‘ସଚିନ ଓ କୋହଲି ଭିନ୍ନ ଯୁଗର ଶ୍ରେଷ୍ଠ’

ନୂଆଦିଲ୍ଲୀ: ମହାନ ରଣଜୀ ବ୍ୟାଟ୍‌ସମ୍ୟାନ୍‌ ୱାସିମ୍‌ ଜାଫର୍‌ଙ୍କ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ ଏବେ ଚର୍ଚାର ବିଷୟ ହୋଇଛି। ସଦ୍ୟ ଅବସରପ୍ରାପ୍ତ ଏହି ଅଗ୍ରଣୀ ବ୍ୟାଟ୍‌ସମ୍ୟାନ୍‌ ପ୍ରଶଂସକଙ୍କଠାରୁ ନିଜ ପଡ଼ିଆ ଭିତର ଓ ବାହାର ସମ୍ପର୍କିତ ପ୍ରଶ୍ନ ପଚାରିବାକୁ ଆହ୍ବାନ କରିଥିଲେ। ଜଣେ ପ୍ରଶଂସକ କିନ୍ତୁ ଜାଫରଙ୍କଠାରୁ ଏହି ପ୍ରଶ୍ନଉତ୍ତର ସମୟରେ ଜାଣିବାକୁ ଚାହିଁଥିଲେ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ? ଜଣଙ୍କୁ ବାଛନ୍ତୁ। ଏହି ସମୟରେ ଜାଫର ମଜାଦାର ଉପାୟ ଆପଣାଇବାରୁ ଚର୍ଚା ବଢ଼ିଯାଇଥିଲା। ସେ ଏକ ଲୋକପ୍ରିୟ ବଲିଉଡ୍‌ ଚଳଚ୍ଚିତ୍ରର ମିମ୍‌କୁ ବ୍ୟବହାର କରିଥିଲେ। ଏଥି ସହ ଲେଖିଥିଲେ ‘ଦଙ୍ଗେ କରୱାଙ୍ଗେ କ୍ୟା ଆପ୍‌ (ତୁମେ ଦଙ୍ଗା କରାଇଦେବ ନା କ’ଣ)। ଏହା ପରେ ଜାଫର ଗମ୍ଭୀରତାର ସହ ଉଲ୍ଲେଖ କରିଥିଲେ ‘ଉଭୟ ଭିନ୍ନ ଭିନ୍ନ ଯୁଗର ମହାନ ଖେଳାଳି’।

ତେନ୍ଦୁଲକର ଶ୍ରେଷ୍ଠ ନ ହେଲେ ବି ତାଙ୍କୁ କ୍ରିକେଟ୍‌ ଇତିହାସର ଅନ୍ୟତମ ମହାନ ବ୍ୟାଟସମ୍ୟାନ୍‌ ଭାବେ ବିବେଚନା କରାଯାଏ। ଅବସର ନେବାର ୫ ବର୍ଷ ପରେ ବି ସେ ଉଭୟ ଦିନିକିଆ ଏବଂ ଟେଷ୍ଟ୍‌ କ୍ରିକେଟ୍‌ର ଅଗ୍ରଣୀ ରନ୍‌ ସ୍କୋରର୍‌ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ ଶତକର ବିରଳ କୀର୍ତ୍ତିମାନକୁ ବି ଅତୁଟ ରଖିଛନ୍ତି। କୋହଲିଙ୍କ କଥା ଉଠିଲେ ଆଧୁନିକ କ୍ରିକେଟ୍‌ରେ ତାଙ୍କୁ ସଚିନଙ୍କ ରୂପ ଭାବେ ବିବେଚିତ କରାଯାଉଛି। ସ୍ଥିର ପ୍ରଦର୍ଶନ ଏବଂ ଲମ୍ବା ପାଳି ଖେଳିବାର ଦକ୍ଷିତା ହିଁ ତାଙ୍କୁ ଏହି ପରିଚୟ ଦେଇଛି। ଦିନିକିଆ କ୍ରିକେଟ୍‌ର ଏହି ଏକ ନମ୍ବର ବ୍ୟାଟ୍‌ସମ୍ୟାନ୍‌ ସଚିନଙ୍କ ବହୁ କୀର୍ତ୍ତିମାନକୁ ପଛରେ ପକାଇ ସାରିଛନ୍ତି। ଆହୁରି ଅନେକ ବର୍ଷ କ୍ରିକେଟ୍‌ ଖେଳିବାର ସମ୍ଭାବନା ଥିବାରୁ ଅଧିକ କିଛି ହାସଲ କରିବାର ସୁଯୋଗ ବି ରହିଛି। ଭାରତୀୟ କ୍ରିକେଟ୍‌ର ଜଣେ ପ୍ରଶଂସକ ଭାବେ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବାଛିବା କଷ୍ଟକର। ନିଜ ଯୁଗରେ ଉଭୟ ସଚିନ ଓ କୋହଲି ଶ୍ରେଷ୍ଠ ବୋଲି କହି ଜାଫର ପ୍ରଶଂସକଙ୍କ ଏହି ପ୍ରଶ୍ନକୁ ଏଡ଼ାଇଯାଇଥିଲେ।

ଭାରତୀୟ ଦଳର ନ୍ୟୁଜିଲାଣ୍ଡ୍‌ ଗସ୍ତ ବିଫଳତାକୁ ନେଇ ଜାଫର ନିରାଶ ଥିବା ସ୍ବୀକାର କରିଥିଲେ। ଭାରତୀୟ ଦଳର ବିଦେଶ ଗସ୍ତ ପ୍ରଦର୍ଶନ ନିଶ୍ଚିତ ସନ୍ତୋଷଜନକ ନୁହେଁ। ବିରାଟ କୋହଲିଙ୍କ ଦଳ ଯଦି ଶୀର୍ଷ ଦଳଗୁଡିକୁ ସେମାନଙ୍କ ଦେଶରେ ହରାଇ ନପାରିବ ତେବେ ଏକ ନମ୍ବର ହେବାର କିଛି ମାନେ ନାହିଁ। ସମ୍ପ୍ରତି ନ୍ୟୁଜିଲାଣ୍ଡ୍ ଗସ୍ତରେ ଭାରତ ୦-୨ରେ ଟେଷ୍ଟ୍‌ ଶୃଙ୍ଖଳା ହାରିଥିଲା। ସେଭଳି ସ୍ଥାନରେ ଆମେ ଜିତି ପାରିଲେ ଏହି ଫର୍ମାଟରେ ଆମକୁ ଶ୍ରେଷ୍ଠ କୁହାଯାଇପାରିବ ନାହିଁ। ନିକଟ ଅତୀତରେ ଭାରତ ବିଦେଶରେ କେବଳ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାକୁ ୨-୧ (୨୦୧୮-୧୯) ଜିତିଥିଲା। ଏହାକୁ ଛାଡ଼ିଦେଲେ ୨୦୧୮ରେ ଦକ୍ଷିଣ ଆଫ୍ରିକା, ୨୦୧୯ରେ ଇଂଲଣ୍ଡ ଏବଂ ୨୦୨୦ରେ ନ୍ୟୁଜିଲାଣ୍ଡ୍‌ଠୁ ହାରିଛି। ‘ବ୍ୟକ୍ତିଗତ ଭାବେ ନ୍ୟୁଜିଲାଣ୍ଡ୍ ଗସ୍ତରେ ମୁଁ ଭାରି ନିରାଶ ହୋଇଥିଲି। ଟି-୨୦ ଶୃଙ୍ଖଳାକୁ ୫-୦ରେ ଜିତିବା ପରେ ଉଭୟ ଦିନିକିଆ ଏବଂ ଟେଷ୍ଟ୍ ଶୃଙ୍ଖଳାକୁ ହାରିବାର ନ ଥିଲା। ସବୁ ବିଭାଗରେ ଦଳ ଦୃଢ଼ ଥିବାରୁ ଏହା ଅଧିକ ନିରାଶାଜନକ ଥିଲା’ ବୋଲି ଜାଫର ପ୍ରକାଶ କରିଥିଲେ। ବିଶ୍ବର ଏକ ନମ୍ବର ଦଳ ଭାବେ ଆମକୁ ଏଭଳି ଭାବେ ହାରିବାର ନ ଥିଲା। ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ଭଳି ଆମେ ଲମ୍ବା ସମୟ ପ୍ରାଧାନ୍ୟ ବିସ୍ତାର କରିବା ଯୋଜନା ରହିଥିଲା। ସେଭଳି ଦଳ ଦେଶ ବାହାରେ ମଧ୍ୟ ଭଲ କରୁଥିବା ସମସ୍ତଙ୍କୁ ଜଣା। ଭାରତ ସେଭଳି କରିବାକୁ ସକ୍ଷମ, କିନ୍ତୁ ଆମେ ଯେଭଳି କରିବା କଥା କରିପାରିନାହୁଁ’ ବୋଲି ଜାଫର କହିଥିଲେ। ଆମେ ଅଷ୍ଟ୍ରେଲିଆରେ ଐତିହାସିକ ଶୃଙ୍ଖଳା ବିଜୟ ପାଇଥିଲୁ। କିନ୍ତୁ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍‌ରେ ନୁହେଁ ବୋଲି ଜାଫର ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର