ମାର୍ଚ୍ଚ ୭ରେ ସଚିନ ବନାମ ଲାରା

ଭୁବନେଶ୍ବର: ମାର୍ଚ ୭ ତାରିଖରୁ ମୁମ୍ବାଇ ଏବଂ ପୁନେରେ ଖେଳାଯିବାକୁ ଥିବା ବହୁ ଚର୍ଚ୍ଚିତ ଅନଏକାଡେମି ରୋଡ୍‌ ସେଫଟି ବିଶ୍ବ ସିରିଜ୍‌ କ୍ରିକେଟ୍‌ ପ୍ରତିଯୋଗିତା ଲାଗି ପ୍ରସ୍ତୁତି ଜୋର ନେଇଛି। ଏହି ଅଭିଯାନରେ ସାମିଲ ହୋଇ ଶୁକ୍ରବାର ମୁମ୍ବାଇର ବାନ୍ଦ୍ରାସ୍ଥିତ ଏମଆଇଜି କ୍ଲବ୍‌ ଗ୍ରାଉଣ୍ଡ୍‌ରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯାଇଛି। ଜଣାଶୁଣା ଚଳଚ୍ଚିତ୍ର ନିର୍ଦେଶକ, ଅଭିନେତା, ଲେଖକ ତଥା ନିର୍ମାତା ମହେଶ ମଞ୍ଜରେକର ଏବଂ ପୂର୍ବତନ କ୍ରିକେଟର୍‌ ପ୍ରବୀଣ ଆମ୍ରେ ମଧ୍ୟ ସାମିଲ ହୋଇଥିଲେ। ମାରାଠି ଚଳଚ୍ଚିତ୍ର ଦୁନିଆର ବହୁତାରକା ସିଦ୍ଧାର୍ଥ ୟାଦବ, ସିଦ୍ଧାନ୍ତ ମୁଲେ, ତେଜସ ନେରୁରକର୍‌, ଅଙ୍କୁଶ ଚୌଧୁରୀ, ସର୍ବେଶ ପରବ ପ୍ରମୁଖ ବିଶ୍ବ ସିରିଜ୍‌ ପ୍ରତି ସେମାନଙ୍କ ସମର୍ଥନ ଜଣାଇ ଏଥିରେ ଖେଳିଥିଲେ। ଥାନେର ମୁଖ୍ୟ ଆରଟିଓ ରବି ଗାଏକୱାଡ ମଧ୍ୟ ସଚେତନତା ଅଭିଯାନରେ ସାମିଲ ହୋଇଥିଲେ। ସଡ଼କ ଦୁର୍ଘଟଣାରେ ଭାରତରେ ପ୍ରତି ୪ ମିନିଟ୍‌ରେ ଜଣେ, ଦୈନିକ ୧୨୧୪ ଜଣ ଏବଂ ବର୍ଷକୁ ୧.୫ରୁ ୨ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟୁଥିବାରୁ ବିଶ୍ବର ବହୁ କିଂବଦନ୍ତି କ୍ରିକେଟରଙ୍କୁ ନେଇ ମାର୍ଚ ୭ରୁ ୨୨ ତାରିଖ ପର୍ଯ୍ୟନ୍ତ ୫ ‌ରାଷ୍ଟ୍ରୀୟ ଅନଏକାଡେମି ‌ରୋଡ୍‌ ସେଫଟି ବିଶ୍ବ ସିରିଜ୍‌ କ୍ରିକେଟ୍‌ର ଆୟୋଜନ କରାଯାଇଛି।

ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ମାର୍ଚ ୭ରେ ସଚିନ ତେନ୍ଦୁଲକରଙ୍କ ନେତୃତ୍ବାଧୀନ ଭାରତ କିଂବଦନ୍ତି ବନାମ ବ୍ରାଏନ ଲାରାଙ୍କ ନେତୃତ୍ବାଧୀନ ୱେଷ୍ଟଇଣ୍ଡିଜ୍‌ କିଂବଦନ୍ତିଙ୍କ ମୁକାବିଲାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆରୁ ମଧ୍ୟ ଅନ୍ୟ ୩ ଦଳ ଏବଂ ଏକାଧିକ କିଂବଦନ୍ତି ଖେଳାଳି ଭାଗନେବେ। ଏହି ୫ ଦଳରୁ ବୀରେନ୍ଦ୍ର ସେହବାଗ, ଯୁବରାଜ ସିଂହ, ଜାହିର୍‌ ଖାନ୍‌, ଶିବନାରିନ ଚନ୍ଦରପଲ୍‌, ବ୍ରେଟ୍ ଲି, ବ୍ରାଡ୍ ହଜ, ଜଣ୍ଟି ରୋଡ୍ସ, ଲାନ୍ସ କ୍ଲୁଜନର୍‌, ମୁଥୟା ମୁରଲୀଧରନ, ତିଲକରତ୍ନେ ଦିଲସାନ୍, ଅଜନ୍ତା ମେଣ୍ଡିଜ୍‌ ପ୍ରମୁଖ ଖେଳିବେ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ପଦ୍ମ ଭୂଷଣ ତଥା ଜୀବନ୍ତ କିଂବଦନ୍ତି ସୁନିଲ ଗାଭାସ୍କର ଏହି ପ୍ରତିଯୋଗିତାର ମୁଖ୍ୟ କମିସନର୍‌ ରହିଛନ୍ତି।

ସମ୍ବନ୍ଧିତ ଖବର