ସୌରଭ ଗାଙ୍ଗୁଲିଙ୍କୁ ବାରବାଟୀ ଆସିବାକୁ ଆମନ୍ତ୍ରଣ କଲେ ସ˚ଜୟ

କଟକ : ବିସିସିଆଇର ନୂଆ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବାରବାଟୀ ଷ୍ଟାଡିୟମ ଆସିବାକୁ ଆମନ୍ତ୍ରଣ କରାଯାଇଛି। ବୁଧବାର ବିସିସିଆଇର ସାଧାରଣ ପରିଷଦ ବୈଠକରେ ଯୋଗଦେବାକୁ ଓସିଏ ସମ୍ପାଦକ ସ˚ଜୟ ବେହେରା ଯାଇଥିବା ବେଳେ ସୌରଭଙ୍କୁ ବାରବାଟୀ ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି। ଏଥିସହିତ ଡିସେମ୍ବର ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଆନ୍ତର୍ଜାତିକ ଦିନିକିଆ ପାଇଁ ପୁଣି ଥରେ ସୌରଭଙ୍କ ସହ ଆଲୋଚନା କରାଯାଇଛି। ବିସିସିଆଇ ପକ୍ଷରୁ ଯଥା ସମ୍ଭବ ସହଯୋଗ ଯୋଗାଇ ଦିଆଯିବ ବୋଲି ଆଉ ଥରେ ପ୍ରତିଶ୍ରୁତି ମିଳିଛି। ସ˚ଜୟ କହିଛନ୍ତି ଯେ ମ୍ୟାଚ୍‌ ଆୟୋଜନ ନେଇ କୌଣସି ସମସ୍ୟା ନାହିଁ। କେବଳ ଫ୍ଲଡ୍‌ ଲାଇଟ୍‌ ମରାମତି ପାଇଁ ଆମେ ଚିନ୍ତିତ ଥିଲୁ। ଏବେ ଦେବ ମସ୍କୋ କମ୍ପାନି ପକ୍ଷରୁ ଫ୍ଲଡ୍‌ ଲାଇଟ ମରାମତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ତେଣୁ ମ୍ୟାଚ୍‌ ସୁରୁଖୁରୁରେ ଆୟୋଜନ ହେବ ବୋଲି ସ˚ଜୟ ମତ ଦେଇଛନ୍ତି। ସୌରଭଙ୍କ ବ୍ୟତୀତ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ସହିତ ମଧ୍ୟ ଓସିଏ ପ୍ରତିନିଧିମାନେ ଆଲୋଚନା କରିଥିଲେ। ଉଭୟ ନୂଆ ସଭାପତି ଓ ସମ୍ପାଦକଙ୍କ ସହିତ ସମସ୍ତ କର୍ମକର୍ତ୍ତା ଏବ˚ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କୁ ବାରବାଟୀ ଆସିବା ପାଇଁ ନିମନ୍ତ୍ରଣ କରାଯାଇଥିବା ସୂଚନା ଦିଆଯାଇଛି। ଏହି ପ୍ରତିନିଧି ଦଳରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପ ସଭାପତି ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ ସ˚ଜୟ ବେହେରା, ଯୁଗ୍ମ ସମ୍ପାଦକ ମେହେତାବ ଖାନ୍‌, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ଶୁଭାଶିଷ ସେନାପତି ଓ ଓଡ଼ିଶା ଅଲିମ୍ପିକ ସ˚ଘର ଭାରପ୍ରାପ୍ତ ସମ୍ପାଦକ ଅଭିଜିତ ପାଲ୍‌ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର