ସଂଜିତାଙ୍କୁ ସ୍ୱର୍ଣ୍ଣ, ଦୀପକଙ୍କୁ କାଂସ୍ୟ

ଭାରୋତ୍ତୋଳନରେ ଭାରତର ଉନ୍ନତ ପ୍ରଦର୍ଶନ

ଗୋଲ୍‌ଡକୋଷ୍ଟ୍‍: ଚଳିତ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭାରୋତ୍ତୋଳନ ସ୍ପର୍ଧାରେ ଭାରତର ଉନ୍ନତ ପ୍ରଦର୍ଶନ ଜାରି ରହିଛି। ଲଗାତାର ଦ୍ୱିତୀୟ ଦିବସରେ ଭାରତ ଏହି ଶକ୍ତିଭିତ୍ତିକ ଖେଳରୁ ୨ ଲେଖାଏଁ ପଦକ ଅମଳ କରିଛି। ଗୁରୁବାର ସ୍ୱର୍ଣ୍ଣ-ରୌପ୍ୟ ଜିତିଥିବା ଭାରତ ଶୁକ୍ରବାର ସ୍ୱର୍ଣ୍ଣ-କାଂସ୍ୟ ହାସଲ କରି ମୋଟ ପଦକକୁ ୪ରେ ପହଞ୍ଚାଇଛି। ପଦକ ତାଲିମାରେ ମଧ୍ୟ ଭାରତ ପଞ୍ଚମକୁ ଉନ୍ନୀତ ହୋଇଛି। ଶୁକ୍ରବାର ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ଆଉ ଜଣେ ମଣିପୁର ଝିଅ ସଂଜିତା ଚାନୁ। କାଂସ୍ୟ ପଦକ ଜିତିଥିଲେ ଯୁବ ତାରକା ଦୀପକ ଲାଥର। ଶୁକ୍ରବାର କରାରା ସ୍ପୋର୍ଟସ ଆଣ୍ଡ୍‌ ଲିଜର୍‌ ସେଣ୍ଟର୍‌ରେ ଚାଲିଥିବା ଭାରୋତ୍ତୋଳନର ୫୩ କିଲୋଗ୍ରାମ ଓଜନ୍‌ ବର୍ଗରେ ସଂଜିତା ଚାନୁ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀର୍ତିମାନ ସହିତ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲେ। ସମାନ ଭେନ୍ୟୁରେ ଗତବର୍ଷ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିତା ସଂଜିତା ସ୍ନାଚ୍‌ରେ ୮୪ କିଲୋଗ୍ରାମ ସହ କୀର୍ତିମାନ କରିବା ପରେ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୦୮ କିଲୋଗ୍ରାମ ଉତ୍ତୋଳନ କରି ମୋଟ ଉପରେ ୧୯୨ କିଲୋଗ୍ରାମ ସହିତ ପ୍ରଥମ ସ୍ଥାନରେ ରହିଥିଲେ। ଗତ ଥରର ବିଜୟିନୀ ପପୁଆ ନିୟୁ ଗିନିର ଲୋଆ ଡିକା ତୌଆ ମୋଟ ଉପରେ ୧୮୨ କିଲୋଗ୍ରାମ (ସ୍ନାଚ୍‌ ୮୦, କ୍ଲିନ୍‌ ଆଣ୍ଡ୍‌ ଜର୍କ ୧୦୨ କିଲୋଗ୍ରାମ) ଉଠାଇ ରୌପ୍ୟ ଏବଂ କାନାଡ଼ାର ରାଚେଲ୍‌ ଲିବ୍ଲାଙ୍କ୍‌ ବାଜିନେତ୍‌ ୧୮୧ କିଲୋଗ୍ରାମ (ସ୍ନାଚ୍‌ରେ ୮୧ ଏବଂ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୦୦ କିଲୋଗ୍ରାମ) ଉତ୍ତୋଳନ କରି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ସଂଜିତା କିନ୍ତୁ ଭାରତୀୟ ଖେଳାଳି ସ୍ୱୀର୍ତି ସିଂହଙ୍କ ନାମରେ ଥିବା ପୂର୍ବ ରାଜ୍ୟଗୋଷ୍ଠୀ କ୍ରୀଡ଼ା କୀର୍ତିମାନକୁ ୩ କିଲୋଗ୍ରାମ ଅଧିକ ଓଜନ୍‌ରେ ଭାଙ୍ଗିଥିଲେ। ଶୁକ୍ରବାର ସଂଜିତା କ୍ଲିନ୍‌ ଆଣ୍ଡ୍‌ ଜର୍କରେ ନିଜ ଓଜନକୁ ୧୦୪ ଏବଂ ୧୦୮ରେ ସଫଳ ଉତ୍ତୋଳନ କରିବା ପରେ ଶେଷ ପ୍ରୟାସରେ ବିଫଳ ହୋଇଥିଲେ। କିନ୍ତୁଏହା ତାଙ୍କୁ ହଳଦିଆ ପଦକ ଦେବାରୁ ବଞ୍ଚିତ ରଖିନଥିଲା।

ସଂଜିତାଙ୍କ ସ୍ୱର୍ଣ୍ଣ ସଫଳତାର କିଛି ଘଣ୍ଟା ପରେ ଏହି ପ୍ରତିଯୋଗିତାରେ ପଦାର୍ପଣ କରିଥିବା ୧୮ ବର୍ଷୀୟ ହରିଆନା ଯୁବକ ଦୀପକ ଲାଥର୍‌ ପୁରୁଷ ବିଭାଗ ୬୯ କିଲୋଗ୍ରାମ ଓଜନ୍‌ ବର୍ଗରେ କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଥିଲେ। ହରିଆନାର ସାଦିପୁର ଗାଁରୁ ଆସିଥିବା ଏହି ଯୁବ ପ୍ରତିଭା ସମ୍ପ୍ରତି ପୁନେ ଆର୍ମି ସ୍ପୋର୍ଟସ ଇନ୍‌ଷ୍ଟିଚ୍ୟୁଟ୍‌ରେ ନିଜକୁ ଶାଣିତ କରୁଛନ୍ତି। ଶୁକ୍ରବାର ସେ ସ୍ନାଚ୍‌ରେ ୧୩୬ ଏବଂ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୫୯ କିଲୋଗ୍ରାମ ଉତ୍ତୋଳନ କରି ମୋଟ ଉପରେ ୨୯୫ କିଲୋଗ୍ରାମ ଉଠାଇ ଥିଲେ। େଓ୍ଵଲ୍‌ସର ଗାରେଥ୍‌ ଇଭାନ୍‌ସ ୨୯୯ କିଲୋଗ୍ରାମ ସହିତ ସ୍ୱର୍ଣ୍ଣ ଏବଂ ଶ୍ରୀଲଙ୍କାର ଇନ୍ଦିକା ଦିସାନାୟକେ ୨୯୭ କିଲୋଗ୍ରାମ ସହିତ ରୌପ୍ୟ ପଦକ ଜିତିଥିଲେ। ଦୁଇ ବର୍ଷ ତଳେ ଦୀପକ ସାମୋଆ ଯୁବ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୂଆ କୀର୍ତିମାନ ସହିତ ପଦକ ଦ୍ୱାରରେ ପହଞ୍ଚିଥିଲେ ମଧ୍ୟ ବିଫଳ ହୋଇଥିଲେ। ପୁନେ ଆର୍ମି ସ୍ପୋର୍ଟସ ସେଣ୍ଟରେ ଡାଇଭର୍‌ ଭାବେ ଅଭ୍ୟାସ ଆରମ୍ଭ କରିଥିଲେ ମଧ୍ୟ ସେ ଭାରୋତ୍ତୋଳନକୁ ଲମ୍ଫ ମାରି ସଫଳତାର ସିଡ଼ି ଚଢ଼ିଛନ୍ତି। ଫଳତଃ ଡାଇଭିଂର କ୍ଷତି ଏବେ ଭାରୋତ୍ତୋଳନର ଫାଇଦା ହୋଇଛି। ୨୦୧୫ରେ ଯୁବ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତା (୧୭ ବର୍ଷରୁ କମ୍‌)ରେ ସ୍ୱର୍ଣ୍ଣ, ଏସୀୟ ଯୁବ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ। ସର୍ବକନିଷ୍ଠ ଭାରତୀୟ ଭାରୋତ୍ତୋଳକ ଭାବେ ବିଶ୍ୱ ପ୍ରତିଯୋଗିତାରେ ଭାଗ ନେଇଥିଲେ। କିନ୍ତୁ ୨୦୧୬ ମସିହାରେ ସର୍ବକନିଷ୍ଠ ଭାବେ ଦୀର୍ଘଦିନ ଧରି ଥିବା ୬୨ କିଲୋଗ୍ରାମ ସ୍ନାଚ କୀର୍ତିମାନକୁ ପଛରେ ପକାଇଥିଲେ। ୨୦୧୭ ମସିହାରେ ଦୀପକ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ଓଡ଼ିଆ ଝିଅ ସରସ୍ୱତୀ ରାଉତ କିନ୍ତୁ ନିରାଶ କରିଥିଲେ। ମହିଳା ବିଭାଗ ୫୮ କିଲୋଗ୍ରାମ ବର୍ଗରେ ସେ ନିଜର ପ୍ରଥମ ୩ ସ୍ନାଚ୍‌ରେ ୭୮ କିଲୋଗ୍ରାମ ଉତ୍ତୋଳନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଫଳରେ ତାଙ୍କୁ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ସୁଯୋଗ ମିଳିନଥିଲା। ସୂଚନାଯୋଗ୍ୟ, ପ୍ରଥମ ଦିବସରେ ଗୁରୁବାର ସଂଜିତାଙ୍କ ରାଜ୍ୟ ସାଥୀ ମୀରାବାଈ ଚାନୁ ୪୮ କିଲୋଗ୍ରାମ ମହିଳା ବର୍ଗରୁ ସ୍ୱର୍ଣ୍ଣ ଏବଂ ଗୁରୁରାଜ ପୂଜାରୀ ୫୬ କିଲୋଗ୍ରାମ ପୁରୁଷ ବର୍ଗରୁ ରୌପ୍ୟ ପଦକ ହାସଲ କରିଥିଲେ।

କୁଞ୍ଜରାଣୀଙ୍କ କଷ୍ଟଲବ୍ଧ କମାଲ୍‌

Gold Coast: India’s Bronze medalist Deepak Lather 

ବିଗତ ଦିନର କିମ୍ବଦନ୍ତୀ ଭାରୋତ୍ତୋଳିକା ଏନ୍‌ କୁଞ୍ଜରାଣୀ ଦେବୀଙ୍କୁ ଲଗାତାର ମିଳିଛି ଦ୍ୱିତୀୟ ଦିନରେ ଦ୍ୱିତୀୟ ସ୍ୱର୍ଣ୍ଣ। କୁଞ୍ଜରାଣୀଙ୍କଠାରୁ ପ୍ରଶିକ୍ଷିତ ହୋଇ ମୀରାବାଈ ଚାନୁ ଏବଂ ସଂଜୀତା ଚାନୁ ଗୋଲ୍‌ଡକୋଷ୍ଟ୍‍ରେ ଗୋଲ୍‌ଡ ମଡାଲ୍‌ ଜିତିଥିବାରୁ ଏହି ପ୍ରଶିକ୍ଷିକାଙ୍କୁ ଖୁସି ଦ୍ୱିଗୁଣିତ ହୋଇଛି। ସଂଜୀତା ୨୦୦୯ ମସିହା ଜାତୀୟ ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତି ଚର୍ଚାକୁ ଆସିଥିଲେ। ୨୦୧୧ ମସିହାରୋ ଏସୀୟ ଭାରୋତ୍ତୋଳନରେ କାଂସ୍ୟ ପଦକ ହାସଲ କରିଥିଲେ। କିନ୍ତୁ ମାତ୍ର ୨୦ ବର୍ଷ ବୟସରେ ୨୦୧୪ ମସିହା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଂଜୀତା ୧୭୩ କିଲୋଗ୍ରାମ ସହିତ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ମୀରାବାଈ ଚାନୁ ମଧ୍ୟ ତାଙ୍କ ପଛରେ ରହି ରୌପ୍ୟ ପଦକ ହାତେଇଥିଲେ। ଏବେ ଉଭୟ ଅଲଗା ଅଲଗା ଇଭେଣ୍ଟ୍‌ରେ ଭାଗ ନେଇ ସ୍ୱର୍ଣ୍ଣିମ ସଫଳତା ପାଇଥିବାରୁ ପ୍ରଶିକ୍ଷକ କୁଞ୍ଜରାଣୀଙ୍କ କଷ୍ଟର ମୂଳ୍ୟ ମିଳିଛି।

ସମ୍ବନ୍ଧିତ ଖବର