ଦୌଡ଼ରାଣୀଙ୍କୁ ଭବ୍ୟ ନାଗରିକ ସମ୍ବର୍ଧନା:ଦୂତି ଓଡ଼ିଶା କ୍ରୀଡ଼ା-ସଂସ୍କୃତିର ଦୂତ

ଭୁବନେଶ୍ୱର: ‘‘ଦୂତି ଓଡ଼ିଶା କ୍ରୀଡ଼ା ଓ ସଂସ୍କୃତିର ଦୂତ। ସମଗ୍ର ଓଡ଼ିଆ ଜାତିର ଗର୍ବ ଏବଂ ଗୌରବ। ଦୂତି ଶିଖାଇ ଦେଇଛନ୍ତି ଯେ କ୍ରୀଡ଼ାକୁ ମଧ୍ୟ ପେସା କରିହେବ। ଏହାକୁ ମାଧ୍ୟମ କରି ସାରା ବିଶ୍ୱରେ ଓଡ଼ିଶାର ଟେକ ରଖିହେବ’’।
କିଟ୍‌ ଏବଂ କିସ୍‌ ପକ୍ଷରୁ ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ପାଇଁ ସୋମବାର ଆୟୋଜିତ ନାଗରିକ ସମ୍ବର୍ଧନା ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ଦୂତିଙ୍କ ଯୁଗଳ ଏସୀୟ କ୍ରୀଡ଼ା ରୌପ୍ୟ ବିଜୟକୁ ହୃଦୟ ଖୋଲା ପ୍ରଶଂସା କରିଛନ୍ତି ସେମାନେ। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ପଦକ ବିଜେତାଙ୍କ ପାଇଁ ଯେଉଁ ଆର୍ଥିକ ପୁରସ୍କାରର ଧାରା ଆରମ୍ଭ କରିଛନ୍ତି, ତାହା ସମଗ୍ର ଭାରତ ବର୍ଷରେ ବିରଳ। ଏଭଳି ପୁରସ୍କାର ଏବଂ ପ୍ରୋତ୍ସାହନ ଆହୁରି ଆନକ ଓଡ଼ିଆ ପିଲାଙ୍କୁ କ୍ରୀଡ଼ା କ୍ଷେତ୍ରକୁ ଓହ୍ଲାଇବା ଲାଗି ଅନୁପ୍ରେରିତ କରିବ ବୋଲି ମଧ୍ୟ ଅତିଥିମାନେ କହିଥିଲେ। ସମସ୍ତେ ମିଳିତ ଭାବେ ଦୂତିଙ୍କୁ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ଶୁଭେଚ୍ଛା ଜଣାଇବା ସହ ସେ ହିଁ ରାଜ୍ୟକୁ ପ୍ରଥମ ଅଲିମ୍ପିକ୍ସ ପଦକ ଆଣିବେ ବୋଲି ଆଶା ପ୍ରକାଶ କରିଥିଲେ।
ଅଷ୍ଟାଦଶ ଏସୀୟ କ୍ରୀଡ଼ା ଲାଗି ଜାକର୍ତା ଯାତ୍ରା କରିବା ପୂର୍ବରୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ରାଜ୍ୟର ବହୁ କ୍ରୀଡ଼ାବିତ୍‌, ସିନେ ତାରକା, ରାଜନେତା, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଜନତା ଏକତ୍ରିତ ହୋଇ ଦୂତିଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ସେ ପଦକ ଜିତି ଓଡ଼ିଶା ଆସନ୍ତୁ ବୋଲି ସମସ୍ତେ ଶୁଭମନାସି ଥିଲେ। ଏଥିଲାଗି ଆପ୍ରାଣ ଉଦ୍ୟମ କରିବେ ବୋଲି ଗତ ମାସ ୧୨ ତାରିଖରେ ଆୟୋଜିତ ଏହି ଉତ୍ସବରେ ଦୂତି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ରକ୍ଷା କରି ସେ ଗୋଟିଏ ନୁହେଁ, ଦୁଇଟି ପଦକ ଜିତିକି ଆସିଛନ୍ତି। ସେଥିପାଇଁ ଦୂତିଙ୍କ ସହ ତାଙ୍କ ଗ୍ରାମବାସୀ, ପିତା-ମାତା ଚକ୍ରଧର ଚାନ୍ଦ ଓ ଅଖୁଜି ଚାନ୍ଦ ଏବଂ ଭଉଣୀ ସରସ୍ୱତୀ ଚାନ୍ଦଙ୍କୁ ସମସ୍ତେ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଦୂତିଙ୍କ ପରିବାର ସହ ତାଙ୍କ ଗାଁ ଯାଜପୁର ଜିଲ୍ଲାର ଚକଗୋପାଳପୁରରୁ ଆସିଥିବା ୯୦ ଜଣ ବିଶେଷ ଅତିଥି ଯୋଗ ଦେଇଥିଲେ। ସଭା ଶେଷରେ ଦୂତିଙ୍କୁ ସେମାନେ ଗର୍ବରେ କୁଣ୍ଢାଇ ପକାଇବା ସହ କେତେକ ଖୁସିରେ କାନ୍ଦି ପକାଇଥିଲେ। ଫଳରେ ସେଠାରେ ଏକ ଭାବବିହ୍ଵଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୂତିଙ୍କୁ ଏହି ଅବସରରେ ୧୦୦ରୁ ଉର୍ଧ୍ୱ ବ୍ୟକ୍ତିବିଶେଷ ଏବଂ ସଂସ୍ଥା ମଞ୍ଚ ଉପରକୁ ଆସି ସମ୍ବର୍ଧିତ କରିଥିଲେ।
ଆଜିର ଉତ୍ସବରେ ଶ୍ରୀ ସାମନ୍ତ ସ୍ୱାଗତ ଭାଷଣ ଦେଇଥିଲା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ କୁମାର ପଟ୍ଟଶାଣୀ, ପୂର୍ବତନ ସାଂସଦ ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, ସାଂସଦ ଓ ସିନେ ତାରକା ଅନୁଭବ ମହାନ୍ତି, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ଓ କ୍ରୀଡ଼ା ସଚିବ ବିଶାଲ ଦେବ ସମ୍ମାନିତ ଅତିଥି ଥିଲେ। ଶେଷରେ କିଟ୍‌ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ, ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ମାଷ୍ଟର୍ସ ଦୌଡ଼କୁଦ ସଂଘର ଅଭିନନ୍ଦନ
ଭୁବନେଶ୍ୱର, ୩|୯ (ଇମିସ): ଜାକର୍ତା ଏସିଆଡ଼୍‌ରେ ଐତିହାସିକ ସଫଳତା ଲାଭ କରି ଦୁଇଟି ରୌପ୍ୟ ପଦକ ଜିତିଥିବା ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ଓଡ଼ିଶା ମାଷ୍ଟର୍ସ ଦୌଡ଼କୁଦ ସଂଘ ଅଭିନନ୍ଦନ ଜଣାଇଛି। ମହାନ ଧାବିକା ପିଟି ଉଷାଙ୍କ ସହ ସମକକ୍ଷ ହୋଇଥିବାରୁ ଦୂତିଙ୍କୁ ସଂଘ ପକ୍ଷରୁ ପ୍ରଶଂସା କରାଯାଇଛି। ସଂଘର ସଭାପତି ସୁରେଶ କୁମାର ରାଉତରାୟ, ସଂପାଦକ ସନ୍ତୋଷ କୁମାର ଦାସ, ଉପ ସଭାପତି ସୌର୍ଯ୍ୟ ରଞ୍ଜନ ପରିଜା ଏବଂ ସମସ୍ତ ସଦସ୍ୟ ଦୂତିଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ଦୂତି ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ବୋଲି ସେମାନେ କହିଛନ୍ତି।
ଇଚ୍ଛାଶକ୍ତି ଓ ଆତ୍ମସଂଯମ ସଫଳତାର ଚାବିକାଠି: ରାଜ୍ୟପାଳ
ଇଚ୍ଛାଶକ୍ତି ଏବଂ ଆତ୍ମସଂଯମ ହେଉଛି ସଫଳତାର ଚାବିକାଠି। ଏହି ଦୁଇଟି ଗୁଣ ସହ କିଛି କରି ଦେଖାଇବାର ଜିଦ୍‌ ବା ଆଗ୍ରହ ମିଶିଗଲେ ମଣିଷ କିଛି ବି କରିପାରିବ। ସେତେବେଳେ ସଙ୍କଳ୍ପ ସିଦ୍ଧି ପାଲଟି ଯିବ। ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ପାଇଁ ଆୟୋଜିତ ନାଗରିକ ସମ୍ବର୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଭଳି ମତ ପ୍ରକାଶ କରିଛନ୍ତି। ଦୂତିଙ୍କୁ ତାଙ୍କ ଅସାଧାରଣ ସଫଳତା ଲାଗି ଅଭିନନ୍ଦନ ଜଣାଇବା ସହ ରାଜ୍ୟପାଳ ତାଙ୍କୁ ଚନ୍ଦ୍ରମା ସହ ତୁଳନା କରିଥିଲେ। ମଞ୍ଚରେ ଉପସ୍ଥିତ ଆମେ ସମସ୍ତେ ତାରା, ଦୂତି ହିଁ ଏକମାତ୍ର ଚାନ୍ଦ ବୋଲି ସେ କହିଥିଲେ। ଜଙ୍ଗଲ ଓ ପର୍ବତରେ ଫୁଟୁଥିବା ଫୁଲକୁ କେହି ଦେଖି ନଥାଆନ୍ତି। ତା’ର ସୁଗନ୍ଧ, କାହାକୁ ବିମୋହିତ କରି ନଥାଏ। ଏହି ପ୍ରଚଳିତ କଥାକୁ ଦୂତି ଭୁଲ ପ୍ରମାଣିତ କରିଛନ୍ତି ବୋଲି ମାନ୍ୟବର ରାଜ୍ୟପାଳ ଆହୁରି ମତ ରଖିଥିଲେ। ଦୂତିଙ୍କୁ ମଧ୍ୟ ସେ ଅଲିମ୍ପିକ୍ସ ପଦକ ଲାଗି ଗୁରୁମନ୍ତ୍ର ଦେଇଥିଲେ। ଏକଲବ୍ୟ, ସଚିନ ତେନ୍ଦୁଲକର, ହକି ଯାଦୁଗର ମେଜର ଧ୍ୟାନଚାନ୍ଦ, ପ୍ରସିଦ୍ଧ ସଂଗୀତଜ୍ଞ ବୈଜୁ ବାଓ୍ଵାରାଙ୍କ ଉଦାହରଣ ଦେଇ ଦୌଡ଼ିଲା ବେଳେ ସବୁକିଛି ଭୁଲି ଯିବାକୁ ସେ ପରାମର୍ଶ ଦେଇଥିଲେ। ଦୌଡ଼ିଲା ବେଳେ ତୁମେ ଭାବ ଯେ ତୁମ ଚାରିପଟେ ଥିବା ସମସ୍ତ ମନୁଷ୍ୟ, ଜୀବଜନ୍ତୁ, ଅଧିକାରୀ ଏପରିକିି ଷ୍ଟାଡିୟମ ବି ଦୌଡ଼ୁଛନ୍ତି। କେବଳ ତୁମେ ନୁହଁ, ତୁମ ଶରୀରରେ ଥିବା ସମସ୍ତ ୭୫ ଲକ୍ଷ କୋଟି କୋଷିକା ଯେମିତି କେବଳ ଗୋଟିଏ କଥା ଉପରେ ଧ୍ୟାନ ଦିଅନ୍ତି, ‘ମୁଁ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବି’। ଏହା କରିପାରିଲେ ତୁମକୁ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବାରୁ କେହି ରୋକି ପାରିବେ ନାହିଁ ବୋଲି ରାଜ୍ୟପାଳ କହିଥିଲେ।

ସମ୍ବନ୍ଧିତ ଖବର