ସଚିନଙ୍କୁ କଳିଙ୍ଗ ସଲାମ୍‌

ଭାରତୀୟ କ୍ରୀଡ଼ା ଦୁନିଆର ମହାନ କିମ୍ବଦନ୍ତୀ ସଚିନ ‌ରମେଶ ତେନ୍ଦୁଲକର ଅନେକ ଥର ଓଡ଼ିଶା ଆସିଛନ୍ତି। ବାରବାଟୀରେ ଖେଳିଛନ୍ତି ଏବଂ ବିଶ୍ବକପ୍ ଶତକ ବି ହାସଲ କରିଛନ୍ତି। କିନ୍ତୁ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଦ ଥାପିଥିବା ଏହି ସେଞ୍ଚୁରିମ୍ୟାନ୍‌ ଏହାର ଭିତ୍ତିଭୂମୀ, ପ୍ରଶଂସକ ଏବଂ ହକିପ୍ରେମକୁ ଦେଖି ଅଭିଭୂତ ହୋଇଯାଇଥିଲେ। ନିଜ କ୍ରିକେଟର ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ସହ ଆସିଥିବା ସଚିନ ପ୍ରଥମେ ପ୍ରଶଂସକ ଏବଂ ଷ୍ଟାଡିୟମ୍ ପଶ୍ଚିମ ପାର୍ଶ୍ବରୁ ସେଲଫି ନେଇ ଟ୍ବିଟ୍ କରିଥିଲେ। ଏଥିରେ ଲେଖିଥିଲେ ‘ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ପୁରୁଷ ହକି ବିଶ୍ବକପ୍ ଫାଇନାଲ୍‌ ପାଇଁ ପାଗଳପ୍ରାୟ ପରିବେଶ। ଚମତ୍କାର ଷ୍ଟାଡିୟମ୍‌ରେ ହକି ପାଇଁ ଏତେ ଉତ୍ସାହ ଓ ଉଦ୍ଦୀପନା ଦେଖି ଭଲ ଲାଗିଲା। ଏଭଳି ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତା ଲାଗି ଧନ୍ୟବାଦ ନବୀନ ପଟ୍ଟନାୟକ ଏବଂ ହକି ଇଣ୍ଡିଆ।”। ଏଥି ସହିତ ମଧ୍ୟାନ୍ତରରେ ଟିଭି ଉପସ୍ଥାପିକାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ସଚିନ ମଧ୍ୟ ଓଡ଼ିଶା ସରକାର ଏବଂ କଳିଙ୍ଗ ଷ୍ଟାଡିୟମକୁ ପୁଣି ଥରେ ପ୍ରଶଂସା କରିବାକୁ ଭୁଲି ନ ଥିଲେ। ଏଠାକାର ମାହୋଲ ପରେ ଭାରତୀୟ ଯୁବ ଗୋଷ୍ଠୀ ଏବେ ହକି ଷ୍ଟିକ୍ ଧରିବାକୁ ଆଗେଇ ଆସିବା ଉଚିତ୍ ବୋଲି ସଚିନ ଆହ୍ବାନ ଦେଇଥିଲେ। ସଚିନଙ୍କ ଏହି ଅଭିଭାଷଣ ବେଳେ କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ୧୫,୦୦୦ର ଊର୍ଧ୍ବ ପ୍ରଶଂସକ ଛିଡ଼ା‌ ହୋଇ ଅଭିବାଦନ ଜଣାଇବା ତାଙ୍କ ପାଇଁ କଳିଙ୍ଗ ସମ୍ମାନଠାରୁ ବି କିଛି କମ୍ ନ ଥିଲା।

ସମ୍ବନ୍ଧିତ ଖବର