ସାମ୍‌ସନ୍‌ଙ୍କ ଛକା ବର୍ଷାରେ ବୁଡ଼ିଲା ବାଙ୍ଗାଲୋର

ବେଙ୍ଗାଲୁରୁ: ଆଇପିଏଲ୍‌-୧୧ର ଏକଦଶ ମ୍ୟାଚ୍‌ରେ ପୂର୍ବ ବିଜେତା ରାଜସ୍ଥାନ ରୟାଲ୍ସ ରବିବାର ତାରକା ଖଚିତ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୧୯ ରନ୍‌ରେ ହରାଇ ଦେଇଛି। ରାଜସ୍ଥାନର ଏହି ବିଜୟରେ ଯୁବ ଓ୍ଵିକେଟ୍‌ ରକ୍ଷକ ସଞ୍ଜୁ ସାମ୍‌ସନ୍‌ (୯୨* ରନ୍‌, ୪୫ ବଲ୍‌, ୨ ଚୌକା, ୧୦ ଛକା) ପ୍ରମୁଖ ଭୂମିକା ତୁଲାଇଛନ୍ତି। ଅଧିନାୟକ ଅଜିଙ୍କ୍ୟ ରାହାଣେ ( ୩୬ ରନ୍‌, ୨୦ ବଲ୍‌, ୬ ଚୌକା, ୧ ଛକା) ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ରାଜସ୍ଥାନ ପାଇଁ ଦୃଢ଼ ମୂଳଦୁଆ ପକାଇବା ପରେ ସାମ୍‌ସନ୍‌ଙ୍କ ଧମାକାଦାର ବ୍ୟାଟିଂ ହିଁ ଆରସିବି ପରାଜୟର କାରଣ ହୋଇଛି। ସେପଟେ ବିରାଟ କୋହଲି, ଏବି ଡିଭିଲିୟର୍ସ, କ୍ୱିଣ୍ଟନ ଡି କକ୍‌ ଓ ବ୍ରେଣ୍ଡନ ମ୍ୟାକଲମଙ୍କ ଭଳି  ଦୁର୍ଦ୍ଧର୍ଷ ଖେଳାଳି ଥିବା ସତ୍ତ୍ୱେ  ଶେଷ ଓଭର ଗୁଡ଼ିକରେ ମାତ୍ରାଧିକ ରନ୍‌ ବ୍ୟୟ କରିବା ଆରସିବି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଏହି ଦଳ ଦୁଇ ବର୍ଷର ବ୍ୟବଧାନ ପରେ ଆଇପିଏଲ୍‌କୁ ଫେରିଥିବା ରାଜସ୍ଥାନ ରୟାଲ୍ସଠାରୁ ଆଶ୍ଚର୍ଯ୍ୟଜନକ ଭାବେ ହାରି ଯାଇଛି। କେରଳ ତାରକା ସାମ୍‌ସନ୍‌ ଆଶାଜନକ ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କ ଚିତ୍ତାକର୍ଷକ ପାଳି ହିଁ ଦୁଇ ଦଳ ମଧ୍ୟରେ ମୁଖ୍ୟ ଫରକ ଥିଲା। ରାଜସ୍ଥାନ ତୃତୀୟ ମ୍ୟାଚ୍‌ରୁ ଦ୍ୱିତୀୟ ବିଜୟ ହାସଲ କରିଥିଲା ବେଳେ ଆରସିବି ସେହି ୩ ମ୍ୟାଚ୍‌ରୁ ଦ୍ୱିତୀୟ ପରାଜୟ ବରଣ କରିଥିଲା।

 

ସାମ୍‌ସନ୍‌ଙ୍କ ଛକା, ଚୌକା ଭରା ପାଳି ବଳରେ ରାଜସ୍ଥାନ ଆଜି ଆରସିବି ସମ୍ମୁଖରେ ୨୧୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ହେଲେ ଆରସିବି କୋହଲି (୫୭ ରନ୍‌, ୩୦ ବଲ୍‌, ୭ ଚୌକା, ୨ ଛକା)ଙ୍କ ବିସ୍ଫୋରକ ଅର୍ଧଶତକ ସତ୍ତ୍ୱେ ନିର୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୯୮ ରନ୍‌ରେ ଅଟକି ଯାଇଥିଲା।  ବଡ଼ ବିଜୟ ସହ ରବିବାର ରାଜସ୍ଥାନ ମଧ୍ୟ ଚଳିତ ଆଇପିଏଲର ସର୍ବାଧିକ ଦଳଗତ ସ୍କୋର କରିବାର କୀର୍ତ୍ତିମାନ ଲାଭ କରିଥିଲା। ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଆରସିବି ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଶେଷ ୫ ଓଭରରୁ ୮୮ ରନ୍‌ ସହ ରାଜସ୍ଥାନ ନିର୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୨୧୭ ରନ୍‌ କରିଥିଲା। ଆଇପିଏଲର ଏହା ଯୁଗ୍ମ ଦ୍ୱିତୀୟ ଦଳଗତ ସ୍କୋର ଥିଲା। କୋହଲି ରବିବାର ତାଙ୍କ ଆଇପିଏଲ୍‌ ଜୀବନର ଦ୍ରୁତତମ ଅର୍ଧଶତକ (୨୬ ବଲ୍‌) ହାସଲ କରିଥିଲେ। ହେଲେ ନିଜ ଦଳକୁ ବିଜୟୀ କରାଇ ପାରି ନଥିଲେ। ସେପଟେ ରାଜସ୍ଥାନ ଚଳିତ ଋତୁର ପ୍ରଥମ ଦଳ ଭାବେ ପ୍ରଥମେ ବ୍ୟାଟିଂ କରି ବିଜୟୀ ହେବାର ଗୌରବ ବହନ କରିଥିଲା।

ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୨୧୭/୪ (ସଞ୍ଜୁ ସାମ୍‌ସନ୍‌ ୯୨*, ଅଜିଙ୍କ୍ୟ ରାହାଣେ ୩୬, ବେନ୍‌ ଷ୍ଟୋକ୍ସ ୨୭, ଜୋସ୍‌ ବଟଲର ୨୩, ୟୁଜବେନ୍ଦ୍ର ଚହଲ ୨/୨୨, କ୍ରିସ୍‌ ଓକ୍ସ ୨/୪୭)। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୯୮/୬ (ବିରାଟ କୋହଲି ୫୭, ମନଦୀପ ସିଂହ ୪୭*, ଓ୍ଵାସିଂଟନ ସୁନ୍ଦର ୩୫, କ୍ୱିଣ୍ଟନ ଡି କକ୍‌ ୨୬, ଏବି ଡିଭିଲିୟର୍ସ ୨୦, ଶ୍ରେୟସ୍‌ ଗୋପାଳ ୨/୨୨, ଡାର୍ସି ସଟ୍‌ ୧/୧୦, ବେନ ଷ୍ଟୋକ୍ସ ୧/୩୨)।

ସମ୍ବନ୍ଧିତ ଖବର