ତିନି ଫର୍ମାଟ୍‌ ମାନ୍ୟତାର ଶୀର୍ଷ-୧୦ରେ ରୋହିତ

କୋହଲି ଓ ଗମ୍ଭୀରଙ୍କ ସମକକ୍ଷ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟେ‌ଷ୍ଟ ଶୃଙ୍ଖଳାରେ ଉଭୟ ଶେଷ ମ୍ୟାଚ୍‌ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ରୋହିତ ଶର୍ମା ଆଇସିସି ଟେ‌ଷ୍ଟ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତାର ଶୀର୍ଷ-୧୦ ମଧ୍ୟରେ ପ୍ରବେଶ କରିଛନ୍ତି। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଭାବେ ପଦାର୍ପଣ କରି ୪ ପାଳିରୁ ୫୨୯ ରନ୍‌ କରିଥିବା ରୋହିତ ସଦ୍ୟ ପ୍ରକାଶିତ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତା ତାଲିକାର ଦଶମ ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ପୂର୍ବରୁ ରୋହିତ ମାନ୍ୟତାର ୪୪ତମ ସ୍ଥାନରେ ରହିଥିଲେ। ହେଲେ କୀର୍ତ୍ତିମାନଭରା ୫୨୯ ରନ୍‌ (ଗୋଟିଏ ଶୃଙ୍ଖଳାରେ) କରିବା ପରେ ଏକାବେଳକେ ୩୪ ସ୍ଥାନ ଲମ୍ଫ ମାରିଛନ୍ତି। ଏହା ପୂର୍ବରୁ ରୋହିତ ଆଇସିସି ଦିନିକିଆ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଟ୍ବେଣ୍ଟି-୨୦ ମାନ୍ୟତାରେ ଯୁଗ୍ମ ସପ୍ତମ ସ୍ଥାନରେ ରହିଛନ୍ତି। ଫଳରେ ତୃତୀୟ ଭାରତୀୟ ଭାବେ କ୍ରିକେଟ୍‌ର ତିନିଟିଯାକ ଫର୍ମାଟ୍‌ରେ ଆଇସିସି ମାନ୍ୟତାର ଶୀର୍ଷ-୧୦ରେ ରହିବାର ଗୌରବ ବହନ କରିଛନ୍ତି। ତାଙ୍କ ପୂର୍ବରୁ ଏଭଳି ସଫଳତା ପାଇବାରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀର ଅନ୍ୟ ଦୁଇ ଭାରତୀୟ ରହିଥିଲେ। ଅଧିନାୟକ କୋହଲି ଅତୀତରେ ତିନିଟିଯାକ ଫର୍ମାଟ୍‌ରେ ଏକ ନମ୍ବରରେ ରହିଥିଲା ବେଳେ ଏବେ ଟେ‌ଷ୍ଟ ମାନ୍ୟତାର ଦ୍ବିତୀୟ, ଦିନିକିଆ ମାନ୍ୟତାର ଏକ ନମ୍ବର ଏବଂ ଟ୍ବେଣ୍ଟି-୨୦ ମାନ୍ୟତାର ଦଶମ ସ୍ଥାନରେ ଅଛନ୍ତି। କ୍ରିକେଟ୍‌ରୁ ଅବସର ନେଇ ସାରିଥିବା ଗମ୍ଭୀର ଅତୀତରେ ଏକ ସମୟରେ ଟେ‌ଷ୍ଟ ଓ ଟ୍ବେଣ୍ଟି-୨୦ରେ ଶୀର୍ଷ ସ୍ଥାନ ସାଙ୍ଗକୁ ଦିନିକିଆରେ ଅଷ୍ଟମ ସ୍ଥାନରେ ରହିଥିଲେ।

ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ପରେ ସଦ୍ୟ ପ୍ରକାଶିତ ଆଇସିସି ମାନ୍ୟତାରେ ଆଜିଙ୍କ୍ୟ ରହାଣେ (୪ ପାଳିରେ ୨୧୬ ରନ୍‌) ୪ ସ୍ଥାନ ଲମ୍ଫ ମାରି ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ପଞ୍ଚମ ସ୍ଥାନ ଅକ୍ତିଆର କରିଥିଲା ବେଳେ ‌ଚେତେଶ୍ବର ପୂଜାରା ଚତୁର୍ଥ ସ୍ଥାନର ସ୍ଥିର ରହିଛନ୍ତି।

ସେହିପରି ଟେଷ୍ଟ୍‌ ବୋଲରଙ୍କ ମାନ୍ୟତାରେ ମହମ୍ମଦ ସାମି ପଞ୍ଚଦଶ ଏବଂ ଉମେଶ ଯାଦବ ୨୪ତମ ସ୍ଥାନ ପାଇଥିଲା ବେଳେ ଆହତ ଯୋଗୁଁ ଖେଳିନଥିବା ଯଶ୍‌ପ୍ରୀତ୍‌ ବୁ୍‌ମ୍‌ରା ଗୋଟିଏ ସ୍ଥାନ ଖସି ଚତୁର୍ଥରେ ପହଞ୍ଚିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଦଶମ, ରବୀନ୍ଦ୍ର ଜାଦେଜା ୧୪ ଏବଂ ଈଶାନ୍ତ ଶର୍ମା ୨୨ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର