ପୁଅ ଅର୍ଜୁନଙ୍କ ରୁମ୍‌ମେଟ୍‌ର ଇଚ୍ଛା ପୂରା କଲେ ସଚିନ; ଭେଟିଲେ, ଉପହାର ଦେଲେ, ଭବିଷ୍ୟତ ପାଇଁ ଉପଦେଶ ବି ଦେଲେ

ନୂଆଦିଲ୍ଲୀ: କ୍ରିକେଟ୍‌ ଜଗତର ଭଗବାନ ଭାବେ ପରିଚିତ ସଚିନ ତେନ୍ଦୁଲକର୍‌ ନିଜର ଅବସର ପରେ ଟିମ୍‌ ଇଣ୍ଡିଆକୁ ଆଦୌ ହତାସ କରିନାହାନ୍ତି। କାହିଁକି ନା, ଖୁବ୍‌ ଶୀଘ୍ର ଟିମ୍‌ ଇଣ୍ଡିଆରେ ବାପାଙ୍କ ସ୍ଥାନ ନେବେ ପୁଅ ଅର୍ଜୁନ ତେନ୍ଦୁଲକର୍‌ ଯାହାର ଅନୁମାନ ହୁଏତ ଆପଣ ଲାଗାଇ ସାରିବେଣି। ୧୮ ବର୍ଷିଅ ଅର୍ଜୁନ ପ୍ରଥମ ଥର ପାଇଁ ଅଣ୍ଡର୍‌-୧୯ ମ୍ୟାଚ୍‌ ଖେଳିବାକୁ ମନୋନୀତ ହୋଇଛନ୍ତି। ଏହି ୪ ଦିନିଆ ମ୍ୟାଚ୍‌ ସକାଶେ ସେ ଶ୍ରୀଲଙ୍କା ଯିବେ ବୋଲି ସୂଚନା ରହିଛି। ଖାଲି ସେତିକି ନୁହେଁ, ସଚିନଙ୍କ ସହ ଯିବେ ତାଙ୍କ ର ୧୭ ବର୍ଷିଅ ନ୍ୟାସ୍‌ନାଲା କ୍ରିକେଟ୍‌ ଏକାଡେମି(ଏନ୍‌ସିଏ) ରୁମ୍‌ମେଟ୍‌ ବ୍ୟଟ୍‌ସମ୍ୟାନ୍‌ ୟାସଭି ଜୈଶଓ୍ଵାଲ୍‌।

ଯଦିଓ ଆପଣ ଜାଣିଥିବେ ସଚିନଙ୍କ ପୁଅ ଅର୍ଜୁନ ବୋଲର୍‌ ଭାବେ ନିଜକୁ ପ୍ରସ୍ତୁତ କରିବା ପାଇଁ ଇଂଲ୍‌ଣ୍ଡର କ୍ରିକେଟ୍‌ ଗ୍ୟାଲେରିରେ ବିରାଟ କୋହଲିଙ୍କୁ ବଲ୍‌ ଫୋପାଡୁଥିବା ଦେଖିବାକୁ ମିଳିଥିଲା। ମାତ୍ର ୟାସଭିଙ୍କ ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖିଲେ ଦୁହେଁ ଦୁଇଟି ସରଳ ରେଖା ପରି ଲାଗିବେ। ସାଧାରଣ ଘରର ପୁଅ ୟାସ୍‌ଭି ଅଣ୍ଡର୍‌-୧୯ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ବାଙ୍ଗାଲୋରରେ ହୋଇଥିବା ଏନ୍‌ସିଏ କ୍ୟାମ୍ପରେ ଅର୍ଜୁନଙ୍କୁ ନିଜ୍‌ ରୁମ୍‌ମେଟ୍‌ ଭାବେ ପାଇବାକୁ ନିଜର ଭାଗ୍ୟ ବୋଲି କହିଛନ୍ତି।

ୟାସ୍‌ଭି ଅର୍ଜୁନଙ୍କ ବାପା ସଚିନଙ୍କୁ ନିଜ ଆଦର୍ଶ ବୋଲି ଭାବନ୍ତି। ବାଙ୍ଗାଲୋର ଛାଡ଼ିବା ପୂର୍ବରୁ ସେ ଥରୁଟିଏ ସଚିନଙ୍କୁ ଭେଟିବାକୁ ଚାହାନ୍ତି ବୋଲି ଅର୍ଜୁନଙ୍କୁ ବାରମ୍ବାର କହିଥିଲେ। ଶେଷରେ କ୍ୟାମ୍ପ ସରିବା ପରେ ତାଙ୍କ ଇଚ୍ଛା ପୂରା ହେଲା। ପୁଅର ରୁମ୍‌ମେଟ୍‌କୁ ଦେଖା କରିବାକୁ ପହଞ୍ଚିଥିଲେ ସଚିନ। ଖାଲି ସେତିକି ନୁହେଁ ସେ ଏକ ବାର୍ତ୍ତ ଲେଖି ୟାସ୍‌ଭିଙ୍କୁ ଏକ ବ୍ୟାଟ୍‌ ମଧ୍ୟ ଉପହାର ଦେଇଛନ୍ତି। ସେଥିରେ ଲେଖାଅଛି ‘ପ୍ରିୟ ୟାସ୍‌ଭି, ଖେଳକୁ ଉପଭୋଗ କର ଓ ସବୁବେଳେ ନିଜର ଶ୍ରେଷ୍ଟ ପ୍ରଦର୍ଶନ କର।’

ଏହି ବ୍ୟାଟ ପାଇବା ପରେ ୟାସ୍‌ଭି ଖୁବ୍‌ ଖୁସି। ତାଙ୍କର ସ୍ୱପ୍ନ ପୂରା ହୋଇଛି ବୋଲି ସେ କହିଛନ୍ତି। ସେ ଆହୁରି ବି କହିଛନ୍ତି କି ‘ମୁଁ ପ୍ରଥମେ ବିଶ୍ୱାସ କରିପାରିଲିନି କି ବାସ୍ତବରେ ସେ ମୋ ସହ କଥା ହେଉଛନ୍ତି। ମୁଁ ତାଙ୍କୁ ଖେଳ ସଂପର୍କିତ ବହୁ କଥା ପଚାରିଲି। ସେ ମୋତେ ଉଦାହରଣ ସହ ବୁଝାଇଲେ। ଭିନ୍ନ ପରିସ୍ଥିତିରେ କିପରି ଭାବନାକୁ ବଦଳାଇବାକୁ ପଡ଼େ ସେ ମୋତେ ଶିକ୍ଷା ଦେଇଛନ୍ତି।’ ୟାସ୍‌ଭି ନିଜର ପ୍ରଶ୍ନ ପଚାରିବାରେ ଏପରି ମଜ୍ଜି ରହିଲେ ଯେ ସେ ତାଙ୍କ ପ୍ରିୟ ଖେଳାଳିଙ୍କ ସହ ଫଟୋଟିଏ ନେବାକୁ ଭୁଲିଗଲେ ବୋଲି ଜଣାଇଛନ୍ତି।

ଉତ୍ତରପ୍ରଦେଶର ଏକ ଗ୍ରାମାଞ୍ଚଳର ଏହି ଯୁବକ କ୍ରିକେଟ୍‌ ପାଇଁ ସଂଘର୍ଷ କରିବାକୁ ୧୧ ବର୍ଷରୁ ଘର ଛାଡ଼ି ମୁମ୍ବାଇ ଆସିଛନ୍ତି। ସେ କୋଚ୍‌ ବେହରି ଟ୍ରଫିରେ ୫୦୦ ରନ୍‌ କରି ମୁମ୍ବାଇ ଏଜ୍‌ ଗ୍ରୁପ୍‌ ଟିମ୍‌ର ଏହି ନିୟମିତ ବାଳକ ଜଣକ ପୁରସ୍କୃତ ମଧ୍ୟ ହୋଇଛନ୍ତି।

କ୍ରିକେଟ୍‌ ପାଇଁ ସେ ରହିବାରୁ ନେଇ ଖାଇବା ଆଦି ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏପରିକି ମୁମ୍ବାଇ ପରି ସହରେ ରହି ସେ ବାହାରେ ଶୌଚ ଯିବାର ପରିସ୍ଥିତି ବି ସାମ୍ନା କରିଛନ୍ତି। ପେଟ ପାଇଁ ପାଣିପୁରି ବିକିବାରୁ ଆରମ୍ଭ କରି ଆହୁରି ଅନେକ କାମ କରିଛନ୍ତି। ଭୋକ ବଢ଼ିଗଲେ ଅନେକ ସମୟରେ ନିଜ ଖେଳ ବ୍ୟାଟ୍‌କୁ ବି ବିକି ଦେଇଛନ୍ତି। ଏତେ ସବୁ ପରେ ବି ଯଦି ତାଙ୍କ ସ୍ୱପ୍ନ ସାକାର ହେବାର ସମାନ୍ୟତମ ସୁଯୋଗ ରହିଛି ତେବେ ତାହାର ଶ୍ରେୟ ସେ ଜଓ୍ଵାଲା ସିଂଙ୍କୁ ଦେଇଛନ୍ତି। ଯିଏକି ରହିବା, ଖାଇବାର ବନ୍ଦୋବସ୍ତ କରିବା ସହ କ୍ରକେଟ୍‌ ପ୍ରଶିକ୍ଷଣରେ ତାଙ୍କ ପାଇଁ ଈଶ୍ୱର ପରି ବୋଲି ସେ କହନ୍ତି।

ସମ୍ବନ୍ଧିତ ଖବର