କର୍ଷ୍ଟେନ୍‌ ଓ ନେହେରାଙ୍କୁ ବିଦା କଲା ଆର୍‌ସିବି, କଟିଚ୍‌ ମୁଖ୍ୟ ପ୍ରଶିକ୍ଷକ

ବେଙ୍ଗାଲୁରୁ: ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ତା’ର ସହକାରୀ ଅଧିକାରୀମାନଙ୍କ କ୍ଷେତ୍ରରେ ବଡ଼ଧରଣର ପରିବର୍ତନ କରିଛି। ଉଭୟ ବ୍ୟାଟିଂ ଓ ବୋଲିଂ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ୍‌ ଓ ଆଶିଷ ନେହେରାଙ୍କୁ ବହିଷ୍କୃତ କରିଛି। ତାଙ୍କ ବଦଳରେ ମାଇକ୍‌ ହେସନ୍‌ଙ୍କୁ କ୍ରିକେଟ୍‌ ଡାଇରେକ୍ଟର ଏବଂ ସାଇମନ୍‌ କଟିଚ୍‌ଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଥିବା ଘୋଷଣା କରିଛି। ୨୦୧୮ ଆଇପିଏଲ୍‌ ଋତୁରେ ଦଳର ଖରାପ ପ୍ରଦର୍ଶନ ପାଇଁ ପୂର୍ବତନ ନ୍ୟୁଜିଲାଣ୍ଡ୍‌ ଅଧିନାୟକ ଡାନିଏଲ୍‌ ଭିଟୋରିଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରୁ ତଡ଼ିଦେବା ପରେ ଆର୍‌ସିବି ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍‌ସମ୍ୟାନ୍‌ କର୍ଷ୍ଟେନ୍‌ ଏବଂ ପୂର୍ବତନ ଭାରତୀୟ ବାମହାତୀ ଦ୍ରୁତ ବୋଲର ନେହେରାଙ୍କୁ ବ୍ୟାଟିଂ ଓ ବୋଲିଂ ପ୍ରଶିକ୍ଷକ ପଦରେ ବସାଇଥିଲା। ଗୋଟିଏ ବର୍ଷ ପରେ ଦୁହିଁଙ୍କୁ ବହିଷ୍କୃତ ହେବାକୁ ପଡ଼ିଛି। ୨୦୧୯ ଋତୁରେ ଆର୍‌ସିବି ଏତେ ଖରାପ ପ୍ରଦର୍ଶନ କରିଥିଲା ଯେ ଉଭୟ ପ୍ରଶିକ୍ଷକଙ୍କ କାର୍ଯ୍ୟକାଳ ନେଇ ଫ୍ରାଞ୍ଚଇଜ୍‌କୁ ଭାବିବାକୁ ପଡ଼ିଥିଲା। ଶେଷରେ ବହୁ ପ୍ରଶିକ୍ଷକ ଫର୍ମୁଲାକୁ ଏଡ଼ାଇ ଏକକ ପ୍ରଶିକ୍ଷକକୁ ଆପଣେଇଛି ଆର୍‌ସିବି। ଦଳର ପ୍ରଦର୍ଶନକୁ ଉଚ୍ଚକୁ ନେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଆର୍‌ସିବି ଅଧ୍ୟକ୍ଷ ସଞ୍ଜୀବ ଚୁରିୱାଲା କହିଛନ୍ତି। ଏଥିପାଇଁ ଫ୍ରାଞ୍ଚାଇଜ୍‌ ପୂର୍ବତନ ନ୍ୟୁଜିଲାଣ୍ଡ୍‌ ଏବଂ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ପ୍ରଶିକ୍ଷକ ହେସନ୍‌ ଏବଂ ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ ତଥା‌ ଗତ ସଂସ୍କରଣ ପର୍ଯ୍ୟନ୍ତ କୋଲ୍‌କାତା ନାଇଟ୍‌ ରାଇଡର୍ସର ସହକାରୀ ପ୍ରଶିକ୍ଷକ ଥିବା କଟିଚ୍‌ଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛି। ଉଭୟଙ୍କ ଅଭିଜ୍ଞତା ଆର୍‌ସିବିକୁ ବିଜୟ ଧାରାକୁ ଫେରାଇ ଆଣିପାରିବ ବୋଲି ଚୁରିୱାଲା କହିଛନ୍ତି। ସୂଚନାଯୋଗ୍ୟ, ଉଭୟ ହେସନ୍‌ ଓ କଟିଚ୍‌ ୨୦୧୯ ଆଇପିଏଲ୍‌ ପରେ ପରେ ନିଜ ନିଜର ଫ୍ରାଞ୍ଚାଇଜ୍‌ଠୁ ଛୁଟି ପାଇସାରିଛନ୍ତି। ହେସନ୍‌ ମଧ୍ୟ ସମସ୍ତ କ୍ରିକେଟ୍‌ ପ୍ରସଙ୍ଗ ଉପରେ ଉଭୟ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ କଟିଚ୍‌ଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବେ।

ସମ୍ବନ୍ଧିତ ଖବର