ସଚିନ @ ୪୫:ଏମିତି ଦିନ ଅନେକବାର ଆସୁ

ମୁମ୍ବାଇ:  ଏପ୍ରିଲ ୨୪ କେବଳ ସଚିନପ୍ରେମୀ ନୁହେଁ ସମଗ୍ର କ୍ରିକେଟ୍‌ ଜଗତ ପାଇଁ ଏକ ଖାସ୍‌ ଓ ସ୍ୱତନ୍ତ୍ର ଦିନଟିଏ। ଏହି ଦିନ ବିଶ୍ୱ କ୍ରିକେଟ୍‌ ପାଇଥିଲା ଏହାର ମହାନତମ ତାରକା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ। ଠିକ୍‌ ୪୫ ବର୍ଷ ପୂର୍ବେ ଆଜିର ଦିନରେ ହିଁ ସଚିନ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ୧୧ ବର୍ଷ ବୟସରେ କ୍ରିକେଟ୍‌ ଆରମ୍ଭ କରି ୧୬ ବର୍ଷରେ ଅନ୍ତର୍ଜାତୀୟ ପଦାର୍ପଣ ଏବଂ ଅଢ଼େଇ ଦଶନ୍ଧି ଧରି ସାରା ବିଶ୍ୱର କ୍ରିକେଟ୍‌ ପ୍ରେମୀଙ୍କୁ ଖୁସି ଏବଂ ଆନନ୍ଦ ବାଣ୍ଟିଥିବା ସଚିନ ମଙ୍ଗଳବାର ପାଳିଥିଲେ ତାଙ୍କ ୪୫ତମ ଜନ୍ମ ଦିବସ। ସଚିନ ମୁମ୍ବାଇରେ ନିଜ ପରିବାର ଏବଂ ବନ୍ଧୁବର୍ଗଙ୍କ ସହ  ଜନ୍ମଦିନ ଉତ୍ସବ ପାଳିଥିଲେ।  ଅନ୍ୟପକ୍ଷରେ ତାଙ୍କ ପ୍ରଶଂସକମାନେ ନିଜ ନିଜ ସହର, ଗାଁ ଏବଂ ମହାନଗରରେ ମହାଆଡ଼ମ୍ବରରେ ଉତ୍ସବ ପାଳିବା ସହ ସଚିନଙ୍କ ଶୁଭମନାସି ଥିଲେ। କେତେକ ମନ୍ଦିର ଯାଇ ସଚିନଙ୍କ ଦୀର୍ଘ ଜୀବନ ପାଇଁ ପୂଜାର୍ଚନା ବି କରିଥିଲେ। ସାମାଜିକ ଗଣମାଧ୍ୟମରେ ମଧ୍ୟ ଅଗଣିତ ପ୍ରଶଂସକ, ପୂର୍ବତନ କ୍ରିକେଟ୍‌ର ଏବଂ ସଚିନପ୍ରେମୀ ତାଙ୍କୁ ବଧାଇ ଜଣାଇଥିଲେ। କହିବାକୁ ଗଲେ ସଚିନଙ୍କ ପାଖକୁ ଆଜି ଏକପ୍ରକାର ଶୁଭେଚ୍ଛାର ସୂଅ ଛୁଟିଥିଲା। ପରିବାରବର୍ଗଙ୍କ ଭଳି ସଚିନ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ମଧ୍ୟ ଆଉ ଏକ ଜନ୍ମଦିନ କେକ୍‌ କାଟିଥିଲେ। ସେହିଭଳି ମଙ୍ଗଳବାରର ମୁମ୍ବାଇ ଇଣ୍ଡିଆନ୍ସ-ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ ପୂର୍ବରୁ ମଧ୍ୟ ସଚିନ ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ ପରିସରରେ ତୃତୀୟ କେକ୍‌ କାଟିଥିଲେ। ମ୍ୟାଚ୍‌ ବେଳେ ପ୍ରଶଂସକମାନେ ପ୍ଲାକାର୍ଡ ଓ ବ୍ୟାନର ଧରି କ୍ରିକେଟ୍‌ର ଭଗବାନଙ୍କୁ  ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

ସଚିନ ବ୍ୟକ୍ତିଗତ ଭାବେ ତାଙ୍କ ଜନ୍ମଦିନ ଉତ୍ସବ ମୁମ୍ବାଇର ଅଲିଭ୍‌ ବାର ଓ ରେଷ୍ଟୁରାଣ୍ଟରେ ମନାଇଥିଲେ। ସୋମବାର ସଂଧ୍ୟାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ୧୨ଟା ବାଜିବା କ୍ଷଣି ସାଙ୍ଗ ସାଥୀମାନେ ସଚିନଙ୍କୁ ଶୁଭେଚ୍ଛା ଜଣାଇ ସେଠାରୁ ବିଦାୟ ନେଇଥିଲେ। ଏହି ଉତ୍ସବରେ ସଚିନଙ୍କ ପତ୍ନୀ ଅଞ୍ଜଳି, ଝିଅ ସାରା, ଭାଇ ଅଜିତ, ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ୍‌, ଅଜିତ୍‌ ଅଗରକର, ସଚିନଙ୍କ ପିଲାଦିନର ସାଥୀ ବିନୋଦ କାମ୍ବଲି ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ, ସୁରେଶ ରାଇନା, ଲୋକେଶ ରାହୁଲ, ବିରାଟ କୋହଲି, ଯୁବରାଜ ସିଂହ, ମହମ୍ମଦ କୈଫ, ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ, ଭିଭିଏସ୍‌ ଲକ୍ଷ୍ମଣ ପ୍ରମୁଖ ସଚିନଙ୍କୁ ନିଜ ନିଜ ଶୈଳୀରେ ଶୁଭକମନା ଦେଇଥିଲେ। ସମସ୍ତେ ଏକ ସ୍ୱରରେ ଏହି ଦିନ ବାରମ୍ବାର ଆସୁ ବୋଲି କହିଥିଲେ।

କ୍ରିକେଟ୍‌ ଅଷ୍ଟ୍ରେଲିଆଠୁ ସଚିନ ପ୍ରଶଂସକଙ୍କ ଟ୍ଵିଟ୍‌ ପ୍ରତିଶୋଧ

ପର୍ଥର ଜବାବ ସାରଜା ଭିଡିଓରେ

ମଙ୍ଗଳବାର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଡାମିଏନ୍‌ ମାର୍ଟିନଙ୍କ ମଧ୍ୟ ଜନ୍ମଦିବସ ଥିଲା। ହେଲେ କ୍ରିକେଟ୍‌ ଅଷ୍ଟ୍ରେଲିଆ ଫ୍ଲେମିଂଙ୍କୁ ଶୁଭେଚ୍ଛା ଜଣାଇ ନିଜ ଟ୍ଵିଟର ପୃଷ୍ଠାରେ ପକାଇଥିବା ଭିଡିଓ ସଚିନ ପ୍ରଶଂସକଙ୍କୁ କ୍ଷୁବ୍ଧ କରିଥିଲା। ଭିଡିଓରେ ସଚିନଙ୍କୁ ଫ୍ଲେମିଂ କ୍ଲିନ୍‌ ବୋଲ୍ଡ କରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓଟି ୨୦୦୦ ମସିହାରେ ପର୍ଥରେ ଖେଳା ଯାଇଥିବା ଏକ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚ୍‌ର ଥିଲା ବୋଲି ଜଣାପଡ଼ିଥିଲା। କ୍ରିକେଟ୍‌ ଅଷ୍ଟ୍ରେଲିଆର ଏହି କାରନାମାକୁ କିନ୍ତୁ ସଚିନ୍‌ ପ୍ରଶଂସକ ସହଜରେ ଗ୍ରହଣ କରି ପାରି ନଥିଲେ। ସେମାନେ କ୍ରିକେଟ୍‌ ଅଷ୍ଟ୍ରେଲିଆର ଏହି ବିବାଦୀୟ କାମକୁ ତୀବ୍ର ସମାଲୋଚନା କରିଥିଲେ। ଏପରିକି ଅନ୍ୟଏକ ମ୍ୟାଚ୍‌ରେ ଫ୍ଲେମିଂକୁ ସଚିନ ନିର୍ଧୁମ ଛେଚୁଥିବାର ଭିଡିଓ ପକାଇ ସେମାନେ ଏହାର ମଧୁର ପ୍ରତିଶୋଧ ନେଇଥିଲେ।  ସେହିଭଳି ସଚିନଙ୍କ ଜନ୍ମଦିନରେ ଫ୍ଲେମିଂ ତାଙ୍କୁ ବୋଲ୍ଡ କରୁଥିବାର ଦୃଶ୍ୟ ଛଡ଼ା ଆଉ କିଛି ଭିଡିଓ ପକାଇବାକୁ ନଥିଲା ବୋଲି ଅନେକ ସଚିନ ପ୍ରଶଂସକ କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ପ୍ରଶ୍ନ କରିଥିଲେ। ପ୍ରକାଶଯୋଗ୍ୟ ଯେ ଫ୍ଲେମିଂ ଟେଷ୍ଟ ଏବଂ ଦିନିକିଆକୁ ମିଶାଇ ସଚିନଙ୍କୁ ୭ ଥର ଆଉଟ୍‌ କରିଛନ୍ତି। ହେଲେ ସଚିନ ଏହାଠାରୁ ଯଥେଷ୍ଟ ଅଧିକ ଥର ଫ୍ଲେମିଂକୁ ଅଦା ଛେଚିଲା ଭଳି ଛେଚିଛନ୍ତି। ବିଶେଷ କରି ୧୯୯୮ ମସିହାରେ ସାରଜାରେ ଖେଳା ଯାଇଥିବା କୋକା କୋଲା ତ୍ରି-ରାଷ୍ଟ୍ରୀୟ ଶୃଙ୍ଖଳାରେ ଫ୍ଲେମିଂଙ୍କ ବିପକ୍ଷରେ  ସଚିନ ଅତ୍ୟନ୍ତ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେହି ଶୃଙ୍ଖଳାରେ ମାଷ୍ଟର ବ୍ଲାଷ୍ଟରଙ୍କ ଛକା ବର୍ଷାରେ ଅଷ୍ଟ୍ରେଲୀୟ ଲେଗ୍‌ ସ୍ପିନର ସେନ୍‌ ଓ୍ଵାର୍ନଙ୍କ ନିଦ ତ ପୂରା ଉଡ଼ି ଯାଇଥିଲା। ଅନ୍ୟପଟେ ସଂପ୍ରତି ଆଇପିଏଲ୍‌ରେ ଭାଷ୍ୟକାର ଦାୟିତ୍ୱ ତୁଲାଉଥିବା ଫ୍ଲେମିଂ ଆଜି ତାଙ୍କ ୪୮ତମ ଜନ୍ମଦିବସ ଭାରତରେ ପାଳନ କରିଥିଲେ।

ଲେଗ୍‌ ବ୍ରେକ୍‌ ପକାଉଥିବା ଅଫ୍‌ସ୍ପିନର ବହୁଭାଷୀଙ୍କ ଭଳି: ସଚିନ

ଲେଗ୍‌ ବ୍ରେକ୍‌ ପକାଉଥିବା ଅଫ୍‌ସ୍ପିନର ବହୁଭାଷୀ ଲୋକଙ୍କ ଭଳି। ବହୁ ଭାଷୀମାନେ ଏକସଙ୍ଗରେ ଦୁଇ ତିନିଟି ଭାଷା କହି ପାରୁଥିବା ବେଳେ ଏମାନେ ଉଭୟ ଅଫ ସ୍ପିନ୍‌ ଏବଂ ଲେଗ୍‌ ସ୍ପିନ୍‌ ପକାଇବାର ଦକ୍ଷତା ରଖନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଙ୍ଗଳବାର ଏହା କହିଛନ୍ତି। ସୀମିତ ଓଭର କ୍ରିକେଟ୍‌ରେ କଳାତ୍ମକ ସ୍ପିନ୍‌ ପକାଉଥିବା ବୋଲରଙ୍କ ଚାହିଦା ଦିନକୁ ଦିନ ବଢ଼ି ବଢ଼ି ଚାଲିଥିବା ପରିପ୍ରେକ୍ଷୀରେ ସଚିନ ଏହା କହିଥିଲେ। ସଚିନଙ୍କ ଏହି ମନ୍ତବ୍ୟ ଜାତୀୟ ଦଳକୁ ଫେରିବାକୁ  ଉଦ୍ୟମ ଜାରି ରଖିଥିବା ରବିଚନ୍ଦ୍ରନ୍‌ ଅଶ୍ୱିନଙ୍କ ମନୋବଳକୁ ନିଶ୍ଚିତ ବଢ଼ାଇବ। କାରଣ ଅଶ୍ୱିନ ନିଜେ ଜଣେ ଅଫ୍‌ ସ୍ପିନର ହୋଇଥିଲେ ମଧ୍ୟ ସଂପ୍ରତି ସେ ଲେଗ୍‌ ବ୍ରେକ୍‌ର କଳା ଶିଖିବାକୁ ଚେଷ୍ଟା ଜାରି ରଖିଛନ୍ତି।  ସଚିନ କହିଛନ୍ତି ଯେ ଏହା ବୋଲରମାନଙ୍କ ପାଇଁ ସହାୟକ ହେବ। ଏଥିରେ କୌଣସି ଅସୁବିଧା ନାହିଁ।  ଏହା କେବଳ ଜଣେ ବୋଲରକୁ ଅଧିକ ବିକଳ୍ପ ପ୍ରଦାନ କରିବ। ଲେଗ୍‌ ବ୍ରେକ୍‌ ଅଫସ୍ପିନରଙ୍କ ପାଇଁ ଆଉ ଏକ ଅସ୍ତ୍ର ହେବ। ସଂପୃକ୍ତ ବୋଲରଙ୍କ ଶକ୍ତି ବଢ଼ିବ। ଲେଗ୍‌ସ୍ପିନରମାନେ ସଂପ୍ରତି ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଧିକ ଚିନ୍ତା କରିବାକୁ ବାଧ୍ୟ କରୁଛନ୍ତି। ମୟଙ୍କ ମାର୍କଣ୍ଡ ସେଥିପାଇଁ ସଫଳ ହେଉଛନ୍ତି।  ହେଲେ ବ୍ୟାଟ୍ସମ୍ୟାନ୍‌ ଚାହିଁଲେ ଏଭଳି ବିପଦକୁ ଅଭ୍ୟାସ ବଳରେ ପ୍ରତିହତ କରି ପାରିବେ ବୋଲି ସଚିନ ମତ ରଖିଛନ୍ତି।

ସଚିନଙ୍କ କାର୍‌ ଉପରେ ନାଚିଥିଲେ ପ୍ରଶଂସକ

ନିଜର ୪୫ତମ ଜନ୍ମଦିବସ ପୂର୍ବରୁ ସଚିନ ୨୦୧୧ ବିଶ୍ୱକପ୍‌ ବିଜୟର କେତେକ ଅକୁହା କଥା ଉପରୁ ପରଦା ଉଠାଇଛନ୍ତି। କ୍ରିକେଟ୍‌ ସମୀକ୍ଷକ ବୋରିଆ ମଜୁମଦାରଙ୍କ ପୁସ୍ତକ ‘ଇଲେଭେନ୍‌ ଗଡ୍ସ ଆଣ୍ଡ ଏ ବିଲିଅନ୍‌ ଇଣ୍ଡିଆନ୍ସ’ ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ପ୍ରଶଂସକମାନେ କେମିତି ତାଙ୍କ କାର୍‌ ଉପରକୁ ଉଠି ଉତ୍ସବ ପାଳନ କରିଥିଲେ ସେ ବିଷୟରେ ବିସ୍ତୁତ ବିବରଣୀ ଦେଇଥିଲେ। କାର୍‌ଟି ଖଣ୍ଡିଆ ଖାବରା ହୋଇ ଯାଇଥିଲେ ମଧ୍ୟ ସଚିନ ଏହାକୁ ‘ଖୁସିର ଖଣ୍ଡିଆ’ ଆଖ୍ୟା ଦେଇଥିଲେ। ସଚିନ କହିଥିଲେ, ମୋ ପତ୍ନୀ ଅଞ୍ଜଳି ବିଶ୍ୱକପ୍‌ ଫାଇନାଲ୍‌ ଦେଖିବାକୁ ଷ୍ଟାଡିୟମକୁ ଯାଇ ନଥିଲେ। ଆମେ ବିଶ୍ୱକପ୍‌ ଜିତିବା ପରେ  ମୁଁ ତାଙ୍କୁ ଫୋନ୍‌ କରି ଷ୍ଟାଡିୟମ୍‌ ଆସିବାକୁ କହିଥିଲି।  ଅଞ୍ଜଳି କଷ୍ଟେମଷ୍ଟେ ଷ୍ଟାଡିୟମରେ ପହଞ୍ଚି ଥିଲେ। ହେଲେ ସେ ସେଠାରେ ପହଞ୍ଚିଲା ପରେ ପ୍ରଶଂସକମାନେ ନାଚଗୀତ କରି ଏବଂ କାର୍‌ ଛାତ ଉପରେ ଚଢ଼ି ଉତ୍ସବ ପାଳନ କରୁଥିଲେ। ଅଞ୍ଜଳିଙ୍କୁ ଚିହ୍ନିବା ପରେ ଅବଶ୍ୟ ସେମାନେ ଉତ୍ସବ ପାଳନ କିଛି ସମୟ ବନ୍ଦ କରି ତାଙ୍କୁ ଷ୍ଟାଡିୟମକୁ ବାଟ କଢ଼ାଇ ନେଇଥିଲେ। ସେହିଭଳି ସେମାନେ ଆମ କାର ଉପରକୁ ଚଢ଼ିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଡ୍ରେସିଂରୁମ୍‌ରେ ଉତ୍ସବ ପାଳନ ପରେ ହୋଟେଲକୁ ଫେରିବାକୁ ବାହାରିଲା ବେଳେ ମୁଁ ଦେଖିଲି କାର ଛାତ ପୂରା ଚେପା ହୋଇ ଯାଇଛି। ଏମିତି କେମିତି ହେଲା ବୋଲି ମୁଁ ଚିନ୍ତାକଲି। ପରେ ଡ୍ରାଇଭରଠାରୁ ଏହାର କାରଣ ଜଣାପଡ଼ିଥିଲା। ସେ କହିଥିଲା ମାଡାମ୍‌ ଷ୍ଟାଡିୟମ୍‌ ଭିତରକୁ ଯିବା ପରେ ପ୍ରଶଂସକ କିଛି ମାନି ନଥିଲେ। କାର ଉପରେ ଚଢ଼ି ନାଚ ଗୀତ କରିଥିଲେ। କାର ଛାତର ସେହି ଅବସ୍ଥା ଦୀର୍ଘ ଦୀନ ପର୍ଯ୍ୟନ୍ତ ବିଶ୍ୱକପ୍‌ ବିଜୟର ସ୍ମୃତି ହୋଇ ରହିଥିଲା। ମୁଁ ତାକୁ ‘ହାପି ଡେଣ୍ଟ’ ବା ’ଖୁସିର ଖଣ୍ଡିଆ’ ବୋଲି କହିଥିଲି।

ସମ୍ବନ୍ଧିତ ଖବର