ଶୀର୍ଷରେ ବ୍ୟାଟିଂ ଘଟଣାରୁ ପରଦା ଉଠାଇଲେ ସଚିନ: ପାଳି ଆରମ୍ଭ ପାଇଁ ଥରଟିଏ ସୁଯୋଗ ଦେବାକୁ ଆଝାରୁଦ୍ଦିନ୍‌, ଅଜିତଙ୍କୁ ଅନୁରୋଧ କରିଥିଲି

ନୂଆଦିଲ୍ଲୀ: କ୍ରିକେଟ କିଂବଦନ୍ତି ସଚିନ ତେନ୍ଦୁଲକର ମଧ୍ୟକ୍ରମରେ ବ୍ୟାଟିଂ ଆରମ୍ଭ କରିଥିଲେ ଏବଂ ନ୍ୟୁଜିଲାଣ୍ଡରେ ଯେତେ‌ବେଳେ ନଭଜୋତ ସିଂହ ସିଦ୍ଧୁ ଆହତ ହେଲେ ଏହି ସମୟରେ ଲିଟିଲ ମାଷ୍ଟରଙ୍କୁ ଶୀର୍ଷରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିବା ଘଟଣା ସମସ୍ତଙ୍କୁ ଜଣା। କିନ୍ତୁ ‌ସଚିନ କିପରି ଏହି ସ୍ଥାନରେ ତାଙ୍କର ଖେଳଜୀବନ ଆଗକୁ ନେଇଥିଲେ ସେ ଘଟଣା ଉପରୁ ନିଜେ ପରଦା ଉଠାଇଛନ୍ତି। ଅକ୍‌ଲାଣ୍ଡରେ ତାଙ୍କୁ ଶୀର୍ଷରେ ବ୍ୟାଟିଂ କରିବାକୁ ଥରେ ସୁଯୋଗ ମିଳୁ ବୋଲି ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ଓ ପ୍ରବନ୍ଧକ ଅଜିତ ୱାଡେକରଙ୍କୁ ଗୁହାରି କରିଥିବା ସଚିନ୍‌ କହିଛନ୍ତି। ଏପରିକି ଯଦି ବିଫଳ ହୁଏ ତେବେ ଆଉ କେବେ ବି ତୁମ ପାଖକୁ ଆସିବିନି ବୋଲି କହିଥିଲେ ସଚିନ।

ସଚିନ ତାଙ୍କର ବ୍ୟକ୍ତିଗତ ମୋବାଇଲ୍‌ ଆପ୍‌ ୧୦୦ ଏମ୍‌ବିରେ ଦେଇଥିବା ଏକ ସାକ୍ଷାତକାରରେ ଏହି ଘଟଣା ବିଷୟରେ ବିସ୍ତ୍ୃତ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ସେଦିନ ସକାଳେ ଯେତେବେଳେ ସେ ହୋଟେଲ ଛାଡ଼ିଥିଲେ, ସେତେବେଳେ ସେ ବ୍ୟାଟିଂ ଆରମ୍ଭ କରିବେ ବୋଲି ଜାଣିନଥିଲେ। ପଡ଼ିଆରେ ପହଞ୍ଚିବା ବେଳକୁ ଆଝାର ଓ ୱାଡେକର, ସିଦ୍ଧୁଙ୍କ ସ୍ବାସ୍ଥ୍ୟଗତ ଅବସ୍ଥା ବିଷୟରେ ଆଲୋଚ‌ନା କରୁଥି‌ଲେ। ବେକରେ ଆଘାତ ଲାଗିଥିବାରୁ ସିଦ୍ଧୁ ଖେଳିବା ପାଇଁ ଅନୁପଯୁକ୍ତ ବୋଲି କହିବା ସହ କିଏ ବ୍ୟାଟିଂ ଆରମ୍ଭ କରିବ ତାହାକୁ ନେଇ ସେମାନେ ଚିନ୍ତାରେ ଥିଲେ। ସେତେବେଳେ ସେଠାରେ ତାଙ୍କୁ ଗୋଟିଏ ସୁଯୋଗ ଦେବା ପାଇଁ ଉଭୟ ଅଧିନାୟକ ଓ ପ୍ରବନ୍ଧକଙ୍କୁ ଅନୁରୋଧ କରିଥିଲି। ଆରମ୍ଭରୁ ବ୍ୟାଟିଂ କରିବାକୁ ଯାଇ ସବୁ ବୋଲରଙ୍କୁ ଆକ୍ରମଣ କରିପାରିବା ଭଳି ମୋ ବିଶ୍ବାସ ଥିଲା। ସେ ସମୟରେ ପ୍ରଥମ ୧୫ ଓଭରରେ ବଲ୍‌ ନୂଆ ଥିବାରୁ ସମସ୍ତେ ଧୀମା ଖେଳୁଥିଲେ। କିନ୍ତୁ ବଲ୍‌ ନୂଆ ଥିବାବେଳେ ଏହାର ଚମକ ପାର୍ଶ୍ବକୁ ଦେଖି ସେହି ଅନୁସାରେ ବ୍ୟାଟ୍‌କୁ ବୁଲାଇବା ଆବଶ୍ୟକ ରହୁଥିଲା। ପ୍ରଥମ ୭ରୁ ୮ ଓଭର ପର୍ଯ୍ୟନ୍ତ ଆକ୍ରମଣାତ୍ମକ ଖେଳିଚାଲିଲେ ପ୍ରତିପକ୍ଷ ଖେଳାଳିମାନେ ଚାପରେ ଆସି‌ଯିବେ ବୋଲି ସେ ଜାଣିଥିଲେ। ତେଣୁ ଏହି ମ୍ୟାଚ୍‌ରେ ଯଦି ସେ ବିଫଳ ହୁଅନ୍ତି, ‌ତାହେଲେ କେବେ ବି ଆଝାରଙ୍କ ନିକଟକୁ ଆସିବେନି ବୋଲି ସଚିନ ତାଙ୍କୁ କହିଥିଲେ। ଶେଷରେ ସଚିନ୍‌ଙ୍କୁ ଶୀର୍ଷରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା ବେଳେ ତାଙ୍କର ଏହି ରଣନୀତି ସଫଳ ହୋଇଥିଲା। ସେହି ମ୍ୟାଚ୍‌ରେ ସଚିନ ୪୯ ବଲ୍‌ରୁ ୮୨ ରନ୍‌ ସଂଗ୍ରହ କରିଥିଲେ। ଏଥିମଧ୍ୟରେ ୧୫ ଚୌକା ଓ ୨ ଛକା ସାମିଲ ଥିଲା। ଏହାପରଠୁ ସେ ଆଉ ପଛକୁ ଫେରିନଥିଲେ। ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ସ୍ଥାପନ କରିବା ସହ ଆନ୍ତର୍ଜାତିକ ଦିନିକିଆରେ ୪୯ ଶତକ ଓ ୯୬ ଅର୍ଧଶତକ ବଳରେ ମୋଟ ୧୮,୪୨୬ ରନ୍‌ ସଂଗ୍ରହ କରି ସେ ଅବସର ନେଇଥିଲେ।

ସମ୍ବନ୍ଧିତ ଖବର