ରୋହିତଙ୍କ ଦ୍ବିଶତକୀୟ ଦିନିକିଆ

ହାମିଲଟନ୍ : ଭାରତୀୟ କ୍ରିକେଟ୍ ଦଳର କାମଚଳା ଅଧିନାୟକ ରୋହିତ ଶର୍ମା ଗୁରୁବାର ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ ଖେଳ ଜୀବନର ୨୦୦ତମ ଦିନିକିଆ ଖେଳିବେ। ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ଚର୍ତୁଦଶ ଭାରତୀୟ ହେବେ। ସେହିଭଳି ଆସନ୍ତାକାଲି ଆଉ ଗୋଟିଏ ଛକା ମାରିଲେ ଦିନିକିଆରେ ରୋହିତ ସର୍ବାଧିକ ଛକା ମାରିଥିବା ଭାରତୀୟ ହେବାର ଗୌରବ ଅର୍ଜନ କରିବେ। ଏହି କ୍ଷେତ୍ରରେ ସେ ମହେନ୍ଦ୍ର ସିଂହ ଧୋନି (୨୧୫ ଛକା)ଙ୍କୁ ଅତିକ୍ରମ କରିବେ। ଦିନିକିଆରେ ଅଧିନାୟକ ଭାବେ ତାଙ୍କ ବ୍ୟାଟିଂ ହାର ୧୦୨.୮୯ ରହିଛି। ଏଣୁ ହାମିଲଟନରେ ତାଙ୍କ ବ୍ୟାଟ୍‌ରୁ ଏକ ବଡ଼ ପାଳି ଆସିବାର ‌ଯଥେଷ୍ଟ ସମ୍ଭାବନା ଅଛି। ହାମିଲଟନରେ ଭାରତ ୫ ଦିନିକିଆ ଖେଳି ମାତ୍ର ଗୋଟିଏ ବିଜୟ (୨୦୦୯) ହାସଲ କରିଛି। ଏଠାକାର ସେଡନ ପାର୍କରେ ଖେଳା ଯାଇଥିବା ଗତ ୧୦ ଦିନିକିଆରୁ ପଛରେ ବ୍ୟାଟିଂ କରିଥିବା ଦଳ ୭ ଜିତିଛି। ସେଥିପାଇଁ ରୋହିତ ଟସ୍ ଜିତିବା ମଧ୍ୟ ଭାରତ ପାଇଁ ଶୁଭଙ୍କର ହେବ। କୌଣସି ଭାରତୀୟ ଅଧିନାୟକ ଆଜି ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡରେ ଦିନିକିଆ ଶତକ ହାସଲ କରି ନାହାନ୍ତି। ୨୦୧୫ରେ ମହେନ୍ଦ୍ର ସିଂହ ଧୋନି ଏଠାରେ ସର୍ବାଧିକ ୮୫* ରନ୍ କରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୨,୦୦୦ ଦିନିକିଆ ରନ୍ ପୂରଣ କରିବାରୁ ୧୦ ରନ୍ ଦୂରରେ ରହିଛନ୍ତି। ଏହି ରନ୍ ସଂଗ୍ରହ କରି ପାରିଲେ ସେ ବିଶ୍ବ କ୍ରିକେଟର ୨୬ତମ ଖେଳାଳି ଏବଂ ତୃତୀୟ ଭାରତୀୟ ଭାବେ ଦିନିକିଆରେ ୨,୦୦୦ ରନ୍‌ ସହ ୧୫୦ ୱିକେଟ୍ ନେବେ। କେଦାର ଯାଦବ ଆଉ ୩୩ ରନ୍ କରି ପାରିଲେ ଦିନିକିଆରେ ୧,୦୦୦ ରନ୍ ପୂରଣ କରିବେ। ଏହି ରନ୍ ସଂଗ୍ରହ କରିବାରେ ସେ ଏକାଦଶ ଦ୍ରୁତତମ ଭାରତୀୟ ହେବେ।

ଉତ୍ଥାନ ପଛରେ ମାହି

ଭାରତୀୟ କ୍ରିକେଟ୍ ଦଳର ଦକ୍ଷ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ସଂପ୍ରତି ବିଶ୍ବ କ୍ରିକେଟ୍‌ର ଜଣେ ଆଗଧାଡ଼ିର ଖେଳାଳି। ସୀମିତ ଓଭର କ୍ରିକେଟ୍‌ରେ ସେ ସମ୍ଭବତଃ ସାଂପ୍ରତିକ କ୍ରିକେଟ୍‌ର ଶ୍ରେଷ୍ଠ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ । ହେଲେ ମାତ୍ର କିଛି ବର୍ଷ ପୂର୍ବେ ରୋହିତ ତାଙ୍କ ଅସ୍ଥିର ପ୍ରଦର୍ଶନ ପାଇଁ ତୀବ୍ର ସମାଲୋଚିତ ହେଉଥିଲେ। ରୋହିତଙ୍କ ପାଖରେ ପ୍ରତିଭା ଅଛି, ହେଲେ ଏହାକୁ କେମିତି ଓ କିଭଳି ଭାବେ ଉପଯୋଗ କରାଯିବା ଦରକାର, ତାହା ସେ ଜାଣିନାହାନ୍ତି ବୋଲି କ୍ରିକେଟ୍ ପଣ୍ଡିତମାନେ କହି ବୁଲୁଥିଲେ। ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି। ରୋହିତ କେବଳ ସ୍ଥିର ପ୍ରଦର୍ଶନ ଦେଉ ନାହାନ୍ତି। ଭାରତ ବିଜୟରେ ନିୟମିତ ପ୍ରମୁଖ ଭୂମିକା ତୁଲାଉଛନ୍ତି। ରୋହିତଙ୍କର ଏହି କାୟା ପରିବର୍ତନ ପଛରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ବଳିଷ୍ଠ ଭୂମିକା ରହିଛି। କାରଣ ଧୋନି ହିଁ ତାଙ୍କୁ ମଧ୍ୟକ୍ରମରୁ ନେଇ ଶୀର୍ଷରେ ଖେଳାଇବାର ସାହସ ଦେଖାଇଥିଲେ। ରୋହିତଙ୍କୁ ମାହି ନୂଆ ବଲ୍‌ରେ ଖେଳିବାର ସୁଯୋଗ ଦେବା ମାଷ୍ଟରଷ୍ଟ୍ରୋକ୍ ପାଲଟିଥିଲା। ଯେବେଠାରୁ ଧୋନି ତାଙ୍କୁ ନୂଆ ବଲ୍‌ର ସମ୍ମୁଖୀନ ହେବାର ସୁଯୋଗ ଦେଇଛନ୍ତି, ସେବେଠୁ ରୋହିତ ଆଉ ପଛୁକୁ ଫେରି ଚାହିଁ ନାହାନ୍ତି। ଅନ୍ତତଃ ପରିସଂଖ୍ୟାନ ଏହା ହିଁ କହୁଛି। ରୋହିତ ମଧ୍ୟ ତାଙ୍କ ଖେଳ ଜୀବନର ଏହି ମହତ୍ବପୂର୍ଣ୍ଣ ମୋଡ଼ର ଶ୍ରେୟ ଧୋନିଙ୍କୁ ଦେଇଛନ୍ତି।
ପ୍ରଥମ ୫୦ ଦିନିକିଆ ପରେ ରୋହିତଙ୍କ ବ୍ୟାଟିଂ ହାରରେ ୫୦ ପ୍ରତିଶତ ଉନ୍ନତି ହୋଇଛି। ଏପରିକି ଗତ ୪୯ ଦିନିକିଆ ପାଳି ମଧ୍ୟରୁ ପ୍ରତି ଦୁଇଟି ପାଳିରେ ସେ ଗୋଟିଏ ଅର୍ଧଶତକ ଏବଂ ପ୍ରତି ୪ ପାଳି ପରେ ଶତକ ଅର୍ଜନ କରିଛନ୍ତି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ତାଙ୍କ ବ୍ୟାଟିଂ ହାର ରହିଛି ୫୮.୩୨। ଅନ୍ୟୁନ ୫,୦୦୦ ରନ୍ କରିଥିବା ବିଶ୍ବର ସମସ୍ତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଏହା ସର୍ବଶ୍ରେଷ୍ଠ। ପାଳି ଆରମ୍ଭରେ ଦାୟିତ୍ବବାନ ବ୍ୟାଟିଂ କରି ବଲ୍‌କୁ ଭଲ ଭାବରେ ପରଖିବା ଏବଂ ଥରେ ଲୟ ପାଇଗଲେ ବଡ଼ ସଟ୍ ଖେଳିବାର ନୀତି ପାଇଁ ରୋହିତ ଆଜି ଏମିତି ସ୍ଥିତିରେ ଅଛନ୍ତି, ଯାହାକୁ ଛୁଇଁବା ବହୁ ବ୍ୟାଟ୍ସମ୍ୟାନଙ୍କ ସ୍ବପ୍ନ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ତାଙ୍କର ଅର୍ଧଶତକରୁ ଶତକରେ ପରିଣତ କରିବା ପ୍ରତିଶତ ହେଉଛି ୪୧.୫୫। ଯାହା କେବଳ ଦକ୍ଷିଣ ଆଫ୍ରିକାର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହରଶ୍ଚେଲ ଗିବ୍ସଙ୍କ ପଛକୁ ଦ୍ବିତୀୟ। ରୋହିତଙ୍କ ଖେଳ ଜୀବନର ସେହି ବିରାଟ ପରିବର୍ତନକୁ ଆସନ୍ତୁ ସାରଣୀ ମାଧ୍ୟମରେ ତର୍ଜମା କରିବା।

ସମ୍ବନ୍ଧିତ ଖବର