ରୁଟ୍‌ଙ୍କ ଦ୍ରୁତତମ ୬୦୦୦ ରନ୍‌

ଏଜ୍‌ବାଷ୍ଟନ୍‌: ଟେଷ୍ଟ ପଦାର୍ପଣର ସବୁଠୁ କମ୍‌ ସମୟ ମଧ୍ୟରେ ୬୦୦୦ ରନ୍‌ ସଂଗ୍ରହ କରିବାରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଦ୍ରୁତତମ କୀର୍ତିମାନ ପାଇଛନ୍ତି। ଏଠାରେ ବୁଧବାରଠୁ ଆରମ୍ଭ ହୋଇଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ ୪୦ ରନ୍‌ କରିଥିଲା ବେଳେ ରୁଟ୍‌ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଇଂଲଣ୍ଡର ଏହି ୧୦୦୦ତମ ଟେଷ୍ଟରେ ନିଜର ୧୨୭ତମ ପାଳି ଖେଳୁଥିବା ୨୭ ବର୍ଷ ବୟସ୍କ ରୁଟ୍‌ ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କୁ ଏକ ଚୌକା ମାରି ୬୦୦୦ ଟେଷ୍ଟ ରନ୍‌ ପୂରଣ କରିଥିଲେ। ନିଜ ଟେଷ୍ଟ ଜୀବନର ୫ ବର୍ଷ ୨୩୧ ଦିନରେ ହିଁ ରୁଟ୍‌ ୬୦୦୦ ରନ୍‌ କରି ଦ୍ରୁତତମ (ସମୟ ବ୍ୟବଧାନରେ) ସାବ୍ୟସ୍ତ ହୋଇଥିଲା ବେଳେ ନିଜ ଦେଶର ପୂର୍ବତନ ଅଧିନାୟକ ଆଲେଷ୍ଟର କୁକ୍‌ଙ୍କୁ ଟପି ଯାଇଛନ୍ତି। କୁକ୍‌ ୫ ବର୍ଷ ୩୩୯ ଦିନରେ ଏହି ମାଇଲଖୁଣ୍ଟ୍‌ ଅତିକ୍ରମ କରି ଏପର୍ଯ୍ୟନ୍ତ କୀର୍ତିମାନ ଅତୁଟ ରଖିଥିଲେ। ୬୦୦୦ ଟେଷ୍ଟ ରନ୍‌ କରିବାରେ ରୁଟ୍‌ ଇଂଲଣ୍ଡର ପଞ୍ଚଦଶ କ୍ରିକେଟର୍‌ ହୋଇଥିଲା ବେଳେ ଡବ୍ଲୁଆର୍‌ ହାମଣ୍ଡ୍‌ (୧୧୪ ପାଳି), ଏଲ୍‌ ହଟନ୍‌ ଓ କେଏଫ୍‌ ବାରିଙ୍ଗ୍‌ଟନ୍‌ (ଉଭୟ (୧୧୬ ପାଳି)ଙ୍କ ପଛକୁ ଚତୁର୍ଥ ଦ୍ରୁତତମ ଇଂଲିସ୍‌ ବ୍ୟାଟ୍‌ସମ୍ୟାନ୍‌ ବିବେଚିତ ହୋଇଛନ୍ତିି। ତେବେ ପାଳି ବ୍ୟବଧାନରେ ୬୦୦୦ ଟେଷ୍ଟ ରନ୍‌ କରିବାର କୀର୍ତିମାନ ଏବେ ବି ଡୋନାଲ୍‌ଡ ବ୍ରାଡ୍‌ମ୍ୟାନ୍‌ଙ୍କ ନାମରେ ରହିଛି। ଏହି ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ୬୮ ପାଳିରେ ଏହି ମାଇଲଖୁଣ୍ଟ୍‌ ଅତିକ୍ରମ କରିଥିଲେ।

ସମ୍ବନ୍ଧିତ ଖବର