ନ୍ୟୁଜିଲାଣ୍ଡ ଦିନିକିଆ: ଟସ୍‌ ଜିଣି ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡର ୧୮ରନ୍‌ରେ ୨ୟ ଓ୍ଵିକେଟ ପତନ,ମହମ୍ମଦ ସାମିଙ୍କୁ ଦିନିକିଆରେ ୧୦୦ ଓ୍ଵିକେଟ

ନାପିଏର: ଅଷ୍ଟ୍ରେଲିଆରେ ଐତିହାସିକ ଶୃଙ୍ଖଳା ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍‌ ଦଳ ନ୍ୟୁଜିଲାଣ୍ଡ ଅଭିଯାନରେ ଆରମ୍ଭ କରିଛି। ଆଜି ପାଞ୍ଚ ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ନାପିଏର ଠାରେ ଆରମ୍ଭ ହୋଇଛି। ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ତେବେ ଖେଳର ଦ୍ୱିତୀୟ ଓଭରରେ ମହମ୍ମଦ ସାମି ଗୁପ୍‌ଟିଲଙ୍କୁ ବୋଲ୍ଡ କରି ଭାରତୀୟ ଶିବିରରେ ରୋମାଞ୍ଚ ଭରି ଦେଇଛନ୍ତି। ଗୁପ୍‌ଟିିଲ ମାତ୍ର ୫ ରନ୍‌ କରି ସାମିଙ୍କ ଏକ ଇନସ୍ୱିଙ୍ଗର ବଲରେ ବୋଲ୍‌ଡ ହୋଇ ପାଭିଲିୟନ ଫେରି ଯାଇଛନ୍ତି। ଗୁପ୍‌ଟିଲଙ୍କ ଓ୍ଵିିକେଟ ସହିତ ମହମ୍ମଦ ସାମି ଦିନିକିଆରେ ତାଙ୍କର ଶହେତମ ଓ୍ଵିକେଟ ଅକ୍ତିଆର କରିଛନ୍ତି। ସେହିପରି ୪ର୍ଥ ଓଭରରେ କଲିନ୍‌ ମୁନ୍‌ରୋଙ୍କୁ ବୋଲ୍ଡ କରି ସାମି ତାଙ୍କର ଦ୍ୱିତୀୟ ଓ୍ଵିକେଟ ଅକ୍ତିଆର କରିଛନ୍ତି। ପ୍ରାଥମିକ ବ୍ୟାଟି ବିପର୍ଯ୍ୟୟର ସମ୍ମୁଖିନ ହୋଇ ନ୍ୟୁଜିଲାଣ୍ଡ ୪ ଓ୍ଵର ସୁଦ୍ଧା ମାତ୍ର ୧୮ରନରେ ୨ଟି ଓ୍ଵିକେଟ ହରାଇଛି।


ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ସିରିଜ୍‌ ବିଜୟ ସହିତ ବିରାଟ ବାହିନୀର ଆତ୍ମବିଶ୍ଵାସ ଯଥେଷ୍ଟ ଅଧିକ ରହିଛି। କିନ୍ତୁ ନ୍ୟୁଜିଲାଣ୍ଡର ଭିନ୍ନ ପରିବେଶରେ ଭାରତୀୟ ଖେଳାଳିମାନେ କିପରି ପ୍ରଦର୍ଶନ କରିବେ ତାହା ପ୍ରଥମ ମ୍ୟାଚ୍‌ରୁ ଆକଳନ କରାଯାଇ ପାରେ। ଭିନ୍ନ ଜଳବାୟୁ, କଷ୍ଟକର ଖେଳ ପରିବେଶ ଓ ଅତୀତର ଦୁର୍ବଳ ପ୍ରଦର୍ଶନକୁ ପ୍ରତିହତ କରି ଭାରତୀୟ ଦଳ ଏଥର ନ୍ୟୁଜିଲାଣ୍ଡରେ ଦୀର୍ଘ ଏକ ଦଶନ୍ଧିର ଅପେକ୍ଷାରେ ପୂର୍ଣ୍ଣଛେଦ ଟାଣିବାକୁ ଚେଷ୍ଟା କରିବ। ବିଗତ ୧୦ ବର୍ଷ ହେବ ଭାରତ ନ୍ୟୁଜିଲାଣ୍ଡରେ ଦିନିକିଆ ଶୃଙ୍ଖଳା ବିଜୟର ସ୍ୱାଦ ଚାଖିନାହିଁ। ତେଣୁ ବିରାଟ ବାହିନୀ ପାଇଁ ଏହି ଶୃଙ୍ଖଳା ଏକ ବଡ଼ ସୁଯୋଗ ବୋଲି କୁହାଯାଉଛି।
ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଅମ୍ବାତି ରାଇଡୁ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଓ ମହମ୍ମଦ ସାମି।
ନ୍ୟୁଜିଲାଣ୍ଡ ଟିମ୍‌- ମାର୍ଟିନ ଗୁପ୍‌ଟିଲ, କଲିନ୍‌ ମୁନ୍‌ରୋ, କେନ ଓ୍ଵିଲୟମସନ, ରୋଜ ଟେଲର, ଟମ୍‌ ଲାଥମ, ହେନୋରୀ ନିକୋଲାସ, ମାଇକେଲ ସଣ୍ଟର, ଡି ବ୍ରେସେଓ୍ଵଲ, ଟିମ୍‌ ସଉଥି, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ।

ସମ୍ବନ୍ଧିତ ଖବର