ସାମି-କୁଲ୍‌ଦୀପ-ଧାୱନ କମାଲ: ନାପିଏରରେ ଧୂଳି ଚାଟିଲା ନ୍ୟୁଜିଲାଣ୍ଡ, ଭାରତ ୮ ୱିକେଟ୍‌ରେ ବିଜୟୀ

ନାପିଏର: ବିଦେଶ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳର ବିଜୟ ଧାରା ଜାରି ରହିଛି। ଅଭେଦ୍ୟ ଦୁର୍ଗ ଅଷ୍ଟ୍ରେଲିଆକୁ ଦଖଲ କରିବା ପରେ ନ୍ୟୁଜିଲାଣ୍ଡରେ ନୂଆ ଇତିହାସ ଲେଖିବାର ମୂଳଦୁଆ ବୁଧବାର କୋହଲି ବିହିନୀ ପକାଇଛି। କଙ୍ଗାରୁଙ୍କୁ କବ୍‌ଜା କରିବା ପରେ ପ୍ରଥମ ଲଢ଼େଇରେ ହିଁ କିୱି ଶିକାର କରି ନେଇଛି ଭାରତୀୟ କ୍ରିକେଟ୍ ଦଳ। ଆଜି ନ୍ୟୁଜିଲାଣ୍ଡ ଅଭିଯାନର ଆଦ୍ୟ ମୁକାବିଲାକୁ ଅତି ସହଜରେ ଏବଂ ୮ ୱିକେଟ୍‌ରେ ଜିତି ନେଇ ପାଞ୍ଚ ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ଅଷ୍ଟ୍ରେଲିଆ ଭଳି ନ୍ୟୁଜିଲାଣ୍ଡରେ ମଧ୍ୟ ଭାରତୀୟ ବୋଲର ନିଜ ଯାଦୁ ଦେଖାଇଛନ୍ତି। ବିଶେଷ କରି ଚାଇନାମ୍ୟାନ୍ ସ୍ପିନର କୁଲ୍‌ଦୀପ ଯାଦବ (୧୦-୧-୩୯-୪) ଓ ଦ୍ରୁତ ବୋଲର ମହମ୍ମଦ ସାମି (୬-୨-୧୯-୩) ଭାରତର ଏହି ଏକତରଫା ବିଜୟରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ସାମି ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗପ୍ଟିଲ (୮) ଓ କଲିନ ମୁନ୍‌ରୋ (୮)ଙ୍କୁ ମାତ୍ର ୧୮ ରନ୍ ଭିତରେ ପ୍ୟାଭିଲିୟନ ଫେରାଇବା ପରେ କୁଲ୍‌ଦୀପ ନିମ୍ନକ୍ରମକୁ ପୋଛି ନେଇ ନ୍ୟୁଜିଲାଣ୍ଡକୁ ମାତ୍ର ୧୫୭ ରନ୍‌ରେ ଅଲଆଉଟ୍ କରି ଦେଇଥିଲେ। ଶୃଙ୍ଖଳା ପୂର୍ବରୁ ଭାରତ ଉପରେ ପୂରା ଭାରି ପଡ଼ିବାର ଦମ୍ଭ ଦେଖାଉଥିବା ଘରୋଇ ନ୍ୟୁଜିଲାଣ୍ଡ ୧୨ ଓଭର ପୂର୍ବରୁ ସମସ୍ତ ୱିକେଟ୍ ହରାଇ ସାରିଥିଲା। ଆରମ୍ଭରୁ ସାମି, ମଝିରେ ୟୁଜ୍‌ବେନ୍ଦ୍ର ଚହଲ (୧୦-୦-୪୩-୨) ଏବଂ ଶେଷରେ କୁଲଦୀପଙ୍କ ବୋଲିଂ ଆଗରେ କିୱି ବ୍ୟାଟ୍ସମ୍ୟାନ୍‌ମାନେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲେ। ମଧ୍ୟାନ୍ତରରେ କିନ୍ତୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ଅସ୍ତମିତ ସୂର୍ଯ୍ୟଙ୍କ ତୀକ୍ଷ୍ଣ କିରଣ ସିଧା ଖେଳାଳିଙ୍କ ଆଖିରେ ପଡ଼ୁଥିବାରୁ ଅମ୍ପାୟାର ପ୍ରାୟ ଅଧଘଣ୍ଟା ପାଇଁ ଖେଳ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ପରେ ଡକୱର୍ଥ/ଲୁଇସ୍ ନିୟମ ଲାଗୁ କରି ଭାରତୀୟ ପାଳିର ଗୋଟିଏ ଓଭର କମାଇ ଦେବା ସହ ନ୍ୟୁଜିଲାଣ୍ଡ ସ୍କୋରରୁ ୨ ରନ୍ କାଟି ଦେଇଥିଲେ। ଫଳରେ ଭାରତକୁ ୪୯ ଓଭରରୁ ୧୫୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଏହା ପରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (୭୫* ରନ୍, ୧୦୩ ବଲ୍, ୬ ଚୌକା) ଓ ଅଧିନାୟକ ବିରାଟ କୋହଲି ଦ୍ବିତୀୟ ୱିକେଟ୍‌ରେ ୯୧ ରନ୍ ଯୋଡ଼ି ଭାରତକୁ ଆତ୍ମବିଶ୍ବାସ ଭରା ବିଜୟ ଉପହାର ଦେଇଥିଲେ। କୋହଲି ମାତ୍ର ୫ ରନ୍ ପାଇଁ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ହେଲେ ଧାୱନ ୨୬ତମ ଥର ପାଇଁ ୫୦ ରନ୍ ଆଗକୁ ବଢ଼ି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ରୋହିତ ଶର୍ମା ଅବଶ୍ୟ ୧୧ ରନ୍ ଆଗକୁ ବଢ଼ି ପାରି ନଥିଲେ। ଚତୁର୍ଥ ସ୍ଥାନରେ ଖେଳିଥିବା ଅମ୍ବାତି ରାୟୁଡୁ ମଧ୍ୟ ୧୩ ରନ୍ କରି ଅପରାଜିତ ରହିଥିଲେ। ସିଙ୍ଗଲ ରନ୍ ସହ ସେ ହିଁ ୩୫ତମ ଓଭରର ପଞ୍ଚମ ବଲ୍‌ରେ ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଭାରତ ୩୪.୫ ଓଭରରେ ୨ ୱିକେଟ୍ ବିନିମୟରେ ୧୫୬ ରନ୍ କରି ଏକତରଫା ବିଜୟ ହାସଲ କରିଥିଲା। ସାମି ତାଙ୍କ ଶାଣିତ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ନବୀକରଣ ପରେ ନୂଆବୋହୁ ଭଳି ଝଲସୁଥିବା ମ୍ୟାକଲିନ୍ ପାର୍କରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ (୬୪ ରନ୍, ୮୧ ବଲ୍, ୭ ଚୌକା) ଟସ୍ ଜିତି ବ୍ୟାଟିଂ କରିଥିଲେ। ହେଲେ ତାଙ୍କ ଛଡ଼ା ଅନ୍ୟ କୌଣସି ସ୍ଥାନୀୟ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲିଂର ମୁକାବିଲା କରି ପାରି ନଥିଲେ। ଅଧିକାଂଶ କୁଲଦୀପ ଓ ଚହଲଙ୍କ ସ୍ପିନ୍‌କୁ ବୁଝି ନପାରି ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଅଭିଜ୍ଞ ରସ୍ ଟେଲର (୨୪), ୱିକେଟ୍ ରକ୍ଷକ ଟମ୍ ଲାଥାମ (୧୧), ହେନରି ନିକୋଲାସ (୧୨) ଓ ମିଚେଲ ସାଣ୍ଟନର (୧୪) ଭଲ ଆରମ୍ଭ କରିଥିଲେ। ଏହାକୁ କିନ୍ତୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ଶେଷରେ ୧୫୬ ରନ୍‌ର ବିଜୟ ଲକ୍ଷ୍ୟ ଶକ୍ତିଶାଳୀ ବ୍ୟାଟିଂକ୍ରମ ଥିବା ଭାରତ ପାଇଁ ଆଦୌ ପର୍ଯ୍ୟାପ୍ତ ହୋଇ ନଥିଲା। ଶୃଙ୍ଖଳାର ଦ୍ବିତୀୟ ଦିନିକିଆ ଶନିବାର ତୌରଙ୍ଗାର ବେ’ ଓଭାଲଠାରେ ଖେଳାଯିବ। ଏହି ମ୍ୟାଚ୍ ମଧ୍ୟ ଭାରତୀୟ ସମୟ ସକାଳ ୭ଟା ୩୦ରୁ ଆରମ୍ଭ ହେବ।

୧୦୦ ୱିକେଟ୍‌ରେ ସାମି ଦ୍ରୁତତମ ଭାରତୀୟ
ନାପିଏର, ୨୩|୧: ଏଠାରେ ବୁଧବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ ଅବସରରେ ୨୮ ବର୍ଷ ବୟସ୍କ ଦ୍ରୁତ ବୋଲର ମହମ୍ମଦ ସାମି ଏକ ଭାରତୀୟ କୀର୍ତିମାନ କରିଛନ୍ତି। ଆନ୍ତର୍ଜାତିକ ଦିନିକିଆରେ ୧୦୦ ୱିକେଟ୍‌ ଦଖଲ କରିବାରେ ଦ୍ରୁତତମ ଭାରତୀୟ ଭାବେ ସେ ଇତିହାସ ରଚିଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ ୫୫ ଦିନିକିଆ ଖେଳି ୯୯ ୱିକେଟ୍‌ ଅକ୍ତିଆର କରିଥିଲେ ସାମି। ଫଳରେ ତାଙ୍କୁ ୧୦୦ ୱିକେଟ୍‌ରେ ପହଞ୍ଚିବା ପାଇଁ ଆଉ ମାତ୍ର ଗୋଟିଏ ୱିକେଟ୍‌ର ଆବଶ୍ୟକ ରହିଥିଲା। ତେବେ ସାମି ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଦିନିକିଆରେ ଘାତକ ବୋଲିଂ କରି ୩ ୱିକେଟ୍‌ ଅକ୍ତିଆର କରିଥିଲେ। ଏହା ମଧ୍ୟରେ ସାମିଙ୍କ ଶତକୀୟ ୱିକେଟ୍‌ର ଶିକାର ହୋଇଥିଲେ ମାର୍ଟିନ୍‌ ଗପ୍ଟିଲ। ଗପ୍ଟିଲଙ୍କୁ ବୋଲ୍‌ଡ କରି ସାମି ନିଜର ୫୬ତମ ଦିନିକିଆରେ ହିଁ ୧୦୦ ୱିକେଟ୍‌ ପୂରଣ କରିଥିଲେ। ପରେ ପରେ କଲିନ୍‌ ମୁନ୍‌ରୋ ଓ ମିଚେଲ ସାଣ୍ଟ୍‌ନର୍‌ଙ୍କୁ ଶିକାର କରି ତାଙ୍କ ମୋଟ ୱି‌କେଟ୍‌ ସଂଖ୍ୟା ୧୦୨ରେ ପହଞ୍ଚାଇଥିଲେ। ଏଥି ସହିତ ସାମି ତାଙ୍କ ପୂର୍ବରୁ ଦ୍ରୁତତମ ଭାରତୀୟ ବୋଲର ଭାବେ ୧୦୦ ୱିକେଟ୍‌ ଦଖଲ କରିଥିବା ଇର୍ଫାନ୍‌ ପଠାନ୍‌ଙ୍କୁ ଟପି ଯାଇଥିଲେ। ଇର୍ଫାନ୍‌ ୫୯ ମ୍ୟାଚ୍‌ରୁ ୧୦୦ ଦିନିକିଆ ଆନ୍ତର୍ଜାତିକ ୱିକେଟ୍‌ ନେଇ ଦ୍ରୁତତମ ଭାରତୀୟ କୀର୍ତିମାନ ଏପର୍ଯ୍ୟନ୍ତ ଅତୁଟ ରଖିଥିଲେ। ସାମି ଏହି କୀର୍ତିମାନ ନିଜ ନାମରେ କରି ନେଇଥିଲା ବେଳେ ଇର୍ଫାନ୍‌ ଦ୍ବିତୀୟ ସ୍ଥାନକୁ ଖସିଯାଇଛନ୍ତି। ତାଙ୍କ ପଛକୁ ପଛ ଜାହିର ଖାନ୍‌ (୬୫ ମ୍ୟାଚ୍‌), ଅଜିତ୍‌ ଅଗରକର (୬୭ ମ୍ୟାଚ୍‌) ଏବଂ ଜଭାଗଲ୍‌ ଶ୍ରୀନାଥ (୬୮ ମ୍ୟାଚ୍‌) ଦ୍ରୁତତମ କ୍ଲବ୍‌ରେ ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି।

ସର୍ବାଧିକ ରନ୍‌ ତାଲିକାର ଶୀର୍ଷ-୧୦ରେ କୋହଲି
ନ୍ୟୁଜିଲାଣ୍ଡ୍‌ ଗସ୍ତରେ ବୁଧବାର ଭାରତ ଖେଳିଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ଅବସରରେ ୪୫ ରନ୍‌ର ପାଳି ଖେଳିଥିବା ଅଧିନାୟକ ବିରାଟ କୋହଲି ଆନ୍ତର୍ଜାତିକ ଦିନିକିଆରେ ସର୍ବାଧିକ ରନ୍‌ କରିଥିବା ଖେଳାଳିଙ୍କ ତାଲିକାର ଶୀର୍ଷ-୧୦ରେ ସାମିଲ ହୋଇଛନ୍ତି। ୨୨୦ ମ୍ୟାଚ୍‌ ଓ ୨୧୨ ପାଳି ଖେଳି କୋହଲି ତାଙ୍କ ମୋଟ ଦିନିକିଆ ଆନ୍ତର୍ଜାତିକ ରନ୍‌ ସଂଖ୍ୟାକୁ ୧୦,୪୩୦ରେ ପହଞ୍ଚାଇଛନ୍ତି। ଫଳରେ ସେ ସଚିନ୍ ତେନ୍ଦୁଲକର (୪୬୩ ମ୍ୟାଚ୍‌, ୧୮୪୨୬ ରନ୍‌), ସୌରଭ ଗାଙ୍ଗୁଲି (୩୧୧ ମ୍ୟାଚ୍‌, ୧୧୩୬୩ ରନ୍‌, ରାହୁଲ୍‌ ଦ୍ରାବିଡ୍‌ (୩୪୪ ମ୍ୟାଚ୍‌, ୧୦୮୮୯ ରନ୍‌)ଙ୍କ ପଛକୁ ଚତୁର୍ଥ ଭାରତୀୟ ଭାବେ ଶୀର୍ଷ-୧୦ରେ ନିଜ ନାମକୁ ଯୋଡ଼ିଛନ୍ତି। କୋହଲି ଏଥି ସହିତ ୱେଷ୍ଟଇଣ୍ଡିଜ୍‌ର ବ୍ରାଏନ୍‌ ଲାରା (୨୯୯ ମ୍ୟାଚ୍‌, ୧୦୪୦୫ ରନ୍‌)ଙ୍କୁ ଶୀର୍ଷ-୧୦ରୁ ତଳକୁ ଠେଲି ଦେଇଛନ୍ତି। ସୂଚନାଯୋଗ୍ୟ, କୋହଲିଙ୍କ ୧୦ ହଜାରରୁ ଅଧିକ ରନ୍‌ ମଧ୍ୟରେ ୩୯ ଶତକ ଓ ୪୮ ଅର୍ଧଶତକ ସାମିଲ ରହିଛି।

ସମ୍ବନ୍ଧିତ ଖବର