ବର୍ମିଙ୍ଗ୍ହାମ୍: ଚଳିତ ବିଶ୍ବକପ୍ରେ ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜାସନ୍ ରୟ ବିଶୃଙ୍ଖଳିତ ଆଚରଣ ପାଇଁ ଜରିମାନା ପାଇଛନ୍ତି। ହେଲେ ସେ ଅଳ୍ପକେ ବାସନ୍ଦରୁ ବର୍ତି ଯାଇଛନ୍ତି। ଗୁରୁବାର ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍ ମ୍ୟାଚ୍ରେ ତାଙ୍କ ଆଉଟ୍ ନିଷ୍ପତ୍ତିକୁ ନେଇ ରୟ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ୬୫ ବଲ୍ରୁ ଆକର୍ଷଣୀୟ ୮୫ ରନ୍ କରିଥିବା ରୟ ପୁଲ୍ ସଟ୍ ଖେଳିବାକୁ ପ୍ରୟାସ କଲା ବେଳେ ପ୍ୟାଟ୍ କମିନ୍ସଙ୍କ ବଲ୍ରେ ୱିକେଟ୍ରକ୍ଷକ ଆଲେକ୍ସ କେରିଙ୍କ ହାତରେ ଧରା ପଡ଼ିଥିଲେ। ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କରିଥିଲେ। ହେଲେ ଟେଲିଭିଜନ୍ ରିପ୍ଲେରେ ବଲ୍ ତାଙ୍କ ବ୍ୟାଟ୍ କିମ୍ବା ଗ୍ଲୋଭ୍ସକୁ ଛୁଇଁ ନଥିବା ଦେଖାଯାଇଥିଲା। ଫଳରେ ରୟ ପଡ଼ିଆରେ ଛିଡ଼ା ହୋଇ ରହିଥିଲେ ଏବଂ ଦକ୍ଷିଣ ଆଫ୍ରିକୀୟ ଅମ୍ପାୟାର ମାରିଅସ୍ ଏରାସ୍ମସ୍ଙ୍କ ସହ ଯୁକ୍ତିତର୍କ କରିଥିଲେ। ସେ ମଧ୍ୟ ଆଉଟ୍ ବିରୋଧରେ ରିଭ୍ୟୁ ଆବେଦନ କରିଥିଲେ। ପଡ଼ିଆରେ ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ପ୍ରକାଶ କରିବା ଏବଂ ତାଙ୍କ ସହ ଯୁକ୍ତିତର୍କ କରିବା ଆଇସିସି ଆଚରଣ ବିଧିର ଉଲଂଘନ। ଫଳରେ ମ୍ୟାଚ୍ ରେଫରି ତାଙ୍କୁ ଜରିମାନା ଦଣ୍ଡ ଦେଇଥିଲେ। ଅବଶ୍ୟ ରୟ ମ୍ୟାଚ୍ ପରେ ତାଙ୍କ ଅପରାଧକୁ ସ୍ବୀକାର କରିନେବାରୁ ଆଉ ଶୁଣାଣିର ଆବଶ୍ୟକତା ପଡ଼ିନଥିଲା। ହେଲେଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ ରୟଙ୍କୁ ମ୍ୟାଚ୍ ପାଉଣାର ୩୦ ପ୍ରତିଶତ ଜରିମାନା ହେବା ସାଙ୍ଗକୁ ତାଙ୍କ ଖାତାରେ ଦୁଇଟି ବିଯୁକ୍ତ (ଡିମେରିଟ୍) ପଏଣ୍ଟ୍ ଯୋଡ଼ି ଦିଆଯାଇଛି। ଚଳିତ ବିଶ୍ବକପ୍ରେ ତାଙ୍କ ବିଯୁକ୍ତ ପଏଣ୍ଟ୍ ସଂଖ୍ୟା ୩ ହୋଇଯାଇଛି। ତେବେ ଯଦି ତାଙ୍କୁ ୩ ବିଯୁକ୍ତ ପଏଣ୍ଟ ମିଳିଥାନ୍ତା ତେବେ ଏହା ୪ ହୋଇଥାନ୍ତା। ଯାହା ଫଳରେ ନିୟମ ଅନୁଯାୟୀ ସେ ପରବର୍ତୀ ମ୍ୟାଚ୍ରୁ ବାସନ୍ଦ ହୋଇଥାନ୍ତେ। ହେଲେ ରୟ ସେଥିରୁ ଅଳ୍ପକେ ବର୍ତି ଯାଇଛନ୍ତି ଏବଂ ରବିବାର ଇଂଲଣ୍ଡ ବିପକ୍ଷ ଫାଇନାଲ୍ ଖେଳିବାରୁ ବଞ୍ଚିତ ହେବେ ନାହିଁ ବୋଲି ଆଇସିସି ସ୍ପଷ୍ଟ କରିଛି।
ବାସନ୍ଦରୁ ବର୍ତିଲେ ରୟ; ଫାଇନାଲ୍ ଖେଳିବେ
/sambad/media/post_attachments/wp-content/uploads/2019/07/Untitled-4-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)