ହୋଟେଲ କର୍ମଚାରୀଙ୍କୁ ୧୬ ଲକ୍ଷର ଟିପ୍ସ ଦେଲେ ରୋନାଲ୍‌ଡୋ

ଏଥେନ୍ସ: ପର୍ତୁଗାଲର ମହାନ ଫୁଟ୍‌ବଲର୍‌ କ୍ରିଷ୍ଟିଆନୋ ରୋନାଲଡୋ ପଡ଼ିଆ ଭିତରେ ଯେତିକି ସଫଳ ପଡ଼ିଆ ବାହାରେ ତାଠାରୁ ଅଧିକ ଚର୍ଚିତ। ଉଦାର ହୃଦୟର ଅଧିକାରୀ ରୋନାଲଡୋ ବିନା ଦ୍ୱିଧାରେ ଗରିବ ଓ ଅସହାୟ ଲୋଙ୍କୁ କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ଦିଅନ୍ତି। ନିକଟରେ ଗ୍ରିସ୍‌ର ଏକ ହୋଟେଲରେ ରହୁଥିଲା ବେଳେ ସେଠାକାର କର୍ମଚାରୀଙ୍କ ସେବାରେ ଖୁସି ହୋଇ ରୋନାଲଡୋ ୧୬ ଲକ୍ଷ ଟଙ୍କାର ଟିପ୍ସ ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ବିଶ୍ୱକପ୍‌ର ପ୍ରି-କ୍ୱାର୍ଟରରୁ ପର୍ତୁଗାଲ ବିଦାୟ ନେବାର ଦୁଃଖକୁ ଦୂର କରିବା ଲାଗି ରୋନାଲଡୋ ପରିବାର ସହ ଗ୍ରିସର ବିଳାଶପୂର୍ଣ୍ଣ ହୋଟେଲରେ ଛୁଟି କଟାଇବାକୁ ଚାଲି ଯାଇଥିଲେ। ହୋଟେଲ କର୍ମଚାରୀ ତାଙ୍କୁ ନିଜ ସେବା ଯତ୍ନରେ ଏତେ ଖୁସି କରିଦେଇଥିଲେ ଯେ ସେଠାରୁ ଯିବା ପୂର୍ବରୂ ସେ ୧୭୮୫୦ ପାଉଣ୍ଡ ବା ପାଖା ପାଖି ୧୬ ଲକ୍ଷ ଟଙ୍କା ଟିପ୍ସ୍‌ ଆକାରରେ ପ୍ରବନ୍ଧକଙ୍କୁ ଦେଇଥିଲେ। ଏହାକୁ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିଦେବାକୁ ମଧ୍ୟ କହିଥିଲେ। ୩୩ ବର୍ଷୀୟ ରୋନାଲଡୋ ଗତ ୮ ବର୍ଷ ଧରି ସ୍ପେନର ରିଅଲ ମାଦ୍ରିଦ ଦଳ ପକ୍ଷରୁ ଖେଳୁଥିଲେ। ନିକଟରେ ସେ ଇଟାଲିର ଜୁଭେଣ୍ଟ୍ସ କ୍ଲବ୍‌ରେ ଯୋଗ ଦେଇଛନ୍ତି।

 

ସମ୍ବନ୍ଧିତ ଖବର