ଲଣ୍ଡନ: ପୂର୍ବତନ ଭାରତୀୟ ଅଧିନାୟକ ସଚିନ ତେନ୍ଦୁଲକର ସମ୍ମାନଜନକ ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଛନ୍ତି। ମାଷ୍ଟର ବ୍ଲାଷ୍ଟରଙ୍କ ସମେତ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଆଲାନ୍ ଡୋନାଲଡ ଏବଂ ଅଷ୍ଟ୍ରେଲିଆ ମହିଳା ଦଳର ପୂର୍ବତନ ଦ୍ରୁତ ବୋଲର କାଥ୍ରିନ୍ ଫିଜ୍ପ୍ୟାଟ୍ରିକ୍ ମଧ୍ୟ ନୂଆ ଭାବେ ଏଥିରେ ଯୋଡ଼ି ହୋଇଛନ୍ତି। ଏହି ୩ ଜଣଙ୍କୁ ଗୁରୁବାର ଆୟୋଜିତ ଏକ ଉତ୍ସବରେ ସାମିଲ କରାଯାଇଛି। ହଲ୍ ଅଫ୍ ଫେମ୍ରେ ସାମିଲ ହେବାକୁ ହେଲେ ଜଣେ ଖେଳାଳି ଅତି କମ୍ରେ ୫ ବର୍ଷ ପୂର୍ବରୁ ତାଙ୍କର ଶେଷ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବା ଉଚିତ ବୋଲି ଆଇସିସି ନିୟମ ପ୍ରଣୟନ କରିଛି। ସେ ଦୃଷ୍ଟିରୁ ୨୦୧୩ ନଭେମ୍ବର ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଥିବା ସଚିନ ହଲ୍ ଅଫ୍ ଫେମ୍ରେ ସାମିଲ ହେବାକୁ ଏବେ ଯୋଗ୍ୟ ବିବେଚିତ ହୋଇଥିଲେ। ହଲ୍ ଅଫ୍ ଫେମ୍ର ଅଂଶବିଶେଷ ହେବାରେ ସେ ମଧ୍ୟ ଷଷ୍ଠ ଭାରତୀୟ ହେଲେ। ସଚିନ୍ଙ୍କ ପୂର୍ବରୁ ସୁନୀଲ ଗାଭାସ୍କର, ବିଶେନ୍ ସିଂହ ବେଦି, କପିଳ ଦେବ, ଅନିଲ କୁମ୍ବଲେ ଓ ରାହୁଲ୍ ଦ୍ରାବିଡ ଏଥିରେ ସାମିଲ ହୋଇସାରିଛନ୍ତି। ଆଇସିସି କ୍ରିକେଟ୍ ହଲ୍ ଅଫ୍ ଫେମ୍ରେ ଯୋଡ଼ି ହେବା ଏକ ବଡ଼ ସମ୍ମାନ ବୋଲି ସଚିନ କହିଛନ୍ତି। ଏହି ସମ୍ମାନ ମଧ୍ୟ କ୍ରିକେଟର୍ଙ୍କ ଅବଦାନର ସ୍ବୀକୃତି ବୋଲି ପ୍ରକାଶ କରିଛନ୍ତି। କ୍ରିକେଟ୍ର ଲୋକପ୍ରିୟତା ଓ ବିକାଶ ପାଇଁ ସେମାନେ ସମସ୍ତେ ଅବଦାନ ଛାଡ଼ିଛନ୍ତି ଏବଂ ମୁଁ ଏହାର ଅଂଶବିଶେଷ ହୋଇପାରିଥିବାରୁ ଖୁବ୍ ଖୁସୀ ବୋଲି କହିଛନ୍ତି ସଚିନ। ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାୱନି ୨୦୧୯ ବର୍ଷ ପାଇଁ ହଲ୍ ଅଫ୍ ଫେମ୍ରେ ସାମିଲ ଖେଳାଳିଙ୍କ ନାମ ଘୋଷଣା ବେଳେ ସଚିନ, ଡୋନାଲଡ୍ ଓ କାଥ୍ରିନ୍ଙ୍କ ପ୍ରଶଂସା କରିଥିଲେ। ଏହି ତିନି ମହାନ୍ ଖେଳାଳିଙ୍କୁ ସାମିଲ କରିବା ଆମ ପାଇଁ ସମ୍ମାନର ବିଷୟ ବୋଲି ସେ କହିଥିଲେ। ସେଥିପାଇଁ ଆଇସିସି ତରଫରୁ ମୁଁ ଏହି ତିନି ଜଣଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ମନୁ କହିଥିଲେ।
ସଚିନ ଏକମାତ୍ର ଖେଳାଳି ଯିଏକି ୨୦୦ ଟେଷ୍ଟ୍ ମ୍ୟାଚ୍ ଖେଳିଛନ୍ତି। ଏହି ଲମ୍ବା ଫର୍ମାଟ୍ କ୍ରିକେଟ୍ ଜୀବନ ମଧ୍ୟରେ ସେ ୧୫, ୯୨୧ ରନ୍ କରିଥିଲା ବେଳେ ୪୬୩ ଦିନିକିଆ ଆନ୍ତର୍ଜାତିକରେ ୧୮, ୪୨୬ ରନ୍ କରିଛନ୍ତି। ଉଭୟ ଟେଷ୍ଟ ଓ ଦିନିକିଆରେ ତାଙ୍କ ବ୍ୟକ୍ତିଗତ ରନ୍ ଏବେ ବି କୀର୍ତ୍ତିମାନ ହୋଇ ରହିଛି। ସେ ମଧ୍ୟ ଏକମାତ୍ର ଖେଳାଳି ଯିଏକି ଆନ୍ତର୍ଜାତିକ କ୍ରିକେଟ୍ରେ ୧୦୦ (ଟେଷ୍ଟ୍ରେ ୫୧ ଓ ଦିନିକିଆରେ ୪୯) ଶତକ ନିଜ ନାମରେ ଅତୁଟ ରଖିଛନ୍ତି। ସଚିନ୍ ମଧ୍ୟ ୨୦୧୧ ବିଶ୍ବ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ।
ଧନ୍ୟବାଦ ଦେଲେ ସଚିନ
ପୂର୍ବତନ ଭାରତୀୟ ଅଧିନାୟକ ସଚିନ୍ ତେନ୍ଦୁଲକର ସମ୍ମାନଜନକ ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଛନ୍ତି। ଏହି ସମ୍ମାନ ପାଇବା ପଛରେ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ସାମିଲ ଥିବା ସମସ୍ତ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଚିନ ତେନ୍ଦୁଲକର। କ୍ରିକେଟ୍କୁ ଉପଭୋଗ କରିବାରେ ମୋତେ ସର୍ବଦା ସମର୍ଥନ କରି ଆସିଥିବା ସମସ୍ତ ଅଧିନାୟକ, ସାଥୀ ଖେଳାଳି ଏବଂ ବିସିସିଆଇ ଓ ଏମ୍ସିଏର ଅଧିକାରୀଙ୍କୁ ଧନ୍ୟବାଦ ଦେଉଛି। ଏଥିସହ ଆଇସିସି ମଧ୍ୟ ଧନ୍ୟବାଦ ଦେବି ବୋଲି ସଚିନ କହିଛନ୍ତି।
ହଲ୍ ଅଫ୍ ଫେମ୍ରେ ସାମିଲ ହେବା ପ୍ରତ୍ୟେକ କ୍ରୀଡ଼ାବିତ୍ଙ୍କ ପାଇଁ ସମ୍ମାନର କଥା। ଏଥିପାଇଁ ମଧ୍ୟ କ୍ରୀଡ଼ାବିତ୍ମାନେ ଗୌରବ ଅନୁଭବ କରିଥାନ୍ତି। ସଚିନ ତେନ୍ଦୁଲକର ଶୁକ୍ରବାର ଏହି ସମ୍ମାନଜନକ ହଲ୍ ଅଫ୍ ଫେମ୍ରେ ଯୋଡ଼ି ହୋଇଛନ୍ତି। ହେଲେ ଏଭଳି ମହାନ୍ ତଥା କିମ୍ବଦନ୍ତୀ କ୍ରିକେଟର୍ଙ୍କୁ ଏତେ ବିଳମ୍ବରେ ସାମିଲ କରିବା ନେଇ ଦ୍ବନ୍ଦ୍ବ ଉପୁଜିଛି। ବିଶେଷକରି ତାଙ୍କ ପୂର୍ବରୁ ଅନ୍ୟ ଦୁଇ ଭାରତୀୟ ଅନିଲ କୁମ୍ବଲେ (୨୦୧୫) ଓ ରାହୁଲ ଦ୍ରାବିଡ୍ (୨୦୧୮)ଙ୍କୁ କିପରି ସାମିଲ କରାଯାଇଥିଲା ତାହା ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଫଳରେ ବିଳମ୍ବରେ ସାମିଲ ହୋବା ସଚିନଙ୍କ ପାଇଁ ଅନ୍ୟାୟ ହୋଇଛି ବୋଲି କୁହାଯାଉଛି। ହେଲେ ସେସବୁ ଦ୍ବନ୍ଦ୍ବ ଉପରୁ ଆଇସିସି ପରଦା ଉଠାଇଛି। ସଚିନଙ୍କୁ ବିଳମ୍ବରେ ସାମିଲ କରିବାର ଯଥାର୍ଥ କାରଣ ଦର୍ଶାଇଛି ଆଇସିସି। ଆଇସିସିର ନିୟମ ମୁତାବକ କୌଣସି ଖେଳାଳି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେବାର ୫ ବର୍ଷ ପୂରଣ କରିବା ପରେ ହିଁ ହଲ୍ ଅଫ୍ ଫେମ୍ରେ ସାମିଲ ହେବାର ସୁଯୋଗ ମିଳିଥାଏ। ସେହି ଦୃଷ୍ଟିରୁ ୨୦୧୩ରେ ଅବସର ନେଇଥିବା ସଚିନ୍ ୨୦୧୮ରେ ୫ ବର୍ଷ ପୂରଣ କରିଥିଲେ ଏବଂ ଚଳିତ ବର୍ଷ ତାଙ୍କୁ ସାମିଲ କରାଯାଇଥିଲା। ଏଥିରେ ବିଳମ୍ବର ପ୍ରଶ୍ନ ଉଠୁନାହିଁ ବୋଲି ଆଇସିସି ସ୍ପଷ୍ଟ କରିଛି। କୁମ୍ବଲେ ୨୦୦୮ ଏବଂ ଦ୍ରାବିଡ୍ ୨୦୧୨ରେ ଅବସର ଘୋଷଣା କରିଥିଲେ। ସେହି ଦୃଷ୍ଟିରୁ କୁମ୍ବଲେ ୨୦୧୫ ଓ ଦ୍ରାବିଡ୍ ୨୦୧୮ରେ ହଲ୍ ଅଫ୍ ଫେମ୍ରେ ଯୋଡ଼ି ହୋଇଥିଲେ।
ୱାକର୍ଙ୍କ ଶୁଭେଚ୍ଛା
ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ ହେବା ପରେ ସଚିନ ତେନ୍ଦୁଲକରଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ କ୍ରିକେଟର୍ ୱାକର ୟୁନିସ। ମୁଁ କେବେ ଭୁଲି ପାରିବିନି, ସେ ସିଆଲ୍କୋଟ (୧୯୮୯) ଏବଂ ଚେନ୍ନାଇ (୧୯୯୯)ରେ କରିଥିବା ଶତକକୁ। ପିଚ୍ରେ ଓ ଭାଷ୍ୟକାର ବକ୍ସରେ ମୁଁ ତୁମ ନିକଟରେ ଥିଲି। ଏହି ୩୦ ଅବିସ୍ମରଣୀୟ ବର୍ଷକୁ ଭୁଲି ହେବନି.. ଭାଷ୍ୟକାର ବକ୍ସରେ ତୁମ ସହିତ ବିତାଇଥିବା ଦିନ ମଜାଦାର ଥିଲା ଲିଟିଲ୍ ମାଷ୍ଟର ବୋଲି ପୂର୍ବତନ ଦ୍ରୁତ ବୋଲର ୱାକର୍ ଟ୍ବିଟ୍ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)