ଶେଷ ସର୍ଦାରଙ୍କ ପ୍ରଥମ ଖୁଲାସା: ଜନ୍‌ ଦେଇଥିଲେ ଅସମ୍ମାନ

ଭୁବନେଶ୍ବର: ଭାରତୀୟ ହକି ଦଳର ସବୁଠୁ ଶାରୀରିକ ସକ୍ଷମ ତଥା ପୂର୍ବତନ ଅଧିନାୟକ ସର୍ଦାର ସିଂହଙ୍କ ଉପରେ ଆଧାରିତ ପୁସ୍ତକ ‘ଦ ଲାଷ୍ଟ ସର୍ଦାର’ ଖୁବ ଶୀଘ୍ର ବଜାରକୁ ଆସିବ। ଶନିବାର ଏକାମ୍ର କ୍ରୀଡ଼ା ଉତ୍ସବର ଶେ‌ଷ ଦିନରେ କିନ୍ତୁ ସର୍ଦାର ତାଙ୍କ ଅପ୍ରତ୍ୟାଶିତ ଅବସର ଘଟଣା ସମ୍ପର୍କରେ ପ୍ରଥମ ଥର ମୁହଁ ଖୋଲିଛନ୍ତି। ହକି ଇଣ୍ଡିଆର ବରିଷ୍ଠ ଅଧିକାରୀ (ହାଇ ପରଫର୍ମାନ୍ସ ଡିରେକ୍ଟର) ଡେଭିଡ଼ ଜନ୍ ହିଁ ତାଙ୍କୁ ଅସମ୍ମାନ କରିଥିଲେ। ଗତବର୍ଷ ଏସିଆ କପ୍‌ ବେଳେ ପାକିସ୍ତାନ ମ୍ୟାଚ୍ ପୂର୍ବରୁ ହିଁ ସେ ଏବଂ ପ୍ରଶିକ୍ଷକ ଜୋ ମାରିନ ‌ହୋଟେଲକୁ ଡାକି ଖରାପ ପ୍ରଦର୍ଶନର ଆଭାସ ଦେଇଥିଲେ। ଏହା ମାନସିକ ଆଘାତ ଦେଇଥିଲା ସର୍ଦାରଙ୍କୁ। ଏହା ପରେ ସର୍ଦାର ଫିଟନେସ୍ ଟେଷ୍ଟ୍‌ରେ ଉତ୍ତୀର୍ଣ୍ଣ ରହିଥିଲେ ମଧ୍ୟ କିଛି ଗସ୍ତରେ ଦଳରେ ସ୍ଥାନ ପାଇନଥିଲେ। ଆଜଲାନ ସାହା କପ୍ ପାଇଁ ମୋତେ ଯୁବ ଖେଳାଳିଙ୍କ ସହ ପଠାଯାଇଥିଲେ ମଧ୍ୟ ରାଜ୍ୟଗୋଷ୍ଠୀ ଦଳରୁ ବାଦ୍ ଦେଇଥିଲେ। ଚଳିତ ବର୍ଷ ସେ ଏସୀୟ କ୍ରୀଡ଼ାରେ ଖେଳିଥିଲେ ମଧ୍ୟ ଏହା ପରେ ଅବସର ଘୋଷଣା କରି ଦେଇଥିଲେ। ଜଣେ ପୂର୍ବତନ ଅଧିନାୟକ ଏବଂ ଦେଢ଼ ଦଶନ୍ଧି ଧରି ଭାରତୀୟ ଦଳରୁ ଖେଳିଥିବା ସର୍ଦାରଙ୍କୁ ଯେଉଁଭଳି ଢଙ୍ଗରେ ବିଦାୟୀ ମିଳିବା କଥା ମିଳିନଥିଲା। ସର୍ଦାର ଶନିବାର ସ୍ବୀକାର କରିଥିଲେ ଖେଳ ଅପେକ୍ଷା ପାରିପାର୍ଶ୍ବିକ ପରିସ୍ଥିତି ଏବଂ ଆଚରଣ ପାଇଁ ଅବସର‌ ନେଇଛନ୍ତି। ରୋଲଣ୍ଟ୍ ଅଲଟସମ୍ୟାନ୍ସଙ୍କ ପରେ ଦାୟିତ୍ବ ନେଇଥିବା ପ୍ରଶିକ୍ଷକ ମାରିନ୍ ହିଁ ମୋ ଖେଳ ଜୀବନର ଅନ୍ତ ଘଟାଇବାରେ ଅନ୍ୟତମ ବୋଲି ପରୋକ୍ଷରେ କହିଥିଲେ। ଅବସର ସମ୍ପର୍କରେ ଅନେକ କାରଣ ରହିଛି। ହକି ଇଣ୍ଡିଆର ଏଭଳି ଆଚରଣ ମୋତେ ନିଜକୁ ଚିନ୍ତା କରିବାକୁ ବାଧ୍ୟ କରିଥିଲା। ପରିବାର ସହ ଆଲୋଚନା କରି ମୁଁ ଏସୀୟ କ୍ରୀଡ଼ା ପରେ ଅବସର ନେବି ବୋଲି କହି ଦେଇଥିଲି। ଏଥି ସହିତ ଭାରତୀୟ ଦଳରେ ବାରମ୍ବାର ଖେଳାଳି ପରିବର୍ତନକୁ ସର୍ଦାର ନାପସନ୍ଦ କରିଥିଲେ। ଭୁବନେଶ୍ବର ହକି ବିଶ୍ବକପ୍‌ରେ ଭାରତ ପ୍ରଥମେ କ୍ବାର୍ଟରଫାଇନାଲ ପହଞ୍ଚିବା ପରେ ଆଗକୁ ଯିବା କଥା ଚିନ୍ତା କରିହେବ ବୋଲି ମତ ଦେଇଥିଲେ। ବ୍ୟକ୍ତିଗତ ଭାବେ ଘରୋଇ ହକିରେ ଖେଳ ଜାରି ରଖିବା, ଛୋଟ ପିଲାଙ୍କୁ ତାଲିମ ଦେବା ଏବଂ ଭବିଷ୍ୟତ‌ରେ ଏକ ଏକା‌ଡେମି ପ୍ରତିଷ୍ଠା କରିବା ଲକ୍ଷ୍ୟ ରହିଛି ବୋଲି ମଧ୍ୟ କହିଥିଲେ ସର୍ଦାର।

ସମ୍ବନ୍ଧିତ ଖବର