ଯୁବିଙ୍କ ସମକକ୍ଷ ହେଲେ ସକିବ୍‌

ସାଉଥମ୍ପଟନ୍‌: ବାଂଲାଦେଶ ଅଲ୍‌ରାଉଣ୍ଡର ସକିବ୍‌ ଅଲ୍‌ ହାସନ୍‌ ଯୁବରାଜ ସିଂହ ଏବଂ କିମ୍ବଦନ୍ତୀ କପିଳ ଦେବଙ୍କ କୀର୍ତିମାନର ସମକକ୍ଷ ହୋଇଛନ୍ତି। ସକିବ୍‌ ସୋମବାର ଆଫ୍‌ଗାନିସ୍ତାନ ବିପକ୍ଷରେ ଅର୍ଧଶତକ ହାସଲ କରିବା ପରେ ୫ ୱିକେଟ୍‌ ସଫଳତା ହାତେଇଥିଲେ। ଫଳରେ ଗୋଟିଏ ବିଶ୍ବକପ୍‌ ସଂସ୍କରଣର ଏକ ନିର୍ଦିଷ୍ଟ ମ୍ୟାଚ୍‌ରେ ଏଭଳି ଯୁଗଳ ସଫଳତା ହାସଲ କରିବାରେ ଯୁବରାଜଙ୍କ ପରେ ଦ୍ବିତୀୟ ଖେଳାଳି ହୋଇଥିଲେ। ଯୁବରାଜ ୨୦୧୧ ବିଶ୍ବକପ୍‌ରେ ଏଭଳି ସଫଳତା ହାତେଇବାରେ ପ୍ରଥମ ଖେଳାଳି ହୋଇଥିଲେ। ସେହି ବିଶ୍ବକପ୍‌ରେ ଆୟର୍ଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ରେ ଯୁବି ୧୦-୦-୩୧-୫ର ବୋଲିଂ ଚିତ୍ର ପାଇବା ପରେ ୭୫ ବଲ୍‌ରୁ ଅପରାଜିତ ୫୦ ରନ୍‌ କରିଥିଲେ।
ଗୋଟିଏ ବିଶ୍ବକପ୍‌ ସଂସ୍କରଣରେ ଶତକ ହାସଲ କରିବା ବ୍ୟତୀତ ଗୋଟିଏ ପାଳିରେ ୫ ୱିକେଟ୍‌ ଦଖଲ କରିବାରେ ସକିବ୍‌ ତୃତୀୟ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଏଭଳି ସଫଳତା କେବଳ ଦୁଇ ଭାରତୀୟ କପିଳ ଓ ଯୁବିଙ୍କ ନାମରେ ରହିଥିଲା। କପିଳ ୧୯୮୩ ଏବଂ ଯୁବି ୨୦୧୧ରେ ଏହି କୀର୍ତିମାନ ପାଇଥିଲେ।

ସମ୍ବନ୍ଧିତ ଖବର