ରୋହିତଙ୍କ ‌ନେତୃତ୍ବ ଶୈଳୀ ଧୋନିଙ୍କ ଭଳି: ରାଇନା

ନୂଆଦିଲ୍ଲୀ: ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବ ନେବାର ଶୈଳୀ ଅଧିନାୟକ ବିରାଟ କୋହଲିଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା। ହେଲେ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ବୋଲି ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ବିଶ୍ବାସ କରନ୍ତି। ରୋହିତଙ୍କ ଅଧିନାୟକତ୍ବ ଶୈଳୀ ଏମ୍‌ଏସ୍‌ଡିଙ୍କ ଭଳି। ସେ ଶାନ୍ତ ଭାବରେ ସବୁ କାର୍ଯ୍ୟ କରନ୍ତି ଏବଂ ଖେଳାଳିଙ୍କୁ ଉତ୍ସାହିତ କରନ୍ତି। ସେ ସବୁବେଳେ ବିନ୍ଦାସ। ବ୍ୟାଟିଂ କରିବାକୁ ଗଲା ବେଳେ ସେ ରନ୍‌ କରିବା ହିଁ ଜାଣିଥାନ୍ତି। ତାଙ୍କର ଆତ୍ମବିଶ୍ୱାସ ଲାଗି ଅନ୍ୟମାନେ ଉତ୍ସାହିତ ହୋଇଥାନ୍ତି। ଏଥିପାଇଁ ମୁଁ ରୋହିତଙ୍କୁ ଅଧିକ ପସନ୍ଦ କରେ ବୋଲି ରାଇନା କହିଛନ୍ତି।

ମୁଁ ନିକଟରେ ପୁଣେ ବିପକ୍ଷ ଫାଇନାଲରେ ମୁମ୍ବାଇ ଅଧିନାୟକ ରୋହିତଙ୍କ ୨-୩ଟି ଭଲ ପଦକ୍ଷେପ ଦେଖିଥିଲି। ଶୁଷ୍କ ୱିକେଟ୍‌ରେ ‌କିଭଳି ବୋଲର ବଦଳାଇ ବିପକ୍ଷ ଉପରେ ଚାପ ସୃ‌ଷ୍ଟି କରିଥିଲେ। ସେ ନିଜେ ଏହି ସବୁ ନିଷ୍ପତ୍ତି ନେଉଥିଲେ। ହଁ, ବାହାରୁ ତ କିଛି ପରାମର୍ଶ ନିଶ୍ଚୟ ଆସିବ କିନ୍ତୁ ସେ ଜାଣନ୍ତି କେତେବେଳେ କ’ଣ କରାଯିବ। ସେ ଅଧିନାୟକ ଭାବେ ଅନେକ ଟ୍ରଫି ଜିତିଛନ୍ତି ବୋଲି ୟୁଟ୍ୟୁବ୍‌ ପେଜ୍‌ ସ୍ପୋର୍ଟ୍ସସ୍କ୍ରିନ୍‌ରେ ରାଇନା କହିଛନ୍ତି। ଧୋନିଙ୍କ ସହ ସେ କେବେ ବ୍ୟାଟିଂ କ୍ରମ ନେଇ ଆଲୋଚନା କରିଛନ୍ତି କି? ଏହାର ଉତ୍ତରରେ ରାଇନା କହିଛନ୍ତି ନା, ମୁଁ ତାଙ୍କୁ ଏ ବିଷୟରେ କେବେ ବି ପ୍ରଶ୍ନ କରିନି। ମୋର ମନେ ଅଛି ୨୦୧୫ ବିଶ୍ୱକପ୍ ସମୟରେ ସେ ମୋତେ ବ୍ୟାଟିଂ କରିବା ପାଇଁ ଅଧିକ ଆଦେଶ ପଠାଇଥିଲେ ଏବଂ ମୁଁ ସେହି ମ୍ୟାଚ୍‌ରେ ୭୦-୮୦ ରନ୍‌ କରିଥିଲି। ଏହା ପରେ ସେହି ସନ୍ଧ୍ୟାରେ ମୁଁ ତାଙ୍କୁ ପଚାରିଲି, ତୁମେ ମୋତେ କାହିଁକି ଉପରେ ପଠାଇବାକୁ ଚିନ୍ତା କଲ। ସେ କହିଲେ ଦୁଇ ଜଣ ଲେଗ୍ ସ୍ପିନର ବୋଲିଂ କରୁଥିଲେ ଏଥପାଇଁ ପଠାଇଥିଲି। ଏବେ ସୁଦ୍ଧା ମୁଁ ସେହି ଘଟଣାଗୁଡ଼ିକୁ ମନେ ପକାଇଥାଏ। କିନ୍ତୁ ମୁଁ ଜାଣେ ଯେ ଧୋନି ସବୁବେଳେ ଆମଠାରୁ ଗୋଟିଏ ପାଦ ଆଗକୁ ଭାବୁଥିଲେ। କାରଣ ସେ ଷ୍ଟମ୍ପ ପଛରେ ଠିଆ ହୋଇ ସବୁ ଅନୁଧ୍ୟାନ କରନ୍ତି। ବଲ୍‌ କେତେ ସୁଇଙ୍ଗ୍ କରୁଛି, କେତେ‌ ବୁଲୁଛି ତାଙ୍କୁ ଜଣାଥାଏ। ଏଥିରେ ତାଙ୍କର ଭୁଲ୍‌ ହୋଇନଥାଏ। ଭଗବାନ ତାଙ୍କୁ ନିଶ୍ଚିତ ଭାବରେ କିଛି ବିଶେଷ ଦକ୍ଷତା ଦେଇଛନ୍ତି ଏବଂ ସେଥିପାଇଁ ସେ ଜଣେ ସଫଳ ନେତା ହୋଇ ପାରିଛନ୍ତି ବୋଲି ରାଇନା କହିଛନ୍ତି।

ଆଇପିଏଲ୍ ଉପରେ ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ମନ୍ତବ୍ୟ ବିଷୟରେ ପଚରାଯିବାରୁ ରାଇନା କହିଛନ୍ତି ଯେ ମୁଁ ଭାବୁନାହିଁ ଯେ ବିଦେଶୀ ଖେଳାଳି ବିନା ଆଇପିଏଲ୍ କୌତୁହଳପୂର୍ଣ୍ଣ ହେବ। ବିଦେଶୀ ଖେଳାଳିମାନେ ଖେଳିବା ଆବଶ୍ୟକ। ସେମାନଙ୍କ ନିକଟରେ ଭିନ୍ନ ଅଭିଜ୍ଞତା ରହିବା ସହ ଅହ୍ବାନ ଆଣିଥାନ୍ତି। ଯାହାହେଉ, ନିୟମ ଅନୁସାରେ ପ୍ରତ୍ୟେକ ଦଳରେ ଚାରିଜଣ ବିଦେଶୀ ଖେଳାଳି ରହୁଛନ୍ତି। ସମସ୍ତେ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି। ଏମାନଙ୍କ ଅଭିଜ୍ଞତାରୁ ଯୁବ ଖେଳାଳିମାନେ ଶିକ୍ଷା ଗ୍ରହଣ କରିଥାନ୍ତି ବୋଲି ରାଇନା କହିଛନ୍ତି।

ସମ୍ବନ୍ଧିତ ଖବର