ଭାରତ ପାଇଁ ସର୍ବୋଚ୍ଚ ବ୍ୟକ୍ତିଗତ। ଏ କ୍ଷେତ୍ରରେ ସେ ତାଙ୍କ ପ୍ରାରମ୍ଭିକ ସାଥୀ ଲୋକେଶ ରାହୁଲ (୧୧୦* ବନାମ େଓ୍ଵଷ୍ଟଇଣ୍ଡିଜ୍‌, ୨୦୧୬)ଙ୍କୁ ପଛରେ ପକାଇଥିଲେ। ସୁରେଶ ରାଇନା ପ୍ରଥମେ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ରେ ଶତକ ମାରିଥିଲେ। କିନ୍ତୁ ଦୁଇଟି ଶତକ ମାରି ରୋହିତ ମଧ୍ୟ ପ୍ରଥମ ଭାରତୀୟ ଭାବେ ବିରଳ କ୍ଲବ୍‌ରେ ସାମିଲ ହେଲେ। କ୍ରିସ୍‌ ଗେଲ୍‌, ବ୍ରେଣ୍ଡନ୍‌ ମ୍ୟାକଲମ୍‌, ଇଭାନ୍‌ ଲୁଇସ୍‌, କଲିନ୍‌ ମୁନ୍‌ରୋ ଆଗରୁ ଦୁଇଟି ଲେଖାଏଁ ଶତକ ମାରିଥିଲେ।

ଭାରତର ସର୍ବୋଚ୍ଚ ସ୍କୋର୍‌

୨୬୦ ରନ୍‌ କରିବା ଅବସରରେ ଭାରତ ନିଜର ଟେ୍ଵଣ୍ଟି-୨୦ ଦଳଗତ ସ୍କୋର୍‌କୁ ମଧ୍ୟ ପଛରେ ପକାଇ ଦେଇଥିଲା। ଭାରତର ପୂର୍ବ ସର୍ବାଧିକ ଗଳଗତ ସ୍କୋର୍‌ ଥିଲା ୨୪୪/୪ ବନାମ େଓ୍ଵଷ୍ଟଇଣ୍ଡିଜ୍‌, ୨୦୧୬। ଅନ୍ତର୍ଜାତୀୟ କ୍ରିକେଟ୍‌ରେ କିନ୍ତୁ ଭାରତର ସ୍କୋର୍‌ (୨୬୦) ଦ୍ୱିତୀୟ ସର୍ବାଧିକ। ମାତ୍ର ୪ ରନ୍‌ ପାଇଁ ଭାରତ କୀର୍ତିମାନରୁ ବଞ୍ଚିତ ହୋଇଥିଲା। ସର୍ବୋଚ୍ଚ ଦଳଗତ ସ୍କୋର୍‌ କୀର୍ତିମାନ ଏବେ ଅଷ୍ଟ୍ରେଲିଆ (୨୬୩/୩ ବନାମ ଶ୍ରୀଲଙ୍କା, ପାଲେକେଲ୍‌, ୨୦୧୬) ନାମରେ ରହିଛି। ଶ୍ରୀଲଙ୍କା ମଧ୍ୟ ଥରେ ୨୬୦ ରନ୍‌ କରିଥିବାରୁ ଦ୍ୱିତୀୟ ସ୍ଥାନରେ ରହିଛି। କେନିଆ ବିପକ୍ଷରେ ୨୦୦୭ ବିଶ୍ୱକପ୍‌ରେ ଶ୍ରୀଲଙ୍କା ୨୬୦/୬ କରିଥିଲା।

ସମ୍ବନ୍ଧିତ ଖବର