ଏସୀୟ କ୍ରୀଡ଼ା ଦଳରେ ଋତୁପର୍ଣ୍ଣା

ସନତଙ୍କ ପରେ ଦ୍ୱିତୀୟ ଓଡ଼ିଆ ତଥା ପ୍ରଥମ ମହିଳା

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ଝିଅ ଋତୁପର୍ଣ୍ଣା ପଣ୍ଡାଙ୍କୁ ମିଳିଛି ବଡ଼ ସଫଳତା। ଚଳିତ ମାସରେ ବେଙ୍ଗାଲୁରୁରେ ଆୟୋଜିତ ସର୍ବଭାରତୀୟ ବରିଷ୍ଠ ମାନ୍ୟତା ଟେନିସ୍‌ ପ୍ରତିଯୋଗିତାରେ ମହିଳା ଯୁଗଳରେ ଟ୍ରଫି କରାୟତ କରିଥିବା ଏହି ଓଡ଼ିଆ ଝିଅ ବୁଧବାର ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘ ଦ୍ୱାରା ଏସୀୟ କ୍ରୀଡ଼ା ପାଇଁ ଘୋଷିତ ଦଳରେ ସ୍ଥାନ ପାଇଛନ୍ତି। ଏକ୍ଷେତ୍ରରେ ସେ ଓଡ଼ିଶାର ପ୍ରଥମ ମହିଳା ତଥା ଦ୍ୱିତୀୟ ଖେଳାଳିର ଗୌରବ ପାଇଛନ୍ତି। ଋତୁପର୍ଣ୍ଣାଙ୍କ ପୂର୍ବରୁ ପ୍ରଥମ ଓଡ଼ିଆ ଭାବେ ସନତ ମିଶ୍ର ଏଭଳି ସଫଳତା ହାତେଇଥିଲେ। ସେ ଦକ୍ଷିଣ କୋରିଆରେ ଆୟୋଜିତ ୧୯୮୬ ସିଓଲ୍‌ କ୍ରୀଡ଼ାରେ ଭାରତୀୟ ଦଳରୁ ଖେଳିଥିଲେ।

ଏସୀୟ କ୍ରୀଡ଼ାର ଅଷ୍ଟାଦଶ ସଂସ୍କରଣ ଇଣ୍ଡୋନେସିଆର ଜାକର୍ତାରେ ଅଗଷ୍ଟ ୧୮ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିପାଇଁ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଭାରତର ୨୦ ଜଣିଆ ଦଳ ଘୋଷିତ ହୋଇଛି। ଯେଉଁଥିରେ ଉଭୟ ପୁରୁଷ ଓ ମହିଳାରେ ୧୦ ଜଣ ଲେଖାଏଁ ସ୍ଥାନ ପାଇଛନ୍ତି। ବ୍ୟାଡ୍‌ମିଣ୍ଟନ ଇତିହାସରେ ପ୍ରଥମ ଥର ଲାଗି ଭାରତୀୟ ସଂଘ ଏସୀୟ କ୍ରୀଡ଼ା ପାଇଁ ଦଳ ବାଛିବା ପୂର୍ବରୁ ଦୁଇଟି ବରିଷ୍ଠ ମାନ୍ୟତା ପ୍ରତିଯୋଗିତା ଆୟୋଜନ କରିଥିଲା। ଏହି ଦୁଇଟି ପ୍ରତିଯୋଗିତା ଯଥାକ୍ରମେ ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ହୋଇଥିଲା। ଏଥିରେ ଘରୋଇ ଖେଳାଳିମାନଙ୍କୁ ସେମାନଙ୍କ ମାନ ଓ ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ମିଳିଥିଲା। ଆଉ ଏହି ଦୁଇଟି ପ୍ରତିଯୋଗିତାରେ ନିଜର ଦକ୍ଷତାକୁ ପ୍ରମାଣିତ କରି ଋତୁପର୍ଣ୍ଣା ଏସୀୟ କ୍ରୀଡ଼ା ଦଳରେ ସାମିଲ ହେବା ସହିତ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି। ମନୋନୟନ ସମିତି ବେଙ୍ଗାଲୁରୁରେ ଏକାଠି ହୋଇ ଗତ ୬ ମାସ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିର ଓ ପ୍ରତିଯୋଗିତାରେ ସ୍ଥିର ପ୍ରଦର୍ଶନ ସାଙ୍ଗକୁ ଶାରୀରିକ ସୁସ୍ଥତାକୁ ଦୃଷ୍ଟିରେ ରଖି ଖେଳାଳି ଚୟନ କରିଛନ୍ତି। ଫଳରେ ଚମତ୍କାର ପ୍ରଦର୍ଶନ ବଳରେ ଋତୁପର୍ଣ୍ଣାଙ୍କ ସାଙ୍ଗକୁ ସୌରଭ ବର୍ମା, ଅସ୍ମିତା ଚଲିହା, ସାଇ ଉତ୍ତେଜିତା ରାଓ, ପୁଲେଲା ଗୋପୀଚାନ୍ଦ୍‌ଙ୍କ ଝିୟ ଗାୟତ୍ରୀ, ଆକର୍ଷି କାଶ୍ୟପ ଓ ଆରତୀ ସାରା ସୁନୀଲ ଏସୀୟ କ୍ରୀଡ଼ା ଦଳରେ ସ୍ଥାନ ଅକ୍ତିଆର କରିଛନ୍ତି। ଏକ ସନ୍ତୁଳିତ ଦଳ ବାଛିଥିବାରୁ ମନୋନୟନ ସମିତିକୁ ଭାରତୀୟ ସଂଘର ସଭାପତି ହିମନ୍ତ ବିଶ୍ୱ ଶର୍ମା ଅଭିନନ୍ଦନ ଜଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ଭାରତୀୟ ବ୍ୟାଡ୍‌ମିଣ୍ଟନ ଦଳ ୨୦୧୪ ଏସୀୟ କ୍ରୀଡ଼ାରେ ମହିଳା ଦଳଗତ ବର୍ଗରେ କାଂସ୍ୟ ପଦକ ଜିତିଥିଲା।

ଏସୀୟ କ୍ରୀଡ଼ା ଦଳରେ କିଦାମ୍ବି ଶ୍ରୀକାନ୍ତ, ଏସ୍‌ଏସ୍‌ ପ୍ରଣୟ, ବି ସାଇ ପ୍ରଣୀତ, ସମୀର ବର୍ମା, ସାତ୍ତ୍ୱିକ୍‌ସାଇରାଜ୍‌ ରାଙ୍କିରେଡ୍ଡୀ, ଚିରାଗ ସେଟ୍ଟୀ, ବି ସୁମିତ୍‌ ରେଡ୍ଡୀ, ମନୁ ଅତ୍ରି, ପ୍ରଣବ ଜେରି ଚୋପ୍ରା ଓ ସୌରଭ ବର୍ମା (ପୁରୁଷ ବର୍ଗ) ଏବଂ ସାଇନା ନେହ୍ଵାଲ, ପିଭି ସିନ୍ଧୁ, ଏନ୍‌ ସିକି ରେଡ୍ଡୀ, ଅଶ୍ୱିନୀ ପୋନ୍ନାପ୍ପା, ସାଇ ଉତ୍ତେଜିତା ରାଓ, ଅସ୍ମିତା ଚଲିହା, ଋତୁପର୍ଣ୍ଣା ପଣ୍ଡା, ଆରତୀ ସାରା ସୁନୀଲ, ଆକର୍ଷି କାଶ୍ୟପ ଓ ଗାୟତ୍ରୀ ଗୋପୀଚାନ୍ଦ (ମହିଳା ବର୍ଗ) ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର