ରୋହିତ ପଞ୍ଚମକୁ ଉଠିଲେ

ବିଶାଖାପାଟଣା: ମୋହାଲିରେ ଖେଳା ଯାଇଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ମୁକାବିଲାରେ ତୃତୀୟ ଦିନିକିଆ ଦ୍ୱିଶତକ ହାସଲ କରିଥିବା ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ସଦ୍ୟ ପ୍ରକାଶିତ ଆଇସିସି ମାନ୍ୟତାରେ ଦୁଇଟି ସ୍ଥାନ ଉପରକୁ ଉଠି ପଞ୍ଚମରେ ପହଞ୍ଚି ଯାଇଛନ୍ତି। ରୋହିତ ଚଳିତ ବର୍ଷ ଫେବ୍ରୁଆରିରେ ନିଜ ଖେଳ ଜୀବନର ଶ୍ରେଷ୍ଠ ମାନ୍ୟତା ହାସଲ କରି ତୃତୀୟ ସ୍ଥାନକୁ ଉଠିଥିଲେ। ଏହା ପରେ କିନ୍ତୁ ସପ୍ତମ ସ୍ଥାନକୁ ଖସି ଯାଇଥିଲେ। ତେବେ ମୋହାଲିରେ ଦ୍ୱିଶତକୀୟ ପାଳି ଖେଳିବା ପରେ ସେ ପୁଣି ଥରେ ଶ୍ରେଷ୍ଠ ୫ ମଧ୍ୟରେ ପ୍ରବେଶ କରିବା ସହ ପ୍ରଥମ ଥର ପାଇଁ ୮୦୦ ପଏଣ୍ଟର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଏହି ୩୦ ବର୍ଷୀୟ ତାରକାଙ୍କ ଯୋଡ଼ିଦାର ଶିଖର ଧାଓ୍ଵନ ଗୋଟିଏ ସ୍ଥାନ ଆଗକୁ ବଢ଼ି ଚତୁର୍ଦଶ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ବୋଲରଙ୍କ ମଧ୍ୟରେ ଯୁଜବେନ୍ଦ୍ର ଚହଲ ୨୩ ସ୍ଥାନ ଲମ୍ଫ ମାରି ୨୮ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଶ୍ରୀଲଙ୍କ ଶୃଙ୍ଖଳାରେ ୬ ଓ୍ଵିକେଟ୍‌ ନେବା ପରେ ସେ ଏହି ସଫଳତା ଲାଭ କରିଛନ୍ତି। ଚାଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବ ୧୬ ସ୍ଥାନ ଉପରକୁ ଉଠି ୫୬ ଏବଂ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ୧୦ ସ୍ଥାନ ଆଗକୁ ବଢ଼ି ଖେଳ ଜୀବନର ଶ୍ରେଷ୍ଠ ୪୫ତମ ସ୍ଥାନରେ ଅଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଉପୁଲ ତରଙ୍ଗା ୩୬ ଏବଂ ନିରୋସାନ ଡିକେଓ୍ଵଲା ୩୭ତମ ସ୍ଥାନକୁ ଉଠି ଯାଇଛନ୍ତି। ଦ୍ରୁତ ବୋଲର ସୁରଙ୍ଗ ଲାକମଲ (୧୪ ସ୍ଥାନ ଉପରକୁ ଉଠି ୨୨) ଏବଂ ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ (୯ ସ୍ଥାନ ଉପରକୁ ଉଠି ୪୫) ମଧ୍ୟ ଲାଭବାନ ହୋଇଛନ୍ତି। ଦଳଗତ ଦିନିକିଆ ମାନ୍ୟତାରେ କୌଣସି ପରିବର୍ତନ ହୋଇ ନଥିଲା ବେଳେ ଭାରତ ଦ୍ୱିତୀୟରେ ସ୍ଥିର ରହିଛି।

ସମ୍ବନ୍ଧିତ ଖବର