ଦକ୍ଷିଣ ଆଫ୍ରିକାକୁ ଦଳି ଭାରତ ଘରୋଇ ପରିବେଶରେ ଲଗାତାର ଏକାଦଶ ଶୃଙ୍ଖଳା ବିଜୟ ହାସଲ କରିଛି। କୋହଲି ବାହିନୀ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମୂଳପୋଛ ପାଇଛି। ସବୁ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ରୋହିତ ଶର୍ମା ଏଥିରେ ଅଗ୍ରଣୀ ଭୂମିକା ତୁଲାଇଛନ୍ତି। ରୋହିତ ପୂରା ଶୃଙ୍ଖଳାରେ ପରିପକ୍ବ ବ୍ୟାଟିଂ କରିଥିଲେ। ଅଦରକାରୀ ସଟ୍ ଖେଳିବାରୁ ସେ ବିରତ ରହିଥିଲେ। ବରଂ ବ୍ୟାକଫୁଟ୍ରେ ଅଧିକ ସଟ୍ ଖେଳିଥିଲେ। ମୋ ମତରେ ରୋହିତ ଯୋଜନାବଦ୍ଧ ଭାବେ ଖେଳି ସଫଳ ହୋଇଥିଲେ। ଥରେ ଜମିଗଲା ପରେ ବଡ଼ ପାଳି ନଖେଳି ଫେରୁ ନଥିଲେ। ଅଜିଙ୍କ୍ୟ ରାହାଣେଙ୍କ ସହ ସେ କରିଥିବା ଭାଗୀଦାରି ଏହାର ଜ୍ବଳନ୍ତ ଉଦାହରଣ। ରାହାଣେ ମଧ୍ୟ ଏକ ସୁନ୍ଦର ଶତକ ହାସଲ କଲେ। ଭାରତ ୩୯ ରନ୍ରେ ୩ ୱିକେଟ୍ ହରାଇଲା ପରେ ସେ ନିଜ କ୍ରିକେଟ୍ କଳା କୌଶଳର ଅପୂର୍ବ ନମୁନା ଦେଖାଇଥିଲେ। ଆଶା ବିପରିତ ଦ୍ରୁତ ବୋଲର ଦକ୍ଷିଣ ଆଫ୍ରିକାକୁ ଘାଇଲା କଲେ। ବ୍ୟାଟ୍ସମ୍ୟାନ୍ ପାଖାପାଖି ୫୦୦ ରନ୍ କରିବା ମଧ୍ୟ ଦକ୍ଷିଣ ଆଫ୍ରିକା ଉପରେ ଅତିରିକ୍ତ ଚାପ ସୃଷ୍ଟି କରିଥିଲା। ମହମ୍ମଦ ସାମି ଏବଂ ଉମେଶ ଯାଦବଙ୍କ ବୋଲିଂ ମୋ ମନ କିଣି ନେଇଥିଲା। ଉମେଶ ଯେଉଁ ବଲ୍ରେ କ୍ବିଣ୍ଟନ୍ ଡି’କକ୍ଙ୍କୁ ଆଉଟ୍ କରିଥିଲେ, ତାହା ସମ୍ଭବତଃ ମ୍ୟାଚ୍ର ସର୍ବଶ୍ରେଷ୍ଠ ବଲ୍ ଥିଲା। ଡି’କକ୍ ସଟ୍ ବଲ୍କୁ ଭଲ ଖେଳନ୍ତି। ହେଲେ ହଠାତ୍ ଉଠିଥିବା ବଲ୍କୁ ସେ ମଧ୍ୟ ବୁଝି ପାରି ନଥିଲେ। ଶାହାବାଜ ନଦୀମଙ୍କୁ ପଦାର୍ପଣ କରିବାର ଦେଖିବା ମୋତେ ଉଲ୍ଲସିତ କରିଥିଲା। ପ୍ରଥମ ଶ୍ରେଣୀ କ୍ରିକେଟରେ ସ୍ଥିର ପ୍ରଦର୍ଶନ ଦେଇ ଆସୁଥିବାର ପୁରସ୍କାର ତାଙ୍କୁ ମିଳିଥିଲା। ନିଜ ଘରୋଇ ପଡ଼ିଆରେ ପଦାର୍ପଣ କରିବା ମଧ୍ୟ ତାଙ୍କ ପାଇଁ ଆଉ ଏକ ଭଲ କଥା ଥିଲା। ତାଙ୍କ ସଫଳତା ଭାରତୀୟ ଘରୋଇ କ୍ରିକେଟ୍ର ଶକ୍ତିଶାଳୀ ଢାଞ୍ଚାକୁ ପ୍ରତିପାଦିତ କରିଛି। ଦକ୍ଷିଣ ଆଫ୍ରିକା ପାଇଁ ମଧ୍ୟ ଏହା ଏକ ବଡ଼ ଶିକ୍ଷା ଥିଲା।