ରୁଷିଆ ରଚିଲା ଇତିହାସ : ସ୍ପେନ୍‌ ସୁଟ୍‌ଆଉଟ୍‌

ମସ୍କୋ : ମସ୍କୋ ବିଶ୍ୱକପ୍‌ରେ ବଡ଼ ଦଳଗୁଡ଼ିକର ବିଦାୟ ପର୍ବ ଜାରି ରହିଛି। ଶନିବାର ଦୁଇ ଥର ବିଜେତା ଆର୍ଜେଣ୍ଟିନା ଓ କ୍ରିଷ୍ଟିଆନୋ ରୋନାଲଡୋଙ୍କ ପର୍ତୁଗାଲ ବିଦାୟ ନେଇଥିଲା ବେଳେ ରବିବାର ଶକ୍ତିଶାଳୀ ସ୍ପେନ୍‌ର ଅଭିଯାନ ଶେଷ ହୋଇ ଯାଇଛି। ବିଶ୍ୱକପ୍‌ ଇତିହାସର ଅନ୍ୟତମ ବଡ଼ ବିପର୍ଯ୍ୟୟ ସହ ଆୟୋଜକ ରୁଷିଆ ଏହି ୟୁରୋପୀୟ ରାଷ୍ଟ୍ରକୁ ପେନାଲ୍ଟି ସୁଟଆଉଟ୍‌ରେ ୪-୩ (୧-୧) ଗୋଲ୍‌ରେ ପରାସ୍ତ କରି ପ୍ରଥମ ଥର ପାଇଁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଆଜିର ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଉଭୟ ଦଳ ନିର୍ଧାରିତ ସମୟ ସହ ଅତିରିକ୍ତ ସମୟରେ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ସମାନ ସ୍ତରରେ ଥିଲେ। ହେଲେ ସୁଟଆଉଟ୍‌ରେ ରୁଷିଆ ବାଜି ମାରି ନେଇଥିଲା। ଇଗୋ ଆସପାସ୍‌ ଏବଂ କୋକେଙ୍କ ସଟ୍‌କୁ ରୋକି ରୁଷିଆ ଗୋଲ୍‌ ରକ୍ଷକ ଇଗୋର ଆକିନଫିଜ୍‌ ସ୍ପେନ୍‌କୁ ବିଦାୟର ରାସ୍ତା ଦେଖାଇ ଦେଇଥିଲେ। ଏହା ପୂର୍ବରୁ ଆକିନଫିଭ୍‌ ନିର୍ଧାରିତ ସମୟ ସହ ଅତିରିକ୍ତ ସମୟରେ ମଧ୍ୟ ସ୍ପେନ୍‌କୁ ଗୋଲ୍‌ କରିବାକୁ ଦେଇ ନଥିଲେ। ସର୍ଗେଇ ଇଗନାସଭିଚ୍‌ (୧୨)ଙ୍କ ଆତ୍ମଘାତୀ ଗୋଲରେ ସ୍ପେନ୍‌ ଆଗୁଆ ହେବା ପରେ ଆର୍ଟେମ ଡିଜ୍ୟୁବା (୪୧) ସଫଳତାର ସହ ଏହାକୁ ଶୁଝି ଦେଇଥିଲେ। ସୁଟ୍‌ଆଉଟ୍‌ରେ ସ୍ପେନ୍‌ ପକ୍ଷରୁ ଆନ୍ଦ୍ରେସ ଇନିଆସ୍ତା, ଜେରାଡ ପିକ୍ୱେ ଓ ସର୍ଗିଓ ରାମୋସ୍‌ ଗୋଲ୍‌ କରିଥିଲେ। ଅନ୍ୟ ପକ୍ଷରେ ରୁଷିଆ ତରଫରୁ ଫିଦୋର ସ୍ମୋଲୋଭ, ସର୍ଗେଇ ଇଗନାସଭିଚ୍‌, ଆଲେକଜାଣ୍ଡାର ଗୋଲଭିନ ଓ ଡେନିସ୍‌ ଚେରିସେଭ୍‌ ଗୋଲ୍‌ ଦେଇଥିଲେ। ଫିଫା ମାନ୍ୟତାର ଦଶମ ସ୍ଥାନରେ ଥିବା ସ୍ପେନକୁ ୭୦ତମ ସ୍ଥାନରେ ଥିବା ରୁଷିଆ ହରାଇବା ବିଶ୍ୱକପ୍‌ ଇତିହାସର ଅନ୍ୟତମ ବଡ଼ ଓଲଟ ପାଲଟ ମଧ୍ୟ ଥିଲା। ସୋଭିଏତ୍‌ ସଂଘରେ ଥିଲା ବେଳେ ରୁଷିଆ ୧୯୬୬ରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ହେଲେ ସ୍ୱତନ୍ତ୍ର ରାଷ୍ଟ୍ର ହେବା ପରେ କେବେବି ନକଆଉଟକୁ ଯାଇ ନଥିଲା।

ସୋଭିଏତ୍‌ ସଂଘଠାରୁ ଅଲଗା ହେବା ପରେ ରୁଷିଆ ରବିବାର ପ୍ରଥମ ଥର ପାଇଁ କୌଣସି ବିଶ୍ୱକପ୍‌ର ନକଆଉଟ୍‌ ମ୍ୟାଚ୍‌ ଖେଳୁଥିଲା। ହେଲେ କହିବାକୁ ଗଲେ ପ୍ରଥମାର୍ଧର ଦୁଇଟି ଯାକ ଗୋଲ୍‌ ରୁଷିଆ ହିଁ କରିଥିଲା। ସେଥିରୁ ଗୋଟିଏ ଆତ୍ମଘାତୀ ଥିଲା ବେଳେ ଅନ୍ୟଟି ସ୍ପେନ୍‌ ବିପକ୍ଷରେ ଥିଲା। ଦ୍ୱାଦଶ ମିନିଟ୍‌ରେ ରୁଷୀୟ ତାରକା ସର୍ଗେଇ ଇଗନାସଭିଚ୍‌ ନିଜ ଗୋଲ୍‌ ପୋଷ୍ଟ ଭିତରକୁ ବଲ୍‌ ପଠାଇ ସ୍ପେନ୍‌କୁ ଆଗୁଆ କରି ଦେଇଥିଲେ। ଏସ୍‌କୋ’ଙ୍କ ଫ୍ରିକିକ୍‌କୁ ବକ୍ସ ବାହାରକୁ ପଠାଇବା ଚକ୍କରରେ ସେ ଏହି ବଡ଼ ଭୁଲ କରି ବସିଥିଲେ। ବଲ୍‌ ତାଙ୍କ ଗୋଇଠିରେ ବାଜି ଗୋଲ୍‌ ପୋଷ୍ଟ ଭିତରକୁ ପଶିବା ପରେ ରୁଷିଆ ପ୍ରଶଂସକୁ ସ୍ତବ୍ଧ ହୋଇ ଯାଇଥିଲେ। ତା’ ସହ ସର୍ଗେଇ (୩୮ ବର୍ଷ ୩୫୨ ଦିନ) ବିଶ୍ୱକପରେ ଆତ୍ମଘାତୀ ଗୋଲ୍‌ ଦେବାରେ ବୟୋଜ୍ୟେଷ୍ଠ ଖେଳାଳି ହୋଇଥିଲେ। ପ୍ରଥମାର୍ଧ ଶେଷ ହେବାର ୪ ମିନିଟ୍‌ ପୂର୍ବରୁ ଅବଶ୍ୟ ରୁଷିଆ ଭାଗ୍ୟ ଫେରିଥିଲା। ବକ୍ସ ଭିତରେ ଜେରାଡ଼ ପିକ୍ୱେଙ୍କ ହାତରେ ବଲ୍‌ ବାଜିବା ପରେ ସ୍ପେନ୍‌ ପ୍ରତିବାଦ ସତ୍ତ୍ୱେ ରେଫରି ଏହି ଦଳକୁ ଫ୍ରି କିକ୍‌ ପ୍ରଦାନ କରିଥିଲେ। ଯାହାକୁ ସଫଳତାର ସହ ବାମ କୋଣକୁ ପଠାଇ ଆର୍ଟେମ ଡିଜ୍ୟୁବା ସ୍ଥିତି ୧-୧ କରି ନେଇଥିଲେ। ଦ୍ୱିତୀୟାର୍ଧରେ ଉଭୟ ଦଳ କେତେକ ଭଲ ସୁଯୋଗ ହାତଛଡ଼ା କରିଥିଲେ। ସେଥିପାଇଁ ସେହି ୧-୧ ସ୍ଥିତିରେ ନିର୍ଧାରିତ ୯୦ ମିନିଟ୍‌ ସହ ଷ୍ଟପେଜ୍‌ ଟାଇମରେ ଶେଷ ହୋଇଥିଲା। ଫଳରେ ଚଳିତ ବିଶ୍ୱକପରେ ପ୍ରଥମ ଥର ପାଇଁ କୌଣସି ମ୍ୟାଚ୍‌ ଅତିରିକ୍ତ ସମୟକୁ ଯାଇଥିଲା ହେଲେ ଏଥିରେ ମଧ୍ୟ ଗତିରୋଧ ଦୂର ହୋଇ ପାରି ନଥିଲା। ଫଳରେ ମସ୍କୋ ବିଶ୍ୱକପର ପ୍ରଥମ ପେନାଲ୍ଟି ଦେଖିବାକୁ ମିଳିଥିଲା। ଏହା ବିଶ୍ୱକପ୍‌ ଇତିହାସର ୨୭ତମ ପେନାଲ୍ଟି ସୁଟଆଉଟ୍‌ ଥିଲା। ବିଶ୍ୱକପରେ ଆୟୋଜକ ଦେଶ ଭାବେ ସୁଟଆଉଟରେ ଜିତିବାରେ ରୁଷିଆ ପଞ୍ଚମ ଦଳ ହୋଇଥିଲା। ଏହା ପୂର୍ବରୁ ୨୦୧୪ରେ ଚିଲି ବିପକ୍ଷରେ ବ୍ରାଜିଲ, ୨୦୦୬ରେ ଆର୍ଜେଣ୍ଟିନା ବିପକ୍ଷରେ ଜର୍ମାନି, ୨୦୦୨ରେ ସ୍ପେନ୍‌ ବିପକ୍ଷରେ ଦକ୍ଷିଣ କୋରିଆ ଏବଂ ୧୯୯୮ରେ ଇଟାଲି ବିପକ୍ଷରେ ଫ୍ରାନ୍ସ ଆୟେଜକ ରାଷ୍ଟ୍ର ଭାବେ ପେନାଲ୍ଟି ସୁଟଆଉଟରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର