ରୋନାଲ୍‌ଡୋଙ୍କୁ ପଞ୍ଚମ ଥର ବାଲନ୍‌ ଡି’ଓର୍‌ ସମ୍ମାନ

ମେସିଙ୍କ ସମକକ୍ଷ

ପ୍ୟାରିସ୍‌: ପର୍ତୁଗାଲ୍‌ ଫୁଟ୍‌ବଲ୍‌ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋ ପଞ୍ଚମ ଥର ପାଇଁ ବାଲନ୍‌ ଡି’ଓର୍‌ ପୁରସ୍କାର ହାତେଇଛନ୍ତି। ଗୁରୁବାର ରାତିରେ ପ୍ରଦାନ କରାଯାଇଥିବା ଏହି ସମ୍ମାନ ଅର୍ଜନରେ ରୋନାଲଡୋ ଆର୍ଜେଣ୍ଟିନା କିମ୍ବଦନ୍ତୀ ଲିଓନେଲ୍‌ ମେସିଙ୍କ କୀର୍ତିମାନର ସମକକ୍ଷ ହୋଇଛନ୍ତି। ମେସି ମଧ୍ୟ ୫ ଥର ବାଲନ୍‌ ଡି’ଓର୍‌ ପୁରସ୍କାର ପାଇଥିଲେ। ୧୯୫୬ ମସିହାରେ ପ୍ରଥମ ଥର ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ୨୦୧୦ରୁ ୨୦୧୫ ମସିହା ପର୍ଯ୍ୟନ୍ତ ଫିଫା ପ୍ରାୟୋଜିତ କରିଥିଲା। ତା ପରଠାରୁ ପୁଣି ଏହି ପୁରସ୍କାର ନିଜସ୍ୱ ପାଲଟିଯାଇଛି। ଚଳିତ ବର୍ଷ ପର୍ତୁଗାଲ୍‌କୁ ୨୦୧୮ ରୁଷିଆ ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନ କରାଇବାରେ ରୋନାଲ୍‌ଡୋ ପ୍ରମୁଖ ଭୂମିକା ତୁଲାଇଥିଲେ। ମାଞ୍ଚେଷ୍ଟର୍‌ ୟୁନାଇଟେଡ୍‌ ସହିତ ଥିବାବେଳେ ୨୦୦୮ ମସିହାରେ ରୋନାଲ୍‌ଡୋ ପ୍ରଥମ ଥର ବାଲନ୍‌ ଡି’ଓର୍‌ ପୁରସ୍କାର ପାଇଥିଲେ। ଏହା ପରେ ୨୦୧୩, ୨୦୧୪ ଏବଂ ୨୦୧୬ରେ ବିଜେତା ହୋଇଥିଲେ। ଏହି ପୁରସ୍କାର ରୋନାଲ୍‌ଡୋଙ୍କ ପାଇଁ ମାସକ ଭିତରେ ଦୋହରା ଖୁସୀ ଆଣି ଦେଇଛି। ଗତ ମାସରେ ୩୨ ବର୍ଷୀୟ ରୋନାଲ୍‌ଡୋ ଫିଫାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରୋନାଲ୍‌ଡୋଙ୍କ ବାର୍ସିଲୋନା ପ୍ରତିଦ୍ୱନ୍ଦ୍ୱୀ ଲିଓନେଲ୍‌ ମେସି ୨୦୦୯, ୨୦୧୦, ୨୦୧୧, ୨୦୧୨ ଏବଂ ୨୦୧୫ରେ ଏହି ମୁକୁଟ ପରିଧାନ କରିଥିଲେ। ଗତବର୍ଷ ୟୁରୋପୀୟ ପ୍ରତିିଯୋଗିତା ଏବଂ ଚାମ୍ପିଅନ୍‌ସ ଲିଗ୍‌ ବିଜେତା ଦଳର ସଦସ୍ୟ ଭାବେ ରୋନାଲ୍‌ଡୋ ମଧ୍ୟ ଏହି ପୁରସ୍କାରର ହକ୍‌ଦାର ଥିଲେ। ଗୁରୁବାର ରାତିରେ ଫ୍ରାନ୍‌ସ ଫୁଟ୍‌ବ୍‌ଲ ପତ୍ରିକା ପକ୍ଷରୁ ପ୍ରଦତ୍ତ ଏହି ପୁରସ୍କାର ଦୌଡ଼ରେ ମେସି ଓ ନେମାର ପଛରେ ପଡ଼ିଯାଇଥିଲେ। ‘ଏହା ମୋତେ ଆନନ୍ଦିତ କରିଛି ନିଶ୍ଚିତ, ମୋ ଖେଳ ଜୀବନର ଏହା ବଡ଼ ମୁହୂର୍ତ। ଏହି ପୁରସ୍କାରକୁ ମୁଁ ପ୍ରତିବର୍ଷ ଜିତିବାକୁ ଚାହେଁ’ ବୋଲି କହିଥିଲେ ରୋନାଲ୍‌ଡୋ।

ସମ୍ବନ୍ଧିତ ଖବର