କମୁନି ସାମିଙ୍କ ଅଡ଼ୁଆ, କୋଲ୍‌କାତାରେ ଅଟକିଲେ

କୋଲକାତା: ବେଙ୍ଗଲ ଦ୍ରୁତ ବୋଲର ମହମ୍ମଦ ସାମି ପୁଣି ଥରେ ଅଡ଼ୁଆରେ ପଡ଼ିଛନ୍ତି। ପତ୍ନୀ ହସିନ ଜାହାଁ ଦାୟର କରିଥିବା ଘରୋଇ ହିଂସା ଏବଂ ଅନୈତିକ ସଂପର୍କ ମାମଲାରେ ସ୍ଥାନୀୟ ପୁଲିସ୍‌ ସମନ ଜାରି କରିବା ପରେ କୋଲକାତାରେ ଅଟକି ରହିବାକୁ ସେ ବାଧ୍ୟ ହୋଇଛନ୍ତି। ଚଳିତ ଆଇପିଏଲ୍‌ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଦଳର ପ୍ରତିନିଧିତ୍ୱ କରୁଥିବା ସାମି କେକେଆର (କୋଲକାତା ନାଇଟ୍‌ ରାଇଡର୍ସ) ବିପକ୍ଷରେ ମ୍ୟାଚ୍‌ ଖେଳିବା ଲାଗି କୋଲକାତା ଆସିଥିଲେ। ହେଲେ ପୁଲିସ ସମନ ପାଇବା ପରେ ଡେୟାର ଡେଭିଲ୍ସ ଖେଳାଳିଙ୍କ ସହ ଦିଲ୍ଲୀ ଫେରି ପାରି ନାହାନ୍ତି। ଦିଲ୍ଲୀ ଦଳର ସମସ୍ତ ଖେଳାଳି ମଙ୍ଗଳବାର ଅପରାହ୍ନ ୩ଟାରେ ବିମାନ ଧରିଥିଲେ। ହେଲେ ସାମି ସେମାନଙ୍କ ସହ ଯାଇ ପାରି ନଥିଲେ ବୋଲି ବେଙ୍ଗଲ କ୍ରିକେଟ୍‌ ସଂଘର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୋମବାର ରାତିରେ ସାମିଙ୍କୁ କୋଲକାତା ଅଲରାଉଣ୍ଡର ଆନ୍ଦ୍ରେ ରସେଲ ନିର୍ଧୁମ ଧୁଲାଇ କରି ତାଙ୍କୁ ୬ଟି ଛକା ମାରିଥିଲା ବେଳେ ପୁଲିସ ସମନ ସାମିଙ୍କ ପାଇଁ ସାନି ଝଟ୍‌କା ହୋଇଛି। ସୂଚନାଯୋଗ୍ୟ ଯେ ହସିନ କୋଲକାତା ପୁଲିସର ଦ୍ୱାରସ୍ଥ ହେବା ପରେ ସାମି ପ୍ରଥମ ଥର ପାଇଁ କୋଲକାତା ଆସିଥିଲେ।

ସମ୍ବନ୍ଧିତ ଖବର