ଇତିହାସ ରଚିଲେ ସାଜନ, କନିଷ୍ଠ ବିଶ୍ୱ କୁସ୍ତିରେ ଲଗାତାର ପଦକ ଜିତିବାରେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ ମଲ୍ଲ ଯୋଦ୍ଧା ସାଜନ ଭାଓଁଲ୍‌ ବୁଧବାର ନୂଆ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଭାବେ ଲଗାତାର ଭାବେ ସେ କନିଷ୍ଠ ବିଶ୍ୱ ପ୍ରତିଯୋଗିତାରେ ପଦକ ଜିତିବାର କୀର୍ତିମାନ କରିଛନ୍ତି। ଗତବର୍ଷ ଫିନ୍‌ଲାଣ୍ଡ୍‌ରେ ଆୟୋଜିତ ବିଶ୍ୱ ପ୍ରତିଯୋଗିତାରେ ସେ କାଂସ୍ୟ ପଦକ ଜିତିଥିଲା ବେଳେ ଚଳିତ ବର୍ଷ ରୌପ୍ୟ ଜିତି ଇତିହାସ ପୃଷ୍ଠାରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି। ସ୍ଲୋଭାକିଆର ତ୍ରନାଭାରେ ଚାଲିଥିବା ଚଳିତ ବିଶ୍ୱ ପ୍ରତିଯୋଗିତାରେ ବୁଧବାର ୭୭ କିଲୋଗ୍ରାମ୍‌ ଗ୍ରିକ୍‌ ରୋମାନ୍‌ ବର୍ଗ ସ୍ୱର୍ଣ୍ଣ ଲଢ଼େଇରେ ସାଜନ ୦-୮ରେ ରୁଷିଆର ଇସ୍‌ଲାମ ଓପିଏଭ୍‌ଙ୍କଠୁ ହାରିଯାଇଥିଲେ। ଏହି ହରିଆନା ମଲ୍ଲ ଯୋଦ୍ଧା ଜୁଲାଇ ମାସରେ ଫିନ୍‌ଲାଣ୍ଡ୍‌ର ଟାମ୍ପେରେ ଆୟୋଜିତ କନିଷ୍ଠ ଏସିଆ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସ୍ଲୋଭାକିଆରେ ସାଜନ ରୌପ୍ୟ କରାୟତ କରିଥିଲା ବେଳେ ଅନ୍ୟ ଜଣେ ଭାରତୀୟ କୁସ୍ତି ତାରକା ବିଜୟ ୫୫ କିଲୋଗ୍ରାମ୍‌ ବର୍ଗରେ କାଂସ୍ୟ ଜିତିଛନ୍ତି। ସେ ସେମିଫାଇନାଲ୍‌ରେ ୮-୧୬ରେ ତୁର୍କିର ଚିହାତ ଅହମତେ ଲିମାନଙ୍କଠୁ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର