ଜାତୀୟ ଟ୍ରଫି ବଜାୟ ରଖିଲେ ସାଇନା; ସମୀରଙ୍କ ହ୍ୟାଟ୍ରିକ୍‌

ଗୌହାଟୀ: ପିଭି ସିନ୍ଧୁଙ୍କୁ ପରାସ୍ତ କରି ସାଇନା ନେହ୍ବାଲ ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ମହିଳା ଏକକ ଟ୍ରଫି ବଜାୟ ରଖିଲେ। ଶନିବାର ଫାଇନାଲ୍‌ରେ ସାଇନା ସିଧାସଳଖ ଗେମ୍‌ ୨୧-୧୮ ଓ ୨୧-୧୫ରେ ସିନ୍ଧୁଙ୍କୁ ମାତ୍‌ ଦେଇ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ବିଜୟିନୀ ହେଲେ। ଏହା ଥିଲା ସାଇନାଙ୍କ ପାଇଁ ଚତୁର୍ଥ ଜାତୀୟ ଟ୍ରଫି। ଏହା ପୂର୍ବରୁ ସାଇନା ୨୦୦୬ ଓ ୨୦୦୭ରେ ଲାଗ ଲାଗ ଟ୍ରଫି ଜିତିଥିଲା ବେଳେ ୨୦୧୮ ପରେ ପୁଣି ୨୦୧୯ରେ ମଧ୍ୟ ବିଜୟିନୀ ହୋଇଛନ୍ତି। ଅନ୍ୟପକ୍ଷରେ ଦୁଇ ଥର (୨୦୧୧ ଓ ୨୦୧୩) ଟ୍ରଫି ହାତେଇଥିବା ସିନ୍ଧୁ ଏଥର ମାତ୍ର ଅଧଘଣ୍ଟା ମଧ୍ୟରେ ସାଇନାଙ୍କ ନିକଟରୁ ହାରିଗଲେ। ଏହା ପୂର୍ବରୁ ୨୦୧୭ ନାଗପୁର ଜାତୀୟ ଓ ଅଷ୍ଟ୍ରେଲିଆର ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫାଇନାଲ୍‌ରେ ମଧ୍ୟ ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ଯୁବ ତାରକା ଲକ୍ଷ୍ୟ ସେନ୍‌ଙ୍କୁ ପରାସ୍ତ କରି ସମୀର ବର୍ମା ପୁରୁଷ ଏକକ ଟ୍ରଫି କରାୟତ କରିଛନ୍ତି। ଶନିବାର ଫାଇନାଲ୍‌ରେ ସମୀର ୨୧-୧୮, ୨୧-୧୩ରେ ୧୭ ବର୍ଷ ବୟସ୍କ ଏସୀୟ କନିଷ୍ଠ ବିଜେତା ଲକ୍ଷ୍ୟଙ୍କୁ ପରାସ୍ତ କରି ଟ୍ରଫି ଜିତିବାରେ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ଏହା ପୂର୍ବରୁ ସମୀର ୨୦୧୧ ଓ ୨୦୧୭ରେ ଟ୍ରଫି ଜିତିଥିଲେ। ଦ୍ବତୀୟ ମାନ୍ୟତା ପ୍ରଣବ ଜେରି ଚୋପ୍ରା ଓ ଚିରାଗ ସେଟ୍ଟୀ ଯୋଡ଼ି ପୁରୁଷ ଯୁଗଳ ଟ୍ରଫି କରାୟତ କରିଛନ୍ତି। ଏହି ଯୋଡ଼ି ଫାଇନାଲ୍‌ରେ ଶୀର୍ଷ ମାନ୍ୟତା ଯୋଡ଼ି ଅର୍ଜୁନ ଏମ୍‌ଆର୍‌ ଓ ଶ୍ଲୋକ ରାମଚନ୍ଦ୍ରନ୍‌ଙ୍କୁ ୨୧-୧୩ ଓ ୨୨-୨୦ରେ ପରାସ୍ତ କରିଦେଇଥିଲେ।

ସମ୍ବନ୍ଧିତ ଖବର