ସମ୍ବଲପୁର, ଚତୁର୍ଥ ଆଇଆର୍‌ବି ବିଜେତା

ରାଜ୍ୟ ପୁଲିସ୍‌ ସନ୍ତରଣ ଓ କ୍ରସ୍‌ କଣ୍ଟ୍ରି ଉଦ୍‌ଯାପିତ

କଟକ: ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ୍‌ ପଡ଼ିଆରେ ରାଜ୍ୟ ପୁଲିସ୍‌ ସନ୍ତରଣ ଓ କ୍ରସ୍‌ କଣ୍ଟ୍ରି ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଛି। ସନ୍ତରଣରେ ସମ୍ବଲପୁର ଜିଲ୍ଲା ବିଜେତା ହୋଇଥିଲା ବେଳେ କମିସନରେଟ୍‌ ପୁଲିସ୍‌-ବି’ ଉପ ବିଜେତା ହୋଇଛି। ସେହିପରି ସମ୍ବଲପୁରର କିଶୋର ଲୁହା ଓ ରୁଷଭା ସୁନା ଯୁଗ୍ମ ଶ୍ରେଷ୍ଠ ସନ୍ତରଣକାରୀ ଭାବେ ପୁରସ୍କୃତ ହୋଇଛନ୍ତି। କ୍ରସ୍‌କଣ୍ଟ୍ରିରେ ଦେଓଗଡ଼ର ଚତୁର୍ଥ ଆଇଆର୍‌ବି ବିଜେତା, ରାଉରକେଲାର ଓଏସ୍‌ଏପି ଚତୁର୍ଥ ବାଟାଲିଅନ୍‌ ଉପ ବିଜେତା ଓ ଖୋର୍ଧାର ଷଷ୍ଠ ଆଇଆର୍‌ବି ତୃତୀୟ ସ୍ଥାନରେ ରହିଥିଲା। ଅନ୍ତିମ ଦିନ କ୍ରସ୍‌ କଣ୍ଟ୍ରି (୧୦ କିମି) ବ୍ୟକ୍ତିଗତ ବିଭାଗରେ ଭଞ୍ଜନଗରର ଅଷ୍ଟମ ଆଇଆର୍‌ବି ପ୍ରଥମ, ପ୍ରଥମ ଆଇଆର୍‌ବିର ରୋହିତ କାରା ଓ ମାଲକାନଗିରିର ବୁଦ୍ରା ବିଶିନାୟକ ତୃତୀୟ ହୋଇଥିଲେ।

ଉଦ୍‌ଯାପନୀ ଉତ୍ସବରେ କ୍ରାଇମ୍‌ବ୍ରାଞ୍ଚ ଅତିରିକ୍ତ ଡିଜି ସନ୍ତୋଷ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଜି ଅମିତାଭ ଠାକୁର, ଆୟୋଜନ ସମିତି ସମ୍ପାଦକ ବିଜୟ ପ୍ରକାଶ ବାବୁ, ଓଏସ୍‌ଏପି ଷଷ୍ଠ ବାଟାଲିଅନ୍‌ର ଦୁର୍ଗପତି ଲିଙ୍ଗରାଜ ପରିଡ଼ା, ପୁଲିସ୍‌ କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ପୁଲିସ୍‌ରେ ପ୍ରଥମ ଥର ପାଇଁ ସନ୍ତରଣ ପ୍ରତିଯୋଗିତା ଆୟୋଜନ ହୋଇଥିଲା ବେଳେ ଜାତୀୟ ପ୍ରତିଯୋଗିତା ଭଳି କ୍ରସ୍‌ କଣ୍ଟି୍ରକୁ ରାଜ୍ୟ ଦୌଡ଼କୁଦରୁ ଅଲଗା କରାଯାଇଥିଲା। ପୁଲିସ୍‌ ବିଭାଗରେ ଅଭ୍ୟାସ ପାଇଁ ସୁଇମିଂ ପୁଲ୍‌ର ଆବଶ୍ୟକତା ଥିବାରୁ ନିକଟ ଭବିଷ୍ୟତରେ ଏହାର ଅଭାବ ପୁରଣ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଡିଜି ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତାରେ ୨୬ଟି ଦଳରେ ୨୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଓସିଏ କ୍ଲବ୍‌ ସୁଇମିଂ ପୁଲ୍‌ରେ ସନ୍ତରଣ ଓ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ନିକଟରେ କ୍ରସ୍‌କଣ୍ଟ୍ରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର