ରୋନାଲ୍‌ଡୋ ରୋମାଞ୍ଚ ମରକ୍କୋକୁ ବିଦାକଲା ପର୍ତୁଗାଲ

ମସ୍କୋ: ମସ୍କୋରେ ପର୍ତୁଗାଲର ମହାନ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ରାଜୁତି ଜାରି ରହିଛି। ଶକ୍ତିଶାଳୀ ସ୍ପେନ୍‌ ବିପକ୍ଷରେ ହ୍ୟାଟ୍ରିକ୍‌ ଗୋଲ୍‌ରୁ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଥିବା ରୋନାଲଡୋ ବୁଧବାରର ମରକ୍କୋ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଏକାକି ପର୍ତୁଗାଲକୁ ବିଜୟ ଉପହାର ଦେଇଛନ୍ତି। ତାଙ୍କ ଚତୁର୍ଥ ମିନିଟ୍‌ ଗୋଲ୍‌ ବଳରେ ମରକ୍କୋକୁ ୧-୦ ଗୋଲ୍‌ରେ ହରାଇ ପର୍ତୁଗାଲ ପ୍ରି-କ୍ୱାର୍ଟର ଯିବାର ଦ୍ୱାର ଦେଶରେ ପହଞ୍ଚି ଯାଇଛି। ସ୍ପେନ୍‌ ବିପକ୍ଷ ଅମୀମାଂସିତ ମୁକାବିଲାରୁ ୧ ପଏଣ୍ଟ ସହ ସଂପ୍ରତି ମୋଟ ୪ ପଏଣ୍ଟ ପାଇଁ ନିଜ ଗ୍ରୁପର ପଏଣ୍ଟ ତାଲିକାରେ ମଧ୍ୟ ପ୍ରଥମ ସ୍ଥାନରେ ରହିଛି। ପର୍ତୁଗାଲକୁ ବୁଧବାର ପ୍ରଥମ ବିଜୟ ଦେଇଥିବା ରୋନାଲ୍‌ଡୋ (୮୫ ଗୋଲ୍‌) ବ୍ୟକ୍ତିଗତ ଭାବେ ମଧ୍ୟ ଏକ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ହଙ୍ଗେରିର ଫେରେନ୍ସ ପୁସକାସ୍‌ଙ୍କୁ ପଛରେ ପକାଇ ସେ ୟୁରୋପର ସର୍ବାଧିକ ଗୋଲ୍‌ ସ୍କୋରର ହୋଇଛନ୍ତି। ଅନ୍ତର୍ଜାତୀୟ ଫୁଟ୍‌ବଲରେ ସର୍ବାଧିକ ସଂଖ୍ୟକ ଗୋଲ୍‌ ଦେଇଥିବା ଖେଳାଳି ତାଲିକାରେ ସେ ଏବେ କେବଳ ଇରାନର ଅଲ୍ଲୀ ଦାଏ (୧୦୯ ଗୋଲ୍‌)ଙ୍କ ପଛରେ ରହିଛନ୍ତିି। ସେପଟେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋର ମସ୍କୋ ବିଶ୍ୱକପ୍‌ ଅଭିଯାନ ଆଜି ଶେଷ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଇରାନଠାରୁ ୦-୧ରେ ହାରିଥିବା ଏହି ଦେଶ ବୁଧବାର ପର୍ତୁଗାଲଠାରୁ ସେହି ବ୍ୟବଧାନରେ ହାରି ପ୍ରି-କ୍ୱାର୍ଟର ଦୌଡ଼ରୁ ବାଦ ପଡ଼ିଛି। ୨୫ ତାରିଖରେ ନିଜ ଶେଷ ଲିଗ୍‌ ମ୍ୟାଚ୍‌ରେ ମରକ୍କୋ ଅନ୍ୟତମ ୟୁରୋପୀୟ ଶକ୍ତି ସ୍ପେନ୍‌କୁ ଭେଟିବ। ହେଲେ ଏହି ମ୍ୟାଚ୍‌ର ଫଳାଫଳ ମରକ୍କୋର ବିଦାୟକୁ ରୋକି ପାରିବ ନାହିଁ। କାରଣ ପ୍ରଥମ ଦୁଇ ମ୍ୟାଚ୍‌ରେ ଏହି ଦଳ ନିଜ ଗୋଲ୍‌ ଖାତା ଖୋଲିବାକୁ ସକ୍ଷମ ହୋଇ ନାହିଁ। ମସ୍କୋରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ପର୍ତୁଗାଲର ପଲ୍ଲା ଆରମ୍ଭରୁ ଭାରି ରହିଥିଲା। ଚତୁର୍ଥ ମିନିଟ୍‌ରେ ହିଁ ରୋନାଲଡୋଙ୍କ ହେଡର ବଳରେ ଏହି ଦଳ ଆଗୁଆ ହୋଇ ଯାଇଥିଲା। ପ୍ରଥମାର୍ଧ ସୁଦ୍ଧା ମଧ୍ୟ ଏହି ସ୍ଥିତି ଅପରିବର୍ତିତ ରହିଥିଲା। ଦ୍ୱିତୀୟାର୍ଧରେ ମରକ୍କୋ ରକ୍ଷଣଭାଗ ଖେଳାଳିମାନେ ପର୍ତୁଗାଲକୁ ଆଉ ଗୋଲ୍‌ କରିବାକୁ ଦେଇ ନଥିଲେ। ହେଲେ ପ୍ରଥମାର୍ଧ ଗୋଲକୁ ମଧ୍ୟ ଶୁଝି ପାରି ନଥିଲେ। ସେମାନେ ମଧ୍ୟ ଏକାଧିକ ନିଶ୍ଚିତ ସୁଯୋଗ ହାତଛଡ଼ା କରିଥିଲେ। ଯାହା ଫଳରେ ପର୍ତୁଗାଲ ପ୍ରତୀକ୍ଷିତ ବିଜୟ ହାସଲ କରି ପୂରା ୩ ପଏଣ୍ଟ ଅର୍ଜନ କରି ନେଇଥିଲା।

କାଜାନ କାନ୍ଥରେ

ସ୍ପେନ୍‌ ବିପକ୍ଷରେ ହ୍ୟାଟ୍ରିକ୍‌ ଗୋଲ୍‌ ଦେବା ପରେ ପର୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲଡୋ ଫୁଟବଲ୍‌ ପ୍ରଶଂସକଙ୍କ ଗେଲ୍ହା ପୁଅ ପାଲଟି ଯାଇଛନ୍ତି। ଏହି ମ୍ୟାଚ୍‌ ପରେ ପରେ ରୋନାଲଡୋଙ୍କ ନିଜ ସହର ମାଦେରା ବିମାନ ବନ୍ଦରରେ ଲାଗିଥିବା ତାଙ୍କ ବିକୃତ କାଂସ୍ୟ ପ୍ରତିକୃତିକୁ ତୁରନ୍ତ ବଦଳାଇ ଦିଆ ଯାଇଥିଲା। ସେହିଭଳି ଚଳିତ ବିଶ୍ୱକପ୍‌ର ଅନ୍ୟତମ ଆୟୋଜକ ସହର କାଜାନର କାନ୍ଥରେ ମଧ୍ୟ ତାଙ୍କର ବଡ଼ ବଡ଼ ଚିତ୍ର ଶୋଭା ପାଇଲା। ଆଗରୁ ଅଙ୍କା ଯାଇଥିବା ଚିତ୍ରଗୁଡ଼ିକୁ ନୂଆ ରୂପ ଦିଆ ଯାଇଥିଲା। ତେବେ ଦିମିତ୍ରୀ ଚାଲୋଭ ନାମକ ଜଣେ ରୁଷୀୟ ଚିତ୍ରକର ଏକ ସୁଉଚ୍ଚ ଦୁଇ ମହଲା ଅଟ୍ଟାଳିକାର କାନ୍ଥରେ କରିଥିବା ଚିତ୍ର ସବୁଠାରୁ ମନୋହର ଏବଂ ସୁନ୍ଦର ହୋଇଛି। ଯାହାକୁ ରୁଷିଆ ସହ ସେଠାକୁ ବିଶ୍ୱକପ୍‌ ଦେଖିବାକୁ ଯାଇଥିବା ଭିନ୍ନ ଭିନ୍ନ ଦେଶର ପ୍ରଶଂସକ ବେଶ୍‌ ପସନ୍ଦ କରୁଛନ୍ତି।

ସମ୍ବନ୍ଧିତ ଖବର