ହକିପ୍ରେମୀ ନିରାଶ ! ଅନଲାଇନରେ ଟିକେଟ ବିକ୍ରି କରିବେ କହି ଭଣ୍ଡେଇଦେଲେ; କୁଆଡେ ଗଲା ହଜାର ହଜାର ଟିକେଟ ?

ଭୁବନେଶ୍ୱର : ବିଶ୍ୱକପ ହକି ଟିକେଟ ବିକ୍ରିକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି । ଉଦଘାଟନୀ ସମାରୋହ ପାଇଁ ଆଜି ମଧ୍ୟାହ୍ନ ୧୨ଟାରେ www.ticketgenie.in ସାଇଟ ଜରିଅାରେ ଅନଲାଇନ ବୁକିଂ ଆରମ୍ଭ ହୋଇଥିଲେ ମଧ୍ୟ ଟିକେଟ ନ ମିଳିବାରୁ ହକିପ୍ରେମୀମାନେ ନିରାଶ ହୋଇଛନ୍ତି । ଏପରିକି କୌଣସି ଟିକେଟ ନ ଥାଇ ଅନଲାଇନରେ ଟିକେଟ ବିକ୍ରି କରିବାକୁ ଘୋଷଣା କରାଯାଇଥିବା ଅଭିଯୋଗ ଅାସିଛି । କାରଣ ଘଣ୍ଟା ଘଣ୍ଟା ଅପେକ୍ଷା କରି ସିରିୟଲ୍ ନମ୍ବର ପାଇବା ପରେ ‘ଟିକେଟ ସୋଲ୍ଡ ଅାଉଟ୍’ ମେସେଜ ଦେଖିଥିଲେ ଦର୍ଶକ। ପ୍ରଥମେ ସାଇଟ୍‌ କ୍ରାସ କରିଯିବାରୁ ଲୋକେ ଲଗ୍ ଇନ୍ କରିପାରୁ ନ ଥିଲେ। ପରେ  ଲଗ୍ ଇନ୍ ହୋଇ ଥିଲେ ମଧ୍ୟ ଟିକେଟ ପାଇ ନ ଥିଲେ ହକିପ୍ରେମୀ। ହକିପ୍ରେମୀ ପ୍ରଶ୍ନ କରୁଛନ୍ତି କୁଆଡେ ଗଲା ହଜାର ହଜାର ଟିକେଟ ?

ଚର୍ଚ୍ଚା ହେଉଛି, ଜାଣିଶୁଣି ଲୋକଙ୍କୁ  ଭକୁଅା କରାଯାଇଛି । ସୀମିତ ଟିକେଟ ଅନଲାଇନ ବୁକିଂ ଲାଗି ଛଡ଼ାଯାଇଛି। କାଳେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ରାଗ ସୃଷ୍ଟି ହେବ ସେଥିପାଇଁ ଅନଲାଇନ ନାଁରେ ଲୋକଙ୍କୁ ଭଣ୍ଡାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ଘୋଷଣା କରିଥିଲେ, ୨୦ ତାରିଖ ଅପରାହ୍ନ ୧୨ଟାରେ ଅନଲାଇନରେ ଟିକେଟ ବିକ୍ରି ହେବ । ଅଫଲାଇନରେ ଟିକେଟ ବିକ୍ରି କରାଯିବ ନାହିଁ । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ହେଉଥିବା ଏହି ବିଶ୍ୱସ୍ତରୀୟ କ୍ରୀଡା ପାଇଁ ଲୋକଙ୍କ ମଧ୍ୟରେ ଢେର ଆଗ୍ରହ ଦେଖିବାକୁ ମିଳିଥିଲା । ହେଲେ, ଟିକେଟ ନାଁରେ ଲୋକଙ୍କ ଭାବନା ସହ ଖେଳ ଖେଳାଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସରେ,୧୨ଟାରେ ଯେତେବେଳେ ଅନଲାଇନରେ ଟିକେଟ ବୁକ୍ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇ ବସିଥିଲେ ଠିକ ସେତିକିବେଳେ ସାଇଟ୍ କ୍ରାସ୍ କରିଯାଇଥିଲା । ଅର୍ଥାତ୍, ଅଧିକାରୁ ଅଧିକ ଲୋକ ଏକା ସମୟରେ ଟିକେଟ ବୁକ୍ କରିବାକୁ ସାଇଟ୍ ଖୋଲିବାରୁ ଏହା କ୍ରାଶ୍ କରିଯାଇଥିଲା । ତେବେ ପ୍ରଶ୍ନ ଉଠୁଛି, ଟିକେଟ ବିଶ୍ୱକପ ପାଇଁ ଅଧିକ ଲୋକ ସାଇଟକୁ  ଆସିବେ ବୋଲି କ’ଣ ହକି ଇଣ୍ଡିଆ ଜାଣିନଥିଲା? କାହିଁକି ଅନଲାଇନରେ ଭୁବନେଶ୍ୱର ପାଇଁ ୧୨ ହଜାର ଓ କଟକ ପାଇଁ ୩୦ ହଜାର ଟିକେଟ ବିକ୍ରି ହେବ ବୋଲି କୁହାଗଲା? ପ୍ରକୃତରେ ଅନଲାଇନରେ ଟିକେଟ ବିକ୍ରି ହେବାର ଥିଲା ନା କ୍ରୀଡାପ୍ରେମୀଙ୍କ ଭାବନାକୁ ଆଘାତ ଦିଆଗଲା? କ୍ରୀଡାର ଏହି ମହାକୁମ୍ଭ ଦେଖିବାକୁ ଲୋକଙ୍କ ଭିତରେ ଢେର ଆଗ୍ରହ ରହିଛି । ହେଲେ ଟିକେଟକୁ ନେଇ ସବୁଠାରୁ ବଡ ବିବାଦ ଦେଖିବାକୁ ମିଳିଛି । ଅଫଲାଇନରେ ଟିକେଟ ବିକ୍ରି କରିବାକୁ କହି ପୂର୍ବରୁ ବିବାଦୀୟ ହୋଇଥିବା କ୍ରୀଡା ବିଭାଗ ଏବେ ଅନଲାଇନ ଟିକେଟ ବିକ୍ରିକୁ ନେଇ ମଧ୍ୟ ବିବାଦ ଘେରକୁ ଆସିଛି । କୌଣସି ଟିକେଟ ନଥାଇ ଅନଲାଇନରେ ଟିକେଟ ବିକ୍ରି କରିବାକୁ ଘୋଷଣା କରାଯାଇଥିବା ଅଭିଯୋଗ ରହିଛି ।

ସମ୍ବନ୍ଧିତ ଖବର