ଚେସ୍ ପ୍ରତିଭା ସାଇନାଙ୍କୁ ଦ୍ବିତୀୟ ଡବ୍‌ଲ୍ୟୁଆଇଏମ୍ ନର୍ମ

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ଉଦୀୟମାନ ଚେସ୍ ପ୍ରତିଭା ତଥା ପୂର୍ବତନ ବିଶ୍ବ ବୟସବର୍ଗ ବିଜୟିନୀ ଡବଲ୍ୟୁଏଫଏମ୍‌ ସାଇନା ସଲୋନିକା ନିଜ ଖେଳ ଜୀବନରେ ଆଉ ପାଦେ ଆଗକୁ ବଢ଼ିଛନ୍ତି। ସର୍ବିୟାର ପାରାସିନ୍‌ରେ‌ ସୋମବାର ଶେଷ‌ ହୋଇଥିବା ଅର୍ବିସ୍‌-୩ ପ୍ରତିଯୋଗିତାରେ ନିଜ ଦ୍ବିତୀୟ ଡବ୍‌ଲ୍ୟୁଆଇଏମ୍‌ ନର୍ମ ହାସଲ କରି‌‌‌ ନେଇଛନ୍ତି। ଅଷ୍ଟମ ରାଉଣ୍ଡରେ କୋରିଆ ଖେଳାଳି କିମ୍‌ ଜିନସୁଙ୍କୁ ସହ ଗେମ୍‌ ଅମୀମାଂସିତ ରଖିଥିବା ସାଇନା ଆବଶ୍ୟକ ୪.୫ ପଏଣ୍ଟ୍‌କୁ ପୂର୍ଣ୍ଣ କରିଥିବାରୁ ନର୍ମ ଅର୍ଜନ କରି ନେଇଥିଲେ। ୯ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାରୁ ସେ କିନ୍ତୁ ୫ ପଏଣ୍ଟ୍ ଅର୍ଜନ କରିଥିଲେ। ୩ ବିଜୟ, ୪ ଅମୀମାଂସିତ ପାଇଥିଲେ। ହାରାହାରି ୨୨୫୬ ରେଟିଂପ୍ରାପ୍ତ ଖେଳାଳି ଏଥିରେ ଭାଗ ନେଇଥିଲେ। ଏହି ଅବସରରେ ସାଇନା ମଧ୍ୟ ନିଜ ଏଲୋ ରେଟିଂରେ ୧୦୨ ଫାଇଦା ଆଣିଛନ୍ତି। ଏହା ପୂର୍ବରୁ ସର୍ବିୟାରେ ଅନୁଷ୍ଠିତ ଅନ୍ୟ ଏକ ପ୍ରତିଯୋଗିତାରେ ମଧ୍ୟ ୭୬ ପଏଣ୍ଟ୍‌ ବଢ଼ାଇଥିଲେ।

ପୂର୍ବରୁ ଜୁନ୍ ମାସରେ ସାଇନା ଗୋଆ ଅନ୍ତର୍ଜାତୀୟ ଚେସ୍‌ ପ୍ରତିଯୋଗିତାରେ ପ୍ରଥମ ଡବ୍‌ଲ୍ୟୁଆଇଏମ୍‌ ନର୍ମ ଅର୍ଜନ କରିଥିଲେ। ଡବ୍‌ଲ୍ୟୁଆଇଏମ୍‌ ମୁକୁଟ ହାସଲ ପାଇଁ ଆଉ ଗୋଟିଏ ନର୍ମର ଆବଶ୍ୟକତା ରହିଛି। କିଟ୍‌ ଅନ୍ତର୍ଜାତୀୟ ସ୍କୁଲ୍‌ର ଏକାଦଶ ଷ୍ଟାଣ୍ଡାର୍ଡ ଛାତ୍ରୀ ସାଇନା ଗତ ସିବିଏସଇ ପରୀକ୍ଷାରେ ମଧ୍ୟ ୯୭.୪ ପ୍ରତିଶତ ସହ ଉତ୍ତୀର୍ଣ୍ଣ ହୋଇ ସମସ୍ତଙ୍କୁ ଚମତ୍କୃତ କରି‌ ଦେଇଥିଲେ। କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍‌ ସୁଲଣ ଗ୍ରାମର ମୂଳ ଅଧିବାସୀ ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଣେଶ୍ବର ଜେନା ଏବଂ ବବିତା‌ ଜେନାଙ୍କ ସାନ ଝିଅ ସାଇନା ଅଦ୍ୟାବଧି ୧୭ଟି ଅନ୍ତର୍ଜାତୀୟ ପଦକ ଜିତି ଉତ୍‌ଥାନ ପଥରେ ରହିଛନ୍ତି।

ସମ୍ବନ୍ଧିତ ଖବର