ସେମିରେ ଆଜି ସହିଦ-ପାୟୋନିଅର୍‌: ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ କ୍ରିକେଟ୍‌

ଭୁବନେଶ୍ୱର: ତୃତୀୟ ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ମୁକାବିଲା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଶୁକ୍ରବାର ପ୍ରଥମ ସେମିଫାଇନାଲ୍‌ରେ ଭୁବନେଶ୍ୱରର ସହିଦ ସ୍ପୋର୍ଟିଂ ଓ ପୁରୀର ପାୟୋନିଅର ମଧ୍ୟରେ ଖେଳାଯିବାକୁ ଥିଲା ବେଳେ ଶନିବାର ଦ୍ୱିତୀୟ ସେମିଫାଇନାଲ୍‌ରେ ୟଙ୍ଗ୍‌ ଭେଟେରାନ୍‌ (ଭୁବନେଶ୍ୱର) ଓ ଜୁଭେନାଇଲ (କଟକ) ମୁହାଁମୁହିଁ ହେବେ। ଗୁରୁବାର ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲ୍‌ରେ ଜୁଭେନାଇଲ୍‌ ଦଳ ଭୁବନେଶ୍ୱରର ପାରାମାଉଣ୍ଟ୍‌ ସ୍ପୋର୍ଟିଂକୁ ୧୯ ରନ୍‌ରେ ପରାସ୍ତ କରି ସେମିଫାଇନାଲ୍‌ ପ୍ରବେଶ କରିଛି।

ଟସ୍‌ ହାରି ବ୍ୟାଟିଂ ପାଇଥିବା ଜୁଭେନାଇଲ୍‌ ଦଳ ନିର୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୭୦ ରନ୍‌ କରିଥିଲା। ସଞ୍ଜୟ ଖୁଣ୍ଟିଆ ୪୬ ବଲ୍‌ରୁ ଦ୍ରୁତ ୭୬ ରନ୍‌ କରିଥିଲା ବେଳେ ଦେବାଶିଷ ସାମନ୍ତରାୟ ୨୧ ବଲ୍‌ରୁ ୩୪ ଓ ଗିରିଜା ମିଶ୍ର ୧୮ ବଲ୍‌ରୁ ୩୧ ରନ୍‌ର ଅବଦାନ ରଖିଥିଲେ। ଜବାବରେ ପାରାମାଉଣ୍ଟ୍‌ ଦଳ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ୪.୩ ଓଭରରେ କୌଣସି ଓ୍ଵିକେଟ୍‌ ନହରାଇ ୪୮ ରନ୍‌ କରିଥିଲା। ହେଲେ ପରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୯ ଓ୍ଵିକେଟ୍‌ ବିନିମୟରେ ୧୫୧ ରନ୍‌ କରିପାରିଥିଲା। ଅମରେଶ ମହାନ୍ତି ୧୫ ବଲ୍‌ରୁ ୨୯, ସମ୍ପଦ ପଟ୍ଟନାୟକ ୨୫ ଓ ଅସିତ୍‌ କାନୁନ୍‌ଗୋ ୨୦ ରନ୍‌ କରିଥିଲା ବେଳେ ଜୁଭେନାଇଲ୍‌ ପକ୍ଷରୁ ସଞ୍ଜୟ ଖୁଣ୍ଟିଆ ୩, ପ୍ରସନ୍ନଜିତ୍‌ ସେଠୀ ଓ ଏମ୍‌ଡି ବରହୁଦିନ୍‌ ୨ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ସଞ୍ଜୟ ଖୁଣ୍ଟିଆଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଅଶୋକ କୁମାର ପାତ୍ର ଓ ଅଭିଷେକ ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ସଞ୍ଜୟଙ୍କୁ ପୁରସ୍କୃତ କରିଥିଲେ। ପବିତ୍ର ପ୍ରଧାନ ଓ ଭବତୋଷ ପରମାଣିକ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର