ସେହି ବର୍ଷ, ଆଜିର ତାରିଖ: ସର୍ବକନିଷ୍ଠ କ୍ରିକେଟର୍ ଭାବେ ୩୦୦୦ ଦିନିକିଆ ରନ୍‌ ପୂରଣ କରିଥିଲେ ସଚିନ

ନୂଆଦିଲ୍ଲୀ: କ୍ରିକେଟ୍‌ ଦୁନିଆରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଶ୍ରେଷ୍ଠତମ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ କରାଯାଏ। ଏହି କିଂବଦନ୍ତି ଭାରତୀୟ କ୍ରିକେଟର୍‌ ଉଭୟ ଆନ୍ତର୍ଜାତିକ ଦିନିକିଆ ଓ ଟେଷ୍ଟ କ୍ରିକେଟ୍‌ରେ ଏକାଧିକ କୀର୍ତ୍ତିମାନ ନିଜ ନାମରେ କରିପାରିଛନ୍ତି। ୨୫ ବର୍ଷ ତଳେ (୧୯୯୫) ଆଜିର ତାରିଖ (ଏପ୍ରିଲ ୯)ରେ ସଚିନ୍‌ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ ଆନ୍ତର୍ଜାତିକରେ ୩୦୦୦ ରନ୍‌ ପୂରଣ କରିଥିଲେ। ୧୯୯୫ରେ ଶାରଜାରେ ଆୟୋଜିତ ଏସିଆ କପ୍‌ରେ ଶ୍ରୀଲଙ୍କା ବିପକ୍ଷରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ।

ସେହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟି˚ କରି ଶ୍ରୀଲଙ୍କା ନିର୍ଧାରିତ ଓଭରରେ ୯ ଵିକେଟ୍‌ ବିନିମୟରେ ୨୦୨ ରନ୍‌ କରିଥିଲା। କୌଣସି ବି ଜଣେ ହେଲେ ବ୍ୟାଟ୍ସମ୍ୟାନ ଅର୍ଧଶତକ ହାସଲ କରିପାରିନଥିଲେ। କେବଳ ହାସନ ତିଳକରତ୍ନେ ସର୍ବାଧିକ ୪୮ ରନ୍‌ କରିଥିଲେ। ଦୁଇ ଦ୍ରୁତ ବୋଲର ଭେଙ୍କଟେସ୍‌ ପ୍ରସାଦ ୩ ଓ ଜଭାଗଲ ଶ୍ରୀନାଥ ୨ ଵିକେଟ୍‌ ଅକ୍ତିଆର କରିଥିଲେ। ମନୋଜ ପ୍ରଭାକର ଓ ଅନୀଲ କୁମ୍ବଲେ ପ୍ରତ୍ୟେକ ଗୋଟିଏ ଲେଖାଏଁ ଵିକେଟ୍‌ ନେଇଥିଲେ। ଜବାବରେ ପ୍ରାରମ୍ଭିକ ଯୋଡ଼ି ସଚିନ ତେନ୍ଦୁଲକର ଓ ମନୋଜ ପ୍ରଭାକର ଭାରତକୁ ମଜବୁତ ଆରମ୍ଭ ଦେଇଥିଲା ବେଳେ ପ୍ରଥମ ଵିକେଟ୍‌ରେ ୧୬୧ ରନ୍‌ ଯୋଡ଼ିଥିଲେ। ଯାହାଫଳରେ ଭାରତର ବିଜୟ ପଥ ପରିଷ୍କାର ହୋଇଥିଲା। ତେବେ ପ୍ରଭାକର ବ୍ୟକ୍ତିଗତ ୬୦ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ ସଚିନ୍‌ ଶେଷ ପର୍ଯ୍ୟନ୍ତ ଖେଳିବା ସହ ୧୧୨ ରନ୍‌ରେ ଅପରାଜିତ ରହିଥିଲେ। ଭାରତ ୧୬.୫ ଓଭର ବାକିଥାଇ ସହଜରେ ମ୍ୟାଚ୍‌ ଜିତିଯାଇଥିଲା। ସଚିନଙ୍କ ଏହି ଶତକୀୟ ପାଳିରେ ୧୫ ଚୌକା ଓ ୧ ଛକା ସାମିଲ ଥିଲା। ଏହି ମ୍ୟାଚ୍‌ରେ ସଚିନ୍‌ ତାଙ୍କ ୨୨ତମ ଜନ୍ମଦିନର୧୫ ଦିନ ପୂର୍ବରୁ ୩୦୦୦ ରନ୍‌ ପୂରଣ କରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର