ଖେଲୋ ଇଣ୍ଡିଆ: ବାପାଙ୍କ ଖେଳ ଦେଖି ବ୍ୟାଡ୍ମିଣ୍ଟନ ଶିଖିଥିଲି, ଭାରତକୁ ଯୁଗଳରେ ଶକ୍ତିଶାଳୀ କରିବା ଲକ୍ଷ୍ୟ: ଋତୁପର୍ଣ୍ଣା
କଟକ(ଦୀପ୍ତି ରଂଜନ ସାମଲ): ଛୋଟବେଳୁ ବାପାଙ୍କ ଖେଳ ଦେଖିଦେଖି ବ୍ୟାଡ୍ମିଣ୍ଟନ ଶିଖିଛି। ବାପା ରାତି ଅଧ ପର୍ଯ୍ୟନ୍ତ ବାହାରେ ବ୍ୟାଡ୍ମିଣ୍ଟନ ଖେଳୁଥିଲେ। ସବୁବେଳେ ରାତି ପର୍ଯ୍ୟନ୍ତ ରହି ତାଙ୍କ ଖେଳ ଦେଖୁଥିଲି। ପରେ ଖେଳିବାକୁ ଆଗ୍ରହ ବଢ଼ିବାରୁ ଛାତ ଉପରେ ଖେଳିବା ଆରମ୍ଭ କରିଥିଲି। ବାପା ମୋତେ ଷ୍ଟ୍ରୋକ୍ ଖେଳିବା, ସର୍ଭିସ୍ କରାଇବା ଶିଖାଇଥିଲେ। ଧିରେ ଧିରେ ଖେଳିବା ପରେ ଓଡ଼ିଶାକୁ ପ୍ରତିନିଧିତ୍ବ କରି ଜାତୀୟ ସ୍ତରରେ ବିଜେତା ହେଲି। ହାଇଦ୍ରାବାଦ ଏକାଡେମୀରେ ରହି ଅଭ୍ୟାସ ଜାରି ରଖିଛି। ଆଗକୁ ଭାରତୀୟ ଦଳ ପାଇଁ ଅଧିକରୁ ଅଧିକ ଆନ୍ତର୍ଜାତିକ ପଦକ ଜିତିବି ଓ ମହିଳା ଯୁଗଳ ଦଳକୁ ଶକ୍ତିଶାଳୀ କରାଇବାକୁ ଲକ୍ଷ୍ୟ ରଖିଥିବା ଋତୁପର୍ଣ୍ଣା ପଣ୍ତା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କଟକରେ ଚାଲିଥିବା ଖେଲୋ ଇଣ୍ତିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଋତୁପର୍ଣ୍ଣା କିଟ୍ ତରଫରୁ ଖେଳିବାକୁ ଆସିଥିଲେ। କିନ୍ତୁ ଏଠାରେ ମହିଳା ଯୁଗଳରେ ତାଙ୍କୁ ପ୍ରଥମ ରାଉଣ୍ତରୁ ପରାସ୍ତ ହେବାକୁ ପଡ଼ିଥିଲା। ନିୟମିତ ସାଥୀଙ୍କ ଅନୁପସ୍ଥିତିରେ ବିଶ୍ବବିଦ୍ୟାଳୟର ନୂଆ ଖେଳାଳିଙ୍କୁ ସାଙ୍ଗରେ ନେଇ କୋର୍ଟକୁ ଓହ୍ଲାଇଥିବା ଋତୁପର୍ଣ୍ଣା ମ୍ୟାଚ୍ରେ ପଞ୍ଜାବ ବିଶ୍ବବିଦ୍ୟାଳୟଠୁ ସିଧାସଳଖ ସେଟ୍ରେ ପରାଜିତ ହୋଇଥିଲେ। ଅଭ୍ୟାସ ପାଇଁ ସମୟ ମିଳିନଥିଲା ବେଳେ ସେ ବ୍ୟକ୍ତିଗତ ଭାବେ ଆହତ ଥିଲେ। ତେଣୁ ମ୍ୟାଚ୍ରେ ସଫଳତା ମିଳିପାରିନଥିଲା। ତଥାପି ଏଥିପାଇଁ କୌଣସି ଦୁଃଖ ଅନୁଭବ ନକରି ଆଗକୁ ହେବାକୁଥିବା ପ୍ରତ୍ୟେକ ମ୍ୟାଚ୍ ପୂବରୁ ସାଥୀ ଖେଳାଳିଙ୍କ ସହ ଅଭ୍ୟାସ କରିବାକୁ ସମୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଖେଲୋ ଇଣ୍ତିଆ ପ୍ରଥମ ଥର ପାଇଁ ଓଡ଼ିଶାରେ ହେଉଥିବାରୁ ଏବ˚ କିଟ୍ ମୁଖ୍ୟ ଆୟୋଜକ ହୋଇଥିବାରୁ ଏହାଦ୍ବାରା ଯୁବ ପ୍ରତିଭାଙ୍କୁ ଆଗକୁ ବଢିବାର ଭଲ ସୁଯୋଗ ଦେବ। ଏଠାରୁ ଭଲ ଖେଳିଲେ ପରବର୍ତ୍ତୀ ପ୍ରତିଯୋଗିତାଗୁଡ଼ିକରେ ସେମାନଙ୍କୁ ଭଲ ପ୍ରଦର୍ଶନ ଦେବା ପାଇଁ ଆତ୍ମବିଶ୍ବାସ ବଢାଇବ ବୋଲି ସେ କହିଛନ୍ତି।
ଓଡ଼ିଶାରେ ବ୍ୟାଡ୍ମିଣ୍ଟନ ସ୍ଥିତି ସ˚କ୍ରାନ୍ତରେ ଋତୁପର୍ଣ୍ଣା କହିଛନ୍ତି ଯେ ରାଜ୍ୟରେ କ୍ରୀଡ଼ା ଛାତ୍ରାବାସ କିମ୍ବା ସରକାରୀ ସ୍ତରରେ ବ୍ୟାଡ୍ମିଣ୍ଟନକୁ ପ୍ରୋତ୍ସାହନ କରିବାରେ କୌଣସି ସୁବିଧା ନାହିଁ। କିନ୍ତୁ ପୂର୍ବ ସମୟ ତୁଳନାରେ ଏବେ ଘରୋଇ ଏକାଡେମୀ, ପ୍ରଶିକ୍ଷକ ଓ ଫିଜିଓଙ୍କ ସ˚ଖ୍ୟା ବୃଦ୍ଧି ପାଇଛି। ଯେଉଁଥିପାଇଁ ନବାଗତ ତଥା ଯୁବ ଖେଳାଳିଙ୍କୁ ଅଭ୍ୟାସ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିପାରିବ। ସରକାର ଏହା ଉପରେ ଚିନ୍ତା କରିବା ସମୟ ଆସିଛି। ଆମେ କଟକ ଓ ଭୁବନେଶ୍ବରକୁ କ୍ରୀଡ଼ା ରାଜଧାନୀର ପରିଚୟ ଦେଉଛୁ। କିନ୍ତୁ ବ୍ୟାଡ୍ମିଣ୍ଟନକୁ ଯେତିକି ଆଗ୍ରହ ଦେଖାଯିବା କଥା ତାହାର ଅଭାବ ରହୁଛି। ସରକାରୀ ସ୍ତରରେ ଏଥିପାଇଁ ଅଧିକ ଉଦ୍ୟମ ହେବା ଆବଶ୍ୟକ ରହିଥିବା ଋତୁପର୍ଣ୍ଣା କହିଛନ୍ତି।
ଋତୁପର୍ଣ୍ଣା ବର୍ତ୍ତମାନ ବିଶ୍ବ ଯୁଗଳ ମାନ୍ୟତାର ୫୬ ଓ ମିଶ୍ରିତ ଯୁଗଳର ୧୦୭ ନମ୍ବର ସ୍ଥାନରେ ରହିଛନ୍ତି। ଯୁଗଳରେ ତେଲେଙ୍ଗାନାର ମନୀଷା କେ ଓ ମିଶ୍ରିତ ଯୁଗଳରେ ଆନ୍ଧ୍ରପ୍ରଦେଶର କୃଷ୍ଣ ପ୍ରସାଦଙ୍କୁ ସାଥୀ କରି ସେ ମ୍ୟାଚ୍ ଖେଳୁଛନ୍ତି। ମାଲେସିଆର ଲି ଚୋଙ୍ଗ ୱି ଏବ˚ ଜାପାନର ୟୁକି ଫୁକୁସିମାଙ୍କୁ ଆଦର୍ଶ ଖେଳାଳି ଭାବେ ମାନୁଛନ୍ତି। ଏଥିସହିତ ଭାରତରେ ସାଇନା ନେହ୍ବାଲଙ୍କ ଖେଳ ତାଙ୍କୁ ବହୁତ ଭଲ ଲାଗେ ବୋଲି କହିଛନ୍ତି। ହାଇଦ୍ରାବାଦ ଏକାଡେମୀରେ ସାଇନା ପ୍ରତ୍ୟେକ ଶନିବାର ଅଭ୍ୟାସ କରିବା ପାଇଁ ଆସନ୍ତି। ତାଙ୍କ ସହ ସେଠାରେ ଖେଳିବାକୁ ସୁଯୋଗ ମିଳେ। ଖେଳିସାରିବା ପରେ ଆମେ ତାଙ୍କଠୁ ଭଲଭଲ ଉପଦେଶ ପାଇଥାଉ। ତାଙ୍କ ପ୍ରେରଣାରେ ଆମେ ବଡ଼ ମ୍ୟାଚ୍ରେ ଜିତିବାର ସାହସ ପାଉଛୁ। ଋତୁପର୍ଣ୍ଣାଙ୍କ ବ୍ୟତୀତ ତାଙ୍କ ସାନ ଭଉଣୀ ଶ୍ବେତପର୍ଣ୍ଣା ମଧ୍ୟ ବ୍ୟାଡ୍ମିଣ୍ଟନରେ କନିଷ୍ଠ ସ୍ତରର ବିଜେତା ହୋଇସାରିଲେଣି। ନିକଟରେ ୧୫ ବର୍ଷରୁ କମ୍ ଭାରତୀୟ ଦଳ ସହିତ ସେ ଇଣ୍ତୋନେସିଆରେ ଖେଳିବାକୁ ଯାଇଥିଲେ। ଦୁଇ ଭଉଣୀ କିଛି ବର୍ଷ ତଳେ ୧୯ ବର୍ଷରୁ କମ୍ ପୂର୍ବାଞ୍ଚଳ ମହିଳା ଯୁଗଳରେ ବିଜେତା ହୋଇଥିଲେ। ଆଗକୁ ବଡ଼ ପ୍ରତିଯୋଗିତାରେ ଦୁଇ ଭଉଣୀ ଏକାଠି ହୋଇ ଖେଳିବାକୁ ଆଶା ରହିଥିବା ଋତୁପର୍ଣ୍ଣା କହିଛନ୍ତି।
‘ସ୍ବପ୍ନ ଅଧା ସାକାର ହୋଇଛି’
ମୋ ସମୟରେ ଖେଳିବାକୁ ଆଗ୍ରହ ଥିଲେ ବି ଆଗକୁ ବଢିପାରିନଥିଲି। ତେଣୁ ମୋ ପିଲାମାନଙ୍କୁ ଏହି ସୁଯୋଗ ଦେବା ପାଇଁ ମୁଁ ପ୍ରଥମରୁ ମନସ୍ଥ କରିଥିଲି। ଯେତେବେଳେ ଋତୁପର୍ଣ୍ଣା ବ୍ୟାଡ୍ମିଣ୍ଟନ ପ୍ରତି ଆଗ୍ରହ ଦେଖାଇଲା, ସେବେଠୁ ତାକୁ ଆନ୍ତର୍ଜାତିକ ସ୍ତରର ଖେଳାଳି କରାଇବା ପାଇଁ ସ୍ବପ୍ନ ଦେଖିଥିଲି। କଠିନ ପରିଶ୍ରମ କରି ସେ ଏବେ ଭାରତୀୟ ଦଳରେ ସ୍ଥାନ ପାଇ ନିୟମିତ ଭାବେ ଖେଳୁଛି। ତଥାପି ସ୍ବପ୍ନ ସ˚ପୂର୍ଣ୍ଣ ରୂପେ ସାକାର ହୋଇନାହିଁ। ଯେତେବେଳେ ସେ ଅଲିମ୍ପିକ୍ରେ ଭାରତକୁ ପ୍ରତିନିଧିତ୍ବ କରି ପଦକ ଜିତିବ ସେତେବେଳେ ମୋର ସ୍ବପ୍ନ ସାକାର ହେବ ବୋଲି ଋତୁପର୍ଣ୍ଣାଙ୍କ ବାପା ରାମଚନ୍ଦ୍ର ପଣ୍ତା କହିଛନ୍ତି। ତଥାପି ଝିଅର ଏହି ଯାତ୍ରାକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାନ ଝିଅ ଶ୍ବେତପର୍ଣ୍ଣା ଏବେ ଭଲ ଖେଳୁଛି। ତଥାପି ଶାରୀରିକ ଦକ୍ଷତା ଉପରେ ଆହୁରି କାମ କରିବାକୁ ପଡ଼ିବ। ତା’ ପାଖରେ ପ୍ରତିଭା ଭରପୂର ଅଛି। ହେଲେ ଖେଳ ଉପରେ ଯେତିକି ଧ୍ୟାନ ଦେବାକୁ ପଡ଼ିବ ତାହାର ସମୟ ଆସିନି। ତଥାପି ଧିରେଧିରେ ଖେଳିବା ପରେ ତାକୁ ମଧ୍ୟ ହାଇଦ୍ରାବାଦରେ ପ୍ରଶିକ୍ଷଣ ନେବାକୁ ପଠାଇବି ବୋଲି ରାମଚନ୍ଦ୍ର କହିଛନ୍ତି।