ସାମି ମ୍ୟାଚ୍‌ ଫିକ୍ସିଂରୁ ମୁକ୍ତ

ବିସିସିଆଇ ବାର୍ଷିକ ଚୁକ୍ତିରେ ସାମିଲ

ମୁମ୍ବାଇ: ପତ୍ନୀ ହସିନ ଜାହାଁ ଘରୋଇ ହିଂସା ଏବଂ ବହୁ ନାରୀଙ୍କ ସହ ଅନୈତିକ ସଂପର୍କ ରଖିଥିବା ଅଭିଯୋଗ ଆଣିିବା ପରେ ଘୋର ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିବା ଭାରତୀୟ କ୍ରିକେଟ୍‌ ଦଳର ଦକ୍ଷ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଗୁରୁବାର ବଡ଼ ଆଶ୍ୱସ୍ତି ମିଳିଛି। ହସିନ ଆଣିଥିବା ମ୍ୟାଚ୍‌ ଫିକ୍ସିଂ ଭଳି ସଙ୍ଗୀନ ଅଭିଯୋଗରୁ ବିସିସିଆଇ ତାଙ୍କୁ ମୁକ୍ତ କରିଛି। ସେହିଭଳି ବିସିସିଆଇ ତା’ ବାର୍ଷିକ ଚୁକ୍ତିରେ ମଧ୍ୟ ସାମିଙ୍କୁ ସାମିଲ କରିଛି। ତାଙ୍କୁ ଭାରତୀୟ କ୍ରିକେଟ୍‌ ବୋର୍ଡ ଗ୍ରେଡ୍‌-ବି ଚୁକ୍ତି ପ୍ରଦାନ କରିଛି। ଏହି ବର୍ଗରେ ସାମି ବାର୍ଷିକ ୩ କୋଟି ଟଙ୍କା ରୋଜଗାର କରିବେ। ହସିନଙ୍କ ଅଭିଯୋଗ ଆସିବା ପରେ ବିସିସିଆଇ ପରିଚାଳନାରେ ଥିବା ପ୍ରଶାସନିକ ସମିତି ବା ସିଓଏ ଅନ୍ୟ ସମସ୍ତ ଖେଳାଳିଙ୍କୁ ବାର୍ଷିକ ଚୁକ୍ତିିରେ ସାମିଲ କରିଥିଲେ ମଧ୍ୟ ସାମିଙ୍କ ଚୁକ୍ତିକୁ ଅଟକାଇ ଦେଇଥିଲା। ପରେ ବିସିସିଆଇ ଦୁର୍ନୀତି ନିବାରଣ ସଂସ୍ଥା ମାଧ୍ୟମରେ ଫିକ୍ସିଂ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲା। ଦୁର୍ନୀତି ନିବାରଣ ବିଭାଗର ମୁଖ୍ୟ ନୀରଜ କୁମାର ତାଙ୍କ ତଦନ୍ତ ରିପୋର୍ଟ ଦେବା ପରେ ସିଓଏ ଗୁରୁବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସାମିଙ୍କୁ ଫିକ୍ସିଂ ଅଭିଯୋଗରୁ ମୁକ୍ତ କରାଗଲା ବୋଲି କହିଥିଲା। ଏଥିରେ ସାମିଙ୍କୁ ଗ୍ରେଡ୍‌-ବିର ବାର୍ଷିକ ଚୁକ୍ତିି ଦିଆଯିବା ସହ ସେ ଦିଲ୍ଲୀ ଡେୟାର ଡେଭିଲ୍ସ ତରଫରୁ ଆଇପିଏଲ୍‌ ଖେଳି ପାରିବେ ବୋଲି ସିଓଏ ସ୍ପଷ୍ଟ କରି ଦେଇଥିଲା। ସେପଟେ ହସିନ ଗୁରୁବାର ସାମିଙ୍କ ବିରୋଧରେ ଆଉ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଲଣ୍ଡନରେ ରହୁଥିବା ମହମ୍ମଦ ଭାଇ ନାମକ ଜଣେ ବ୍ୟକ୍ତି ସାମିଙ୍କୁ ନୂଆ ନୂଆ ଝିଅଙ୍କ ସହ ସାକ୍ଷାତ କରାଉଥିଲା ବୋଲି ସେ କହିଛନ୍ତି। ଶୁକ୍ରବାର ସେ ମଧ୍ୟ ଏଥିନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ ସାମି ଭାରତ ପକ୍ଷରୁ ୩୦ ଟେଷ୍ଟ ଖେଳି ୧୧୦ ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି। ସେହିଭଳି ୫୦ ଦିନିକିଆ ଖେଳି ୯୧ ଏବଂ ୭ ଟେ୍ଵଣ୍ଟି-୨୦ରୁ ୮ ଓ୍ଵିକେଟ୍‌ ନେଇଛନ୍ତି। ତେବେ ପତ୍ନୀଙ୍କ ଅଭିଯୋଗ ପରେ ତାଙ୍କ ଜାଜ୍ଜୁଲ୍ୟମାନ ଖେଳ ଜୀବନ ଅକାଳରେ ଶେଷ ହୋଇ ଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ବିସିସିଆଇ ନିଷ୍ପତ୍ତି ପରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି।

ସମ୍ବନ୍ଧିତ ଖବର